ଭୁବନେଶ୍ବର: ଆଉ ମାତ୍ର ୪ ଦିନ ପରେ ଭୁବନେଶ୍ବରରୁ ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍ ମହିଳା) ଆରମ୍ଭ ହେବାକୁ ଯାଉଥିବା ବେଳେ ବୁଧବାର ୨୧ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଥମାସ୍ ଡେନର୍ବିଙ୍କ ପସନ୍ଦର ଶ୍ରେଷ୍ଠ ୨୧ ଜଣଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କଳିଙ୍ଗ ଷ୍ଟାଡିୟମ୍ରେ ଭାରତୀୟ ଯୁବା ଦଳ ମଙ୍ଗଳବାର ଆମେରିକା ସହ ଖେଳି ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୧୪ରେ ମରକ୍କୋ ଓ ଅକ୍ଟୋବର ୧୭ରେ ବ୍ରାଜିଲ୍ ସହିତ ନିଜର ଅବଶିଷ୍ଟ ଗ୍ରୁପ୍ ‘ଏ’ ଲିଗ୍ ମ୍ୟାଚ୍ ଖେଳିବ। ଗ୍ରୁପ୍ ‘ବି’ର ଅନ୍ତିମ ଲିଗ୍ ମ୍ୟାଚ୍ ନାଇଜେରିଆ ଓ ଚିଲି ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ। ଭାରତର ସମସ୍ତ ୩ ଲିଗ୍ ମ୍ୟାଚ୍ ସହିତ କଳିଙ୍ଗ ଷ୍ଟାଡିୟମ୍ରେ ମୋଟ ୬ ମ୍ୟାଚ୍ ଖେଳାଯିବ।
ବିଶ୍ବକପ୍ର ପୂର୍ଣ୍ଣାଙ୍ଗ ଖେଳ ସୂଚୀ ଉପରେ ନଜର ପକାଇଲେ ଅନ୍ୟ ୩ ଗ୍ରୁପ୍ର ଲିଗ୍ ମ୍ୟାଚ୍ ଗୋଆ ଓ ନଭି ମୁମ୍ବାଇରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ଅକ୍ଟୋବର ୩୦ରେ ଖେଳାଯିବ। ‘ଏହା ପ୍ରତି ଭାରତୀୟ ଖେଳାଳିଙ୍କ ପାଇଁ ନୂଆ ପରିସ୍ଥିତି ନେଇଆସିଛି। ଭାରତୀୟ ଯୁବା ଦଳ କେବେ ବି ପୂର୍ବରୁ ବିଶ୍ବକପ୍ ଖେଳିନାହିଁ। ସେହି ଦୃଷ୍ଟିରୁ ଏହା ଭିନ୍ନ ବଲ୍ର ଖେଳ ହେବ। ଭାରତୀୟ ଖେଳାଳିଙ୍କ ପାଇଁ ନିଜକୁ ଭଲ ପ୍ରସ୍ତୁତି କରିବାର ଏହା ଅପୂର୍ବ ସୁଯୋଗ। କୌଣସି ଦଳ ଆମ ଉପରେ ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। ମୁଁ ଶ୍ରେଷ୍ଠ ୨୧ ଜଣଙ୍କୁ ବାଛିଛି’ ବୋଲି ପ୍ରଶିକ୍ଷକ ଥମାସ୍ ଡେନର୍ବି ପ୍ରକାଶ କରିଛନ୍ତି।
ଭାରତୀୟ ଯୁବା ଦଳ
ଗୋଲ୍ରକ୍ଷିକା: ମୋନାଲିସା ଦେବୀ ମୋଇଙ୍ଗଦମ୍, ମେଲୋଡି ଚାନୁ କେଇସମ୍, ଅଞ୍ଜଳି ମୁଣ୍ଡା। ଡିଫେଣ୍ଡର୍ସ: ଆସ୍ତମ ଓରାଁ, କାଜଲ, ନିକିତା, ପୂର୍ଣ୍ଣିମା କୁମାରୀ, ବାର୍ଷିକା, ଶିଳ୍ପୀ ଦେବୀ ହେମମ୍। ମିଡଫିଲ୍ଡର୍ସ: ବବିନା ଦେବୀ ଲିସାମ୍, ନୀତୁ ଲିଣ୍ଡା, ଶୁଭାଙ୍ଗୀ ସିଂହ। ଫରୱାର୍ଡସ୍: ଅନୀତା କୁମାରୀ, ଲିଣ୍ଡା କମ୍ ସେର୍ତୋ, ନେହା, ରେଜିଆ ଦେବୀ ଲାଇଶ୍ରମ୍, ସେଲିଆ ଦେବୀ ଲୋକ୍ଟୋଙ୍ଗବାମ୍, କାଜଲ ହୁବର୍ଟ ଡି’ସୁଜା, ଲାବଣ୍ୟ ଉପାଧ୍ୟାୟ, ସୁଧା ଅଙ୍କିତା ତିର୍କି।
ଭୁବନେଶ୍ବରରେ ବ୍ରାଜିଲ୍ ଦଳର ଅଭ୍ୟାସ
ଆସନ୍ତା ସପ୍ତାହରୁ ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍) ଖେଳିବାକୁ ବୁଧବାର ଭୁବନେଶ୍ବର ପହଞ୍ଚିଥିବା ବ୍ରାଜିଲ୍ ଦଳ ଗୁରୁବାରଠାରୁ ପ୍ରଶିକ୍ଷକ ସିମୋନ ଜାତୋବାଙ୍କ ତତ୍ତ୍ବାବଧାନରେ କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ ଆରମ୍ଭ କରିଛି। ବ୍ରାଜିଲ୍ ଓ ଫୁଟ୍ବଲ୍ ପରିପୂରକ ଭଳି ହୋଇଥିଲେ ମଧ୍ୟ ଏହାର ଯୁବା ଦଳ କେବେ ବିଶ୍ବକପ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ଉଠିପାରିନଥିବାରୁ ଏଥର ପ୍ରଭାବ ଛାଡ଼ିବା ଲକ୍ଷ୍ୟରେ ରହିଛି। ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଥିବା ଏହି ଦଳ କଳିଙ୍ଗ ଷ୍ଟାଡିୟମ୍ରେ ହିଁ ନିଜର ସମସ୍ତ ୩ ମ୍ୟାଚ୍ ଖେଳିବ। ୪ ଦଳୀୟ ଗ୍ରୁପ୍ ‘ଏ’ର ଶୀର୍ଷ ୪ ଦଳ ନକ୍ ଆଉଟ୍ ପର୍ଯ୍ୟାୟ (କ୍ବାର୍ଟରଫାଇନାଲ୍)କୁ ଉନ୍ନୀତ ହେବେ। ଆୟୋଜକ ଭାବେ ଭାରତୀୟ ଯୁବାମାନେ ବିଶ୍ବକପ୍ ପଦାର୍ପଣର ସୁଯୋଗ ପାଇବେ।
ଟିକେଟ୍ ବିକ୍ରି ଜାରି
ଫିଫା ଯୁବା ବିଶ୍ବକପ୍ ପାଇଁ ଅନ୍ଲାଇନ୍ ଓ ଅଫଲାଇନ୍ ଟିକେଟ୍ ବିକ୍ରି ଜାରି ରହିଛି। ଟିକେଟ୍ର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରଖାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪-ଏ ନିକଟ କାଉଣ୍ଟରରୁ ଫୁଟ୍ବଲ୍ ପ୍ରଶଂସକମାନେ ଟିକେଟ୍ କିଣି ପାରିବେ। ମ୍ୟାଚ୍ ନଥିବା ଦିନ ପୂର୍ବାହଣ ୧୧ରୁ ସଂଧ୍ୟା ସଂଧ୍ୟା ୬ ଯାଏ ଏବଂ ମ୍ୟାଚ୍ ଦିନ ପୂର୍ବାହ୍ଣ ୧୧ରୁ ଦ୍ବିତୀୟ ମ୍ୟାଚ୍ ଆରମ୍ଭ ପର୍ଯ୍ୟନ୍ତ ଏହା ମିଳିବ। ଅକ୍ଟୋବର ୧୧, ୧୪, ୧୭ ତାରିଖରେ ଦୁଇଟି ଲେଖାଏଁ ମ୍ୟାଚ୍ ଯଥାକ୍ରମେ ଅପରାହ୍ଣ ୪.୩୦ ଓ ରାତି ୮.୦୦ରେ ଖେଳାଯିବ। ଅନ୍ଲାଇନ୍ ଟିକେଟ୍ ମଧ୍ୟ fifa.com/ticketsରେ ଉପଲବ୍ଧ ରହିଛି। ୧୮ ବର୍ଷରୁ କମ୍ ବୟସର ଦର୍ଶକଙ୍କ ସହ ଜଣେ ବୟସ୍କ ଆସିଥିବା ବାଞ୍ଚନୀୟ। ୨ ବର୍ଷରୁ କମ୍ ବର୍ଷର ଦର୍ଶକଙ୍କ ପାଇଁ ଟିକେଟ୍ ଆବଶ୍ୟକ ନାହିଁ।