ଓଡ଼ିଶାରେ ବିଶ୍ବକପ୍ ନୂଆ ନୁହେଁ: ଦୁଇ ଦଶନ୍ଧିର ଦସ୍ତାବିଜ୍

ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶାକୁ ଗ୍ରାସି ସାରିଛି ହକି ଜ୍ବର। ଏହି ସଫଳ ସ୍ବଦେଶୀ ଖେଳର ବିଶ୍ବକପ୍ ଆସି ପହଞ୍ଚିଛି ଓଡ଼ିଶାରେ। ବିଶ୍ବ ହକିକୁ ଓଡ଼ିଶାର ଅତୁଳନୀୟ ଅବଦାନର ପ୍ରତିଦାନରେ ହକି ବିଶ୍ବକପ୍‌ର ୧୪ତମ ସଂସ୍କରଣ ପାଦ ଦେଇଛି କଳିଙ୍ଗ ମାଟିରେ। କଳିଙ୍ଗ ବୀରଙ୍କ ବହୁ ଗୌରବ ଗାଥା ରହିଛି ଓଡ଼ିଶାରେ, କିନ୍ତୁ ଓଡ଼ିଶାରେ କୌଣସି ଖେଳର ବିଶ୍ବକପ୍ କଥା ଉଠିଲେ ନିଶ୍ଚିତ ଏହା ଅନେକଙ୍କ କଳ୍ପନା ବାହାରେ ଥିଲା। ହକି ବିଶ୍ବକପ୍ ଏହି କଳ୍ପନାର ଅନ୍ତ ଘଟାଇ ନୂଆ ଫର୍ଦ ଯୋଡ଼ିଯିବ। କିନ୍ତୁ ଓଡ଼ିଶା କ୍ରୀଡ଼ାକୁ ସାମଗ୍ରିକ ଭାବେ ଦେଖିଲେ ବିଶ୍ବକପ୍ ଆୟୋଜନ, ବିଶ୍ବକପ୍‌ରେ ଓଡ଼ିଆଙ୍କ ଅଂଶଗ୍ରହଣ କିଛି ନୂଆ ନୁହେଁ। ଦୁଇ ଦଶନ୍ଧି ତଳୁ ବିଶ୍ବକପ୍ ସହିତ ଓଡ଼ିଶା ଉଭୟ ଆୟୋଜନ ଓ ଅଂଶଗ୍ରହଣର ଫର୍ଦ ଯୋଡ଼ି ରଖିଛି, ଯାହା ଅନେକଙ୍କୁ ଅଜଣା।
ହକି ବିଶ୍ବକପ୍ ଓଡ଼ିଶାରେ ପ୍ରଥମ ଥର ହୋଇଥାଇ ପାରେ କିନ୍ତୁ ସବୁ ଖେଳକୁ ମିଶାଇଲେ ରାଜ୍ୟ କ୍ରୀଡ଼ା ଦୁନିଆରେ ପ୍ରଥମ ନୁହେଁ। ଓଡ଼ିଶା ମାଟିକୁ ପ୍ରଥମ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆସିଥିଲା ଆଜକୁ ଠିକ ୨୨ ବର୍ଷ ତଳେ। ୧୯୯୬ ମସିହା ଜୁନ୍ ମାସରେ ଭୁବନେଶ୍ବରରେ ହୋଇଥିଲା ବିଶ୍ବ ପେସାଦାର ବିଲିଆର୍ଡସ ଆଣ୍ଡ୍ ସ୍ନୁକର ପ୍ରତିଯୋଗିତା (ଡବୁଲ୍ୟପିବିଏସଏ)। ଏହି ପ୍ରତିଯୋଗିତା ଓଡ଼ିଶାର ସର୍ବପ୍ରଥମ ବିଶ୍ବସ୍ତରୀୟ ପ୍ରତିଯୋଗିତା। ଏ ସମ୍ପର୍କରେ ଅନେକଙ୍କୁ ଅଜଣା। ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ନାଲକୋ ପ୍ରାୟୋଜିତ ଏହି ମର୍ଯ୍ୟଦାଜନକ ବିଶ୍ବ ପ୍ରତିଯୋଗିତା ଚନ୍ଦ୍ରଶେଖରପୁରସ୍ଥିତ ନାଲକୋ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଭାରତର ବିଶ୍ବ ବିଜେତା ଖେଳାଳି ଗୀତ ସେଠୀଙ୍କୁ ଫାଇନାଲରେ ୨୫୩୪-୧୮୪୮ରେ ହରାଇ ଇଂଲଣ୍ଡର ମାଇକ୍ ରସେଲ ବିଜେତା‌ ହୋଇଥିଲେ। ‘ଆମେ ୧୯୯୬ ଜାନୁଆରିରେ ଭୁବନେଶ୍ବରରେ ଜାତୀୟ ପ୍ରତିଯୋଗିତା ଆୟୋଜନ କରିଥିଲୁ ଏବଂ ଜୁନ୍‌ରେ ବିଶ୍ବ ବିଲିଆର୍ଡସ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା’ ବୋଲି କହିଛନ୍ତି ୨୧ ଥର ରାଜ୍ୟ ବିଜେତା (ବିଲିୟାର୍ଡସ-୧୧, ସ୍ନୁକର-୧୦) ବିଗତ ଦିନର ତାରକା ଏହସାନ୍ ଉଲ୍ ହକ। ବିଲିଆର୍ଡସ ଆଣ୍ଡ୍ ସ୍ନୁକର ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ନାଲକୋର ସମ୍ପୂର୍ଣ୍ଣ ପ୍ରାୟୋଜନରେ ଏହା ଆୟୋଜିତ ହୋଇଥିଲା ବୋଲି କହିଛନ୍ତି ଏହି ବରିଷ୍ଠ ନାଲକୋ କର୍ମଚାରୀ। ଏହା ସେତେବେଳେ ଆର୍ଥର ୱାକର ଟ୍ରଫି ନାମରେ ପରିଚିତ ଥିଲା। ମୁଁ କିଛି ମ୍ୟାଚ୍‌‌ରେ ରେଫରି ଦାୟିତ୍ବ ତୁଲାଇଥିଲି ବୋଲି କହିଛନ୍ତି ୫୩ ବର୍ଷୀୟ ଏହି ପୂର୍ବତନ ଜାତୀୟ କନିଷ୍ଠ ସେମିଫାଇନାଲିଷ୍ଟ।
କେବଳ ବିଶ୍ବକପ୍ ମ୍ୟାଚ୍ କଥା ଦେଖିଲେ କିନ୍ତୁ ଓଡ଼ିଶାର ଆୟୋଜନ ଇତିହାସ ଆହୁରି ପୁରୁଣା। ୧୯୮୭ ରିଲାଏନ୍ସ ବିଶ୍ବକପ୍ କ୍ରିକେଟର ଏକ ମ୍ୟାଚ୍‌ ବାରବାଟୀରେ ହୋଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆ ୭୦ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଥିଲା। ସେହିଭଳି ୧୯୯୬ ମସିହା କ୍ରିକେଟ୍‌ ବିଶ୍ବକପ୍ ମ୍ୟାଚ୍ ମଧ୍ୟ ବାରବାଟୀରେ ଖେଳାଯାଇଥିଲା। ସଚିନ ତେନ୍ଦୁଲକରଙ୍କ ଶତକ ସହାୟତାରେ ଭାରତ ୭ ୱିକେଟରେ କେନିଆକୁ ହରାଇଥିଲା। କିନ୍ତୁ ପ୍ରତିଯୋଗିତା ଭାବେ ଦେଖିଲେ ୨୦୧୩ ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ର ପୁଲ୍ ‘ବି’ର ସମସ୍ତ ୬ ଲିଗ୍ ସହ ମୋଟ ୧୧ ମ୍ୟାଚ୍ ଖେଳାଯାଇଥିଲା କଟକର ବାରବାଟୀ ଷ୍ଟାଡିୟମ ଏବଂ ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ। ମୁମ୍ବାଇରେ ଭାରତ ପୁଲ ‘ଏ’ରେ ବିଫଳ ହେବା ପରେ କଟକରେ ପାକିସ୍ତାନ ବିପକ୍ଷ ପ୍ଲେ ଅଫ୍ ଜିତି ସପ୍ତମ ସ୍ଥାନରେ ରହିଥିଲା। ଏହି ସଂସ୍କରଣରେ ଓଡ଼ିଆ ଝିଅ ରୋସ୍‌ନାରା ପରବିନ ମଧ୍ୟ ବିଶ୍ବକପ୍ ପଦାର୍ପଣ କରିବାର ସୁଯୋଗ ପାଇଥିଲେ। ସେହିଭଳି ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ବକପ୍‌ର ଏକ ମ୍ୟାଚ୍‌ ଭୁବନେଶ୍ବରର କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ବେଳେ ଦୁଇ ଓଡ଼ିଆ ମହମ୍ମଦ ଜାଫର ଇକ୍‌ବାଲ ଏବଂ ପଙ୍କଜ ଭୁଏ ଖେଳିଥିଲେ। ସେହି ବର୍ଷ ଭାରତ ବାଙ୍ଗାଲୋର୍ ଫାଇନାଲରେ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା।
ଚେ‌ସ୍‌ରେ ବି ଓଡ଼ିଶା ଏକାଧିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଛି। ୨୦୦୯ ମସିହାରୁ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ସ ପ୍ରତିଯୋଗିତା (ପ୍ରଥମ ଦୁଇ ବର୍ଷ ଭୁବନେଶ୍ବର ଓପନ୍‌, ଏବେ କିଟ୍ ଚେସ୍ ମହୋତ୍ସବ) ଭୁବନେଶ୍ବରରେ ହେଉଛି। ୨୦୧୬ରେ କିଟ୍‌ରେ ବିଶ୍ବ କନିଷ୍ଠ ଚେସ୍ ପ୍ରତିଯୋଗିତା ବି ସମ୍ପନ୍ନ ହୋଇଛି।
ଏବେ ହକିକୁ ଫେରିବା। ଓଡ଼ିଶାରେ ପ୍ରଥମ ଥର ଏବଂ ଭାରତରେ ତୃତୀୟ ଥର ହକି ବିଶ୍ବକପ୍ ହେଉଛି। ଓଡ଼ିଶାରେ ପୂର୍ବରୁ ଦୁଇଟି ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା କିନ୍ତୁ ସମ୍ପନ୍ନ ହୋଇସାରିଛି। ଯାହାକି ଓଡ଼ିଶାକୁ ବିଶ୍ବକପ୍ ଆଣିବାରେ ବାଟ ଦେଖାଇଛି। ୨୦୧୪ରେ ଏଫଆଇଏଚ୍ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୭ରେ ବିଶ୍ବ ହକି ଲିଗ୍ ଫାଇନାଲ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ବିଶ୍ବକପ୍ ଲାଗି ଏହା ପରୋକ୍ଷ ପରୀକ୍ଷା ଭଳି ଥିଲା।
ବିଶ୍ବକପ୍ ଖେଳାଳି ସୃଷ୍ଟି କରିବାରେ ଓଡ଼ିଶା ମଧ୍ୟ ପଛରେ ନାହିଁ। ୧୯୯୮ ମସିହାରୁ ହକିରେ ଦିଲୀପ ତିର୍କି, ଲାଜରୁସ୍ ବାର୍ଲା, ଜ୍ୟୋତି ସୁନୀତା କୁଲୁ ଆରମ୍ଭ କରିଥିବା ଧାରାରେ ଇଗ୍ନେସ ତିର୍କି, ପ୍ରବୋଧ ତିର୍କି, ବୀରେନ୍ଦ୍ର ଲାକ୍ରା, ଅମିତ ‌ରୋହିଦାସ ସାମିଲ ହୋଇଛନ୍ତି। ସୁନୀତାଙ୍କୁ ପ୍ରଥମ ଓଡ଼ିଆ ବିଶ୍ବକପ୍ ଖେଳାଳିର ଗୌରବ ମିଳିଥାଏ। ବିନୀତା ଟପ୍ପୋ, ସୁଭଦ୍ରା ପ୍ରଧାନ, ମୁକ୍ତାପ୍ରଭା ବାର୍ଲା, ଦୀପ୍ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ଏବଂ ନମିତା ଟପ୍ପୋ ମଧ୍ୟ ଏହି ବିରଳ ଓଡ଼ିଆ କ୍ଲବରେ ଅଛନ୍ତି। ହକିରୁ ୧୪ ବିଶ୍ବକପ୍ ତାରକା ବାହାରିଛନ୍ତି। ଅନ୍ୟ ପ୍ରମୁଖ ଖେଳ ଗୁଡ଼ିକ ମଧ୍ୟରେ କିନ୍ତୁ ଏହା ଢେର ସୀମିତ। କ୍ରିକେଟରେ ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା, ରୋସ୍‌ନାରା ପରବିନ, ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୁଏଙ୍କ ନାମ ରହିଛି। କନିଷ୍ଠ ବିଶ୍ବକପ୍‌ରେ ରଂଜୀବ ବିଶ୍ବାଳ, ରାକେଶ ମହାନ୍ତି, ଅଂଶୁମାନ ରଥ, ରାଜୀବ ଟିକନ ରାଉତରାୟ ମଧ୍ୟ ଖେଳିଛନ୍ତି। ଚେସ୍‌ରେ ପଦ୍ମିନୀ ରାଉତ ବିଶ୍ବ ପ୍ରତିଯୋଗିତା ଖେଳିବାର ଅଭିଜ୍ଞତା ରଖିଛନ୍ତି। ଓଡ଼ିଶା କ୍ରୀଡ଼ାର ଏହି ଦୁଇ ଦଶନ୍ଧି ଦସ୍ତାବିଜ୍‌ରେ ଅଣ ଅଲିମ୍ପିକ୍ସ କ୍ରୀଡ଼ାକୁ ସାମିଲ କରାଯାଇନଥିଲା।

ସମ୍ବନ୍ଧିତ ଖବର