କୋହଲି କର୍ନ, ଶିଖର ଚିକେନ କବାବ, ଧୋନି ଫିସ୍‌ ଫିଙ୍ଗର

ଓସିଏ କ୍ଲବ୍‌ରେ ବିଶ୍ବକପ୍‌ ସ୍ବତନ୍ତ୍ର

କଟକ: ଚଳିତ ବିଶ୍ବକପ୍‌ର ଉତ୍ସାହ ଓ ଉନ୍ମାଦନାକୁ ଦୃଷ୍ଟିରେ ରଖି ଓସିଏ କ୍ଲବ୍‌ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ବିଶେଷ କରି ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ବଡ଼ ଧରଣର କ୍ରିକେଟ ଥିମ୍‌ରେ କ୍ଲବ୍‌ର କନ୍‌ଫରେନ୍ସ ହଲ୍‌କୁ ସଜାଯାଇଛି। ହଲ୍‌ ଭିତରେ ବଡ ଏଲ୍‌ଇଡି ଡିଜିଟାଲ୍‌ ସ୍କ୍ରିନ୍‌ ଲଗାଯାଇଥିଲାବେଳେ ଚାରିଆଡେ ଭାରତୀୟ ଖେଳାଳିଙ୍କ ଫଟୋ ଲଗାଯାଇଛି। ଆଗରେ କୃତ୍ରିମ ଘାସ ଲଗାଯାଇ ସବୁଜ ପିଚ୍‌ ଓ ଵିକେଟ ରଖାଯାଇଛି।

କନ୍‌ଫରେନ୍ସ ହଲ୍‌ରେ ମ୍ୟାଚକୁ ଉପଭୋଗ କରିବା ସହିତ ସ୍ବତନ୍ତ୍ର ଧରଣର ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଖେଳାଳିଙ୍କ ନାମରେ ଉକ୍ତ ଖାଦ୍ୟଗୁଡିକୁ ଖାଇବାକୁ ଦିଆଯିବ। ଷ୍ଟାର୍ଟର ମଧ୍ୟରେ କୋହଲି ଆମେରିକାନ କର୍ନ, ଶିଖର ଚିକେନ କବାବ, ଧୋନି ଫିସ୍‌ ଫିଙ୍ଗର, ପାଣ୍ତିଆ ପିନଟ୍‌ ମସାଲା, ରାହୁଲ ଚଟପଟି ଏବ˚ ମେନ୍‌ କୋର୍ସରେ ଭୁବନେଶ୍ବର ଭେଜ୍‌ ବିରିୟାନି, ବୁମ୍‌ରା ଚିକେନ ବିରିୟାନି, ରୋହିତ ରାଇତାକୁ ସାମିଲ କରାଯାଇଛି। ଷ୍ଟାର୍ଟରଗୁଡିକର ଦର ୧୫୦ରୁ ଆରମ୍ଭ ହେଉଥିବାବେଳେ ଭେଜ୍‌ ବିରିୟାନି ୨୫୦ ଟଙ୍କା ଓ ଚିକେନ୍‌ ବିରିୟାନି ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ଲବ୍‌ର ସଦସ୍ୟ ଓ ଅତିଥିମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଦିନ ୨ଟାରୁ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ହଲ୍‌ ଖୋଲା ରହିବ ବୋଲି ଓସିଏ କ୍ଲବ୍‌ ସାଧାରଣ ପରିଚାଳକ ସୁବ୍ରତ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖାଦ୍ୟ ବାଢିବା ପାଇଁ ୧୧ଜଣିଆ ସର୍ଭିସ୍‌ ଟିମ୍‌ ମଧ୍ୟ ଚୟନ କରାଯାଇଛି। ସେମାନେ ଭାରତୀୟ ଦଳର ଜର୍ସି ପିନ୍ଧି ଖାଦ୍ୟ ପରସିବେ। କେବଳ କନ୍‌ଫରେନ୍ସ ହଲ୍‌ ନୁହେଁ ବାର‌୍‌ ମଧ୍ୟରେ ବି ବଡ ସ୍କ୍ରିନ୍‌ ଓ କ୍ରିକେଟ ଥିମ୍‌ରେ ସଜାଯାଇଛି। କିଛି ନିର୍ଦ୍ଧିଷ୍ଟ ବ୍ରାଣ୍ତର ମଦ ଉପରେ ଲକି କୁପନ ବ୍ୟବସ୍ଥା କରାଯାଇଛି। ଏଥିସହିତ ଗ୍ରାହକଙ୍କ ମନୋର˚ଜନ ପାଇଁ ଆଉ ଏକ ସ୍କ୍ରିନ୍‌ରେ ଜୟଷ୍ଟିକ୍‌ରେ ଖେଳିବା ବ୍ୟବସ୍ଥା କରାଯାଇଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର