କ୍ଲାଗେନ୍‌ଫର୍ଟ : ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର ୧୦ ଦିନ ବାକି ଥିଲା ବେଳେ ଗତ ଥରର ବିଜେତା ଜର୍ମାନିକୁ ଝଟ୍‌କା ଲାଗିଛି। ଲଗାତାର ବିଶ୍ୱ ବିଜୟୀ ହେବା ଲକ୍ଷ୍ୟରେ ଥିବା ଜର୍ମାନି ରବିବାର ଦୁର୍ବଳ ଅଷ୍ଟ୍ରିଆଠାରୁ ଅଭ୍ୟାସ ମ୍ୟାଚ୍‌ ହାରିଯିବା ସମସ୍ତଙ୍କୁ ଚକିତ କରିଛି। କ୍ଲାଗେନ୍‌ଫର୍ଟସ୍ଥିତ ଓ୍ଵର୍ଦେର୍‌ସି ଷ୍ଟାଡିୟମରେ ଶନିବାର ରାତିରେ ଖେଳା ଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ଜର୍ମାନି ୧-୨ ଗୋଲ୍‌ ଘରୋଇ ଅଷ୍ଟ୍ରିଆଠୁ ହାରିଥିଲା। ଅଷ୍ଟ୍ରିଆ ବିପକ୍ଷରେ ଜର୍ମାନିର ଏହା ୩୨ ବର୍ଷ ଭିତରେ ପ୍ରଥମ ପରାଜୟ ଥିଲା।

Advertisment

ମେକ୍ସିକୋ ବିଜୟୀ

ମେକ୍ସିକୋ: ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ମେକ୍ସିକୋ ୧-୦ ଗୋଲ୍‌ରେ ସ୍କଟ୍‌ଲାଣ୍ଡ୍‌କୁ ପରାସ୍ତ କରିଦେଇଛି। ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ମେକ୍ସିକୋର ଏହା ୭ ମ୍ୟାଚ୍‌ରୁ ଚତୁର୍ଥ ବିଜୟ। ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ରେ ଜିଓଭାନି ଡସ୍‌ ସାଣ୍ଟୋସ୍‌ ଗୋଲ୍‌ ଦେଇ ଘରୋଇ ଦଳକୁ ଆଗୁଆ କରିଥିଲେ। ପ୍ରଥମାର୍ଧରେ ମେକ୍ସିକୋ ୧-୦ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା।

ନାଇଜେରିଆକୁ ହରାଇଲା ଇଂଲଣ୍ଡ
ଲଣ୍ଡନ୍‌: ଓ୍ଵିମ୍ବଲେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ନାଇଜେରିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌କୁ ଘରୋଇ ଇଂଲଣ୍ଡ ଦଳ ୨-୧ ଗୋଲ୍‌ରେ ଜିିତି ନେଇଛି। ଗ୍ୟାରି ଚାହିଲ୍‌ (୭ ମିନିଟ୍‌) ଏବଂ ଅଧିନାୟକ ହ୍ୟାରି କେନ୍‌ (୩୯ ମିନିଟ୍‌)ଙ୍କ ପ୍ରଥମାର୍ଧ ଗୋଲ୍‌ ସହାୟତାରେ ଇଂଲଣ୍ଡ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପାଇଥିଲା। ନାଇଜେରିଆ ପକ୍ଷରୁ ୪୭ ମିନିଟ୍‌ରେ ଆଲେକ୍ସ ଇଓ୍ଵବି ସେଥିରୁ ଗୋଟିଏ ଗୋଲ୍‌ ଶୁଝିବାରେ ସମର୍ଥ ହୋଇଥିଲେ।