ରାଜଗିର୍: ଏସିଆ କପ୍ ମୁକୁଟ ସହିତ ଭାରତୀୟ ହକି ଦଳ ସିଧାସଳଖ ଆସନ୍ତାବର୍ଷର ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଟିକେଟ୍ ଅର୍ଜନ କରିନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଏହି ମହାଦେଶୀୟ ମୁକୁଟ ଅର୍ଜନ କରିଛି। ପୂର୍ବରୁ ଭାରତ ୨୦୦୩ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୪-୨ରେ, ୨୦୦୭ରେ ପ୍ରବୋଧ ତିର୍କିଙ୍କ ଦଳ ୭-୨ରେ କୋରିଆକୁ ଏବଂ ୨୦୧୭ରେ ମାଲେସିଆକୁ ୨-୧ରେ ହରାଇ ବିଜେତା ହୋଇଥିଲା। ଏବେ ହର୍ମନପ୍ରୀତ୍ ସିଂହଙ୍କ ଦଳ ୮ ବର୍ଷ ପରେ ଭାରତକୁ ପୁଣି ଏସିଆ କପ୍ ବିଜୟର ସଫଳତା ଦେଇଛି। ଅନ୍ୟପକ୍ଷରେ ଷଷ୍ଠ ଥର ପାଇଁ ଏସିଆ କପ୍ ଜିତିବା ଲକ୍ଷ୍ୟରେ ଥିବା ଦକ୍ଷିଣ କୋରିଆର ସ୍ନପ୍ନକୁ ଭାରତ ଚୂରମାର୍ କରି ଦେଇଛି। ଘରୋଇ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରି ଅପରାଜେୟ ଭାବେ ବିଜେତା ହୋଇଛି। ୭ ମ୍ୟାଚ୍ରୁ ୬ ଜିତିଥିବା ବେଳେ ଏକମାତ୍ର ଡ୍ର’(୨-୨) ସେହି ଦକ୍ଷିଣ କୋରିଆ ବିପକ୍ଷ ସୁପର୍-୪ ମ୍ୟାଚ୍ରୁ ମିଳିଥିଲା।
ଓଡ଼ିଆ ସ୍ପର୍ଶ
ଏସିଆ କପ୍ ବିଜୟରେ ଏଥର ଓଡ଼ିଆ ଖେଳାଳିଙ୍କ ସ୍ପର୍ଶ ବି ରହିଥିଲା। ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍ ଅମିତ ରୋହିଦାସ ଏହି ଦଳର ଅଂଶବିଶେଷ ଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ବି ଫାଇନାଲ୍ର ଅତିଥି ଥିଲେ। ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍ ପଦକ ଜିତିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି।
ବିଶ୍ବକପ୍ର ସିଧାସଳଖ ଯୋଗ୍ୟତାକୁ ନଜରରେ ରଖି ଭାରତୀୟ ଦଳ ରବିବାର ସଙ୍କଳ୍ପବଦ୍ଧ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ଦଳକୁ ଏକ ବୈଦ୍ୟୁତିକ ଗୋଲ୍ ବି ମିଳିଥିଲା ପ୍ରଥମ ମିନିଟ୍ରେ। ମାତ୍ର ୩୧ ସେକେଣ୍ଡ୍ରେ ଏହି ସୁନ୍ଦର ଫିଲ୍ଡ ଗୋଲ୍ଟି ଦେଇଥିଲେ ସୁଖଜିତ୍ ସିଂହ। ଭାରତ ପାଇଁ ବି ଏହା ଥିଲା ସବୁଠାରୁ ଦ୍ରୁତତମ। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ୍ ସିଂହ (୨୮ ମିନିଟ୍)ଙ୍କ ଗୋଲ୍ ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲା। ସଂଜୟଙ୍କଠାରୁ ପାଇଥିବା ଫିଡ୍ରୁ ଫିକା ହେବାକୁ ଦେଇ ନଥିଲେ ଦିଲପ୍ରୀତ୍। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଟ୍ରଫିରେ ଗୋଟିଏ ହାତ ରଖି ଦେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍ଶୂନ୍ୟ ବିତିବାକୁ ଯାଉଥିବା ବେଳେ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ଅଗ୍ନେୟ ହିଟ୍ ସର୍କଲ ଭିତରେ ପହଞ୍ଚିବା ପରେ ଦିଲପ୍ରୀତ୍ (୪୫ ମିନିଟ୍) ଏହାକୁ କୋରିଆ ଗୋଲ୍ ପୋଷ୍ଟକୁ ପଠାଇ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଓଡ଼ିଆ ପୁଅ ଅମିତ ରୋହିଦାସ (୫୦ ମିନିଟ୍) ପେନାଲ୍ଟି କର୍ଣ୍ଣରରୁ ମାରିଥିବା ହିଟ୍ ଗୋଲିଙ୍କ ବାମ କର୍ଣ୍ଣରକୁ ପ୍ରବେଶ କରିବା ପୂର୍ବରୁ ଅନ୍ୟୁନ ୩/୪ ଜଣ କୋରିଆ ଡିଫେଣ୍ଡରଙ୍କୁ ଚକ୍ମା ଦେଇଥିଲା। କୋରିଆ ପାଇଁ ଶେଷକୁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲଟି ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ ଡାଏନ୍ ସନ୍ (୫୧ ମିନିଟ୍)। ତିନି ଭାରତୀୟ ଖେଳାଳି ରବିବାର ଗ୍ରିନ୍ କାର୍ଡ ପାଇବା ଏବଂ ଯୁଗରାଜ ସିଂହ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିସ୍ କରିବା ଭଳି ଘଟଣା ବି ଦେଖିବାକୁ ମିଳିଥିଲା ଏହି ଫାଇନାଲ୍ରେ। ସୁଖଜିତ୍ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍ ପୂର୍ବରୁ କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ମଧ୍ୟ ମାଲେସିଆ ୪-୧ ଗୋଲ୍ରେ ଚୀନ୍କୁ ହରାଇ ଦେଇଥିଲା।