ଭୁବନେଶ୍ୱର: ଯାତାୟତ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପାଇଁ ବାଇସାଇକେଲ୍‌ ନିଶ୍ଚିତ ଭାବେ ଏକ ଅଭିଜ୍ଞତା, ଅନୁଭବ ଏବଂ ପସନ୍ଦର ପ୍ରକି୍ରୟା। ତେବେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ସହରୀକରଣ ପ୍ରଭାବରେ ବାଇସାଇକେଲ୍‌ କ୍ରମେ ଦୁର୍ଲଭ ହେବାରେ ଲାଗିଛି। ତଥାପି ସ୍ୱାସ୍ଥ୍ୟ, ପରିବେଶ, ଶାରୀରିକ ଦୃଢ଼ତା ଓ ସକ୍ଷମତା ଆଦି ପ୍ରସଙ୍ଗ ଆସିଲେ ବାଇସାଇକେଲ୍‌ର ଗୁରୁତ୍ୱ କ୍ରମେ ଫେରୁଥିବା ପରିଲିଖିତ ହେଉଛି। ସବୁଠାରୁ ବଡ଼ କଥା ହେଉଛି ଏଭଳି ଗୁରୁତ୍ୱକୁ ବିଳମ୍ବରେ ହେଲେ ବି ବୁଝିଛି ଜାତିସଂଘ। ଚଳିତ ବର୍ଷଠାରୁ ‘ବିଶ୍ୱ ବାଇସାଇକେଲ୍‌ ଦିବସ’ ପାଳିତ ହେବାକୁ ଯାଉଛି ଜୁନ ୩ ତାରିଖରେ। ବିଶ୍ୱ ପରିବେଶ ଦିବସ (ଜୁନ ୫)ର ଠିକ୍‌ ଦୁଇ ଦିନ ପୂର୍ବରୁ ଏହା ପାଳିତ ହେବ ପ୍ରଥମ ଥର। ଚଳିତ ବର୍ଷ ଏପ୍ରିଲ୍‌ ୧୨ ତାରିଖରେ ନ୍ୟୁୟର୍କ ସିଟିରେ ଅନୁଷ୍ଠିତ ଜାତିସଂଘର ସାଧାରଣ ସମ୍ମିଳନୀର ୭୨ତମ ନିୟମିତ ଅଧିବେଶନରେ ଏହି ଦିବସକୁ ସ୍ୱୀକୃତି ମିଳିଛି। ଉପସ୍ଥିତ ୧୯୩ ଦେଶର ପ୍ରତିନିଧିଙ୍କ ସହମତିରେ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଘୋଷଣାନାମାରେ ବିଭିନ୍ନ ଦେଶର ବିକାଶରେ ଏହାକୁ ଉତ୍ସାହିତ କରିବାକୁ କୁହାଯାଇଛି। ଏହି ଘୋଷଣାନାମାକୁ ଉଲ୍ଲସିତ ଢଙ୍ଗରେ ସ୍ୱାଗତ କରିଛି ଭୁବନେଶ୍ୱରର ଅନୁଷ୍ଠାନ ‘ଓ୍ଵି ଅଲ୍‌ ରାଇଡ୍‌ ବାଇସାଇକେଲ୍‌’। ଏହା ଆମ ପାଇଁ ଏକ ସ୍ମରଣୀୟ ମୁହୂର୍ତ। ଜାତିସଂଘର ମୋହର ବାଜିବା ପରେ ସାଇକେଲ ଚାଳନା କ୍ଷେତ୍ରରେ ଏକ ନୂଆ ଦିଶା ଆସିଯିବ। ଏହି ଛୋଟିଆ ପଦକ୍ଷେପ ସମାଜର ସାମଗ୍ରିକ ବିକାଶକୁ ପରିମାର୍ଜିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ଡକ୍ଟର ପୀୟୂଷ ରଂଜନ ରାଉତ। ବାଇସାଇକେଲ୍‌ ଦିବସ ସାଇକେଲ ଚାକକମାନଙ୍କ ସମ୍ମାନ ଓ ଅଧିକାରକୁ ନିଶ୍ଚିତ କରିବାରେ ନ ଥିଲେ ମଧ୍ୟ ଭବିଷ୍ୟତ ପାଇଁ ଆଶାର ଆଲୋକ ଦେଖାଇଛି। ଜଣେ ଅର୍ବାନ୍‌ ପ୍ଲାନର୍‌ ତଥା ଉତ୍ସାହୀ ସାଇକ୍ଲିଷ୍ଟ ଭାବେ ମୁଁ ଏହି ବହୁ ପ୍ରତୀକ୍ଷିତ ନିଷ୍ପତ୍ତିକୁ ସ୍ୱାଗତ କରୁଛି ବୋଲି କହିଥିଲେ ଡକ୍ଟର ରାଉତ।
ବାଇସାଇକେଲର ଯାତ୍ରା ୧୮୧୬ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ଭବତଃ ପ୍ରତି ବ୍ୟକ୍ତିଙ୍କ ପାଇଁ ଏହା ପ୍ରଥମ ପସନ୍ଦ ଭଳି। କିନ୍ତୁ ସାଇକେଲ୍‌ ସହର ଭାବେ ଖ୍ୟାତି ରଖିଥିବା କୋପେନହାଗେନ୍‌ ଓ ଆମଷ୍ଟର୍‌ଡାମ୍‌କୁ ଆମେ ଅନୁସରଣ କରିବା କଥା। ଭୁବନେଶ୍ୱରକୁ ଏହି ଧାରାରେ ସାମିଲ କରିବାର ସ୍ୱପ୍ନ ଓ ସଙ୍କଳ୍ପରେ ରହିଛି ‘ଓ୍ଵି ଅଲ୍‌ ରାଇଡ୍‌ ବାଇସାଇକେଲ୍‌’। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ପୁରୀ ଆଦି ସହରରେ ଲୋକମାନେ ବାଇସାଇକେଲ୍‌ରେ କର୍ମକ୍ଷେତ୍ରକୁ ନ ଯିବା ଆମ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ବିଶ୍ୱର ସବୁଠୁ ବାଇସାଇକେଲ୍‌ ପ୍ରିୟ ସହର ହୋଇପାରିବ ବୋଲି କହିଛନ୍ତି ସହର ଯୋଜନାକାରୀ ଡକ୍ଟର ରାଉତ। କିନ୍ତୁ ଭୁବନେଶ୍ୱର ରାଜରାସ୍ତାରେ ବାଇସାଇକେଲ୍‌ ପାଇଁ ବାଟ ରଖିବା ଆଉ ସୁଦୂର ପରାହତ ନ ନଥିବାରୁ ସିଓଲ୍‌, ମାଷ୍ଟ୍ରିଚ୍‌, ଲଣ୍ଡନ୍‌ ଭଳି ଭୁବନେଶ୍ୱରରେ ମଧ୍ୟ ଖୁବ୍‌ ଶୀଘ୍ର ପିଲାମାନେ ବିଦ୍ୟାଳୟକୁ ବାଇସାଇକେଲ୍‌ରେ ଯିବା ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଭାରତର ବହୁ ସହର ଏଭଳି ଯୋଜନାରେ ଥିବାରୁ ଭୁବନେଶ୍ୱର ବିଶ୍ୱର ଶ୍ରେଷ୍ଠ ତାଲିକାରେ ରହିବା ଆଶା କରିପାରିବା।