ନୂଆଦିଲ୍ଲୀ: ୧୯୮୩ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ତଥା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଓ ଫିଲଡିଂ ଅଲ୍‌ରାଉଣ୍ଡର୍‌ ୟଶପାଲ୍ ସିଂହଙ୍କର ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୬ ବର୍ଷ ହୋଇଥିଲ। ପତ୍ନୀ, ଦୁଇ କନ୍ୟା ଓ ପୁତ୍ରଙ୍କୁ ସେ ଛାଡ଼ିଯାଇଛନ୍ତି। ମଙ୍ଗଳବାର ପ୍ରାତଃଭ୍ରମଣ ସାରି ଘରକୁ ଫେରିବା ପରେ ୟଶପାଲ୍ ହଠାତ ଅଚେତ ହୋଇପଡ଼ିଥିଲେ। ଜୋରଦାର ହୃଦଘାତ୍‌ କାରଣରୁ ଏହା ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଭାରତ ପାଇଁ ୩୭ ଟେଷ୍ଟ୍‌ ଓ ୪୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ୟଶପାଲ୍‌ ଯଥାକ୍ରମେ ୧୬୦୬ ଓ ୮୮୩ ରନ୍‌ ସଂଗ୍ରହ କରିଥିଲେ। ତେବେ ୧୯୮୩ ବିଶ୍ବକପ୍ ବିଜୟରେ ତାଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା। ୮ ମ୍ୟାଚ୍‌ ଖେଳି ୩୪.୨୮ ହାରରେ ୨୪୦ ରନ୍‌ ସଂଗ୍ରହ କରି ଦ୍ବିତୀୟ ଅଗ୍ରଣୀ ସ୍କୋରର୍‌ ରହିଥିଲେ। ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୟଶପାଲଙ୍କ ଷ୍ଟ୍ରୋକ୍‌ ଭରା ଅର୍ଦ୍ଧଶତକ (୬୧) ଏବେ ବି ସ୍ମୃତିକୁ ତାଜା ରହିଛି।

Advertisment

ୟଶପାଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ‌‌ଭେଙ୍ଗସରକାର। ‘ବିଶ୍ବାସ କରି ହେଉନି, ଦୁଇ ସପ୍ତାହ ତଳେ ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଆମେ ଏକାଠି ହୋଇଥିଲୁ। ଆମ ସମସ୍ତଙ୍କ ଭିତରୁ ସେ ସବୁଠାରୁ ଫିଟ୍‌ ଥିଲେ। ସେ ଜଣେ ସାକାହାରୀ ମଧ୍ୟ ଥିଲେ। ଭାରି ନିଷ୍ଠାବାନ ଥିବାରୁ ରାତ୍ରୀ ଭୋଜନରେ କେବଳ ସୁପ୍‌ ନେଉଥିଲେ ଏବଂ ନିୟମିତ ପ୍ରାତଃଭ୍ରମଣରେ ଯାଉଥିଲେ’ ବୋଲି ଭେଙ୍ଗସରକାର ପ୍ରକାଶ କରିଛନ୍ତି। ଖେଳାଳି ଭାବେ ସେ ଜଣେ ସଚ୍ଚା ଦଳୀୟ ବ୍ୟକ୍ତି ଏବଂ ଲଢ଼ୁଆ ଚରିତ୍ରର ଥିଲେ। ୧୯୭୯ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷରେ ତାଙ୍କ ସହ ‌ହୋଇଥିବା ଭାଗୀଦାରି ମୋ ମନେ ପଡ଼ୁଛି। (ୟଶପାଲ୍‌ ୬୦ ଏବଂ ଭେଙ୍ଗସରକାର ୧୪୬* ରନ୍‌ କରିଥି‌ଲେ)। ଏହି ଭାଗୀଦାରି କାରଣରୁ ଭାରତ ମ୍ୟାଚ୍‌ ବଞ୍ଚାଇ ପାରିଥିଲା। ମୁଁ ତାଙ୍କୁ ବିଶ୍ବବିଦ୍ୟାଳୟ ସ୍ତରରୁ ଜାଣିଥିଲି। ‌ସେ ଏବେ ନାହାନ୍ତି ବୋଲି ମୋର ବିଶ୍ବାସ ହେଉନାହିଁ’ ବୋଲି ଭେଙ୍ଗସରକାର ପ୍ରକାଶ କରିଥିଲେ।

୨୦୦୦ ମସିହା ପ୍ରାରମ୍ଭରେ ୟଶପାଲ୍‌ ବିସିସିଆଇର ବରିଷ୍ଠ ଚୟନକର୍ତା ଥିଲେ ଏବଂ ୨୦୦୪ରେ ମହେନ୍ଦ୍ର ସିଂହ ‌ଧୋନିଙ୍କ ପ୍ରଥମ ଜାତୀୟ ଡାକରା ବେ‌ଳେ ସେ ଅନ୍ୟତମ ସଦସ୍ୟ ଥିଲେ। ୨୦୧୧ ମସିହାରେ ବିଶ୍ବକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ବାଛିଥିବା ଚୟନ ସମିତିର ମଧ୍ୟ ସେ ଅନ୍ୟତମ ସଦସ୍ୟ ଥିଲେ। ୨୦୦୬ ମସିହାରେ ସୌରଭ ଗାଙ୍ଗୁଲିଙ୍କ ସହ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କ ବିବାଦ ବେଳେ ମଧ୍ୟ ୟଶପାଲ୍‌ ସର୍ବଦା ଗାଙ୍ଗୁଲିଙ୍କୁ ସମର୍ଥନ ଦେଇ ଆସିଥିଲେ। ‌‘ସେ ଜଣେ ଭଲ ଚୟନକର୍ତା ଏବଂ ମହାନ ଖେଳାଳି ଥିଲେ’ ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ସଭାପତି ଏନ୍ ଶ୍ରୀନିବାସନ।

ରଣଜୀ ଟ୍ରଫିରେ ୟଶପାଲ୍‌ ୩ ଦଳ ପଞ୍ଜାବ, ହରିୟାଣା ଓ ରେଳବାଇ ପାଇଁ ଖେଳିଥିଲେ। ମିଳିତ ଭାବେ ୧୬୦ ମ୍ୟାଚ୍‌ ଖେଳି ୨୧ ଶତକ ସହ ୮,୯୩୩ ରନ୍‌ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ୨୦୧* ରନ୍‌ କରିଥିଲେ। ୟଶପାଲ୍ ମଧ୍ୟ ଅମ୍ପାୟାରିଂ କରିଥିଲେ ଏବଂ କିଛି ମହିଳା ଦିନିକିଆ ମ୍ୟାଚ୍‌ ପରିଚାଳନା କରିଥିଲେ। ଉତ୍ତରପ୍ରଦେଶ ରଣଜୀ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ‘ଆମ ଭିତରେ ଭଲ ବଂଧୁତା ଥିଲା। ଏବେ ବି ମୋର ୧୯୮୩ ବିଶ୍ବକପ୍‌ର ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚ୍‌ ମନେ ଅଛି। ଇଣ୍ଡିଜର ଘାତକ ପେସ୍‌ ବୋଲିଂ ବିପକ୍ଷରେ ସେ ସାହସିକ ବ୍ୟାଟିଂ କରି ୮୯ ରନ୍‌ କରିଥିଲେ ଏବଂ ଭାରତ ଜିତିଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଅର୍ଦ୍ଧଶତକ (୬୧) ସହ ବବ୍‌ ୱିଲିସଙ୍କ ବିପକ୍ଷ ଛକା ମଧ୍ୟ ମୋର ମନେ ଅଛି’ ବୋଲି କହିଥିଲେ ସାଥୀ ଖେଳାଳି କୀର୍ତ୍ତି ଅଜାଦ। ଏବେ ରବୀନ୍ଦ୍ର ଜାଦେଜାଙ୍କ ଫିଲଡିଂ ଯେଭଳି ଚର୍ଚ୍ଚାରେ ରହୁଛି ୟଶପାଲ୍ ସେଭଳି କାର୍ଯ୍ୟ କରୁଥିଲେ। ସବୁବେଳେ ତାଙ୍କ ଥ୍ରୋ ଷ୍ଟମ୍ପ୍‌ରେ ବାଜୁଥିଲା ବୋଲି ମଧ୍ୟ ଆଜାଦ ମନେ ପକାଇଥିଲେ। ଖେଳାଳି, ଚୟନକର୍ତା, ପ୍ରଶିକ୍ଷକ, ଅମ୍ପାୟାର, ଭ‌ାଷ୍ୟକାର ଭାବେ ସେ ଜଣେ ଅଲରାଉଣ୍ଡର୍‌ ତଥା ବିବିଧ ପ୍ରତିଭାର ଅଧିକାରୀ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଶୋକ
ୟଶପାଲ୍ ଶର୍ମାଙ୍କ ବି‌‌ୟୋଗ ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ‘ଭାରତୀୟ କ୍ରିକେଟ୍ ଦଳରେ ୟଶପାଲ୍ ଶର୍ମା ଜୀ ଥିଲେ ସବୁଠୁ ପ୍ରିୟ ବ୍ୟକ୍ତିତ୍ବ। ୧୯୮୩ ମସିହାର ବିଶ୍ବକପ୍‌ ବିଜୟୀ ସଦସ୍ୟ ଭାବେ ସେ ଅର୍ଜନ କରିଥିବା ଖ୍ୟାତି ଦଳୀୟ ସାଥୀ, ଯୁବ ଖେଳାଳି ଓ ପ୍ରଶଂସକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା। ୟଶପାଲଙ୍କ ଦେହାନ୍ତ ଖବର ଦୁଃଖ ଦେଇଛି’ ବୋଲି ମୋଦୀ ପ୍ରକାଶ କରିଛନ୍ତି।