ଓଡ଼ିଶାରେ ହେବ ବିଶ୍ୱ ଫୁଟ୍‌ଭଲି ପ୍ରତିଯୋଗିତା

ଭୁବନେଶ୍ୱର: ଭାରତ ପଦାର୍ପଣର ମାତ୍ର କିଛି ବର୍ଷ ଭିତରେ ଅହେତୁକ ଲୋକପ୍ରିୟତା ହାସଲ କରିଥିବା ବ୍ରାଜିଲ ଜନ୍ମିତ ଖେଳ ‘ଫୁଟ୍‌ଭଲି’ ଓଡ଼ିଶାରେ ମଧ୍ୟ ତା’ର କାୟା ବିସ୍ତାର କରି ଚାଲିଛି। ଜାତୀୟ ପ୍ରତିଯୋଗିତାରେ ତୃତୀୟ ଥର ଖେଳି ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ଓଡ଼ିଶା ବିଜେତା ହେବା ରାଜ୍ୟରେ ଫୁଟ୍‌ଭଲିର ବଢ଼ି ଚାଲିଥିବା ଲୋକପ୍ରିୟତାକୁ ଦର୍ଶାଉଛି। ଏଥିରେ ଉତ୍ସାହିତ ହୋଇ ଓଡ଼ିଶା ଫୁଟ୍‌ଭଲି ସଂଘ ଚଳିତ ବର୍ଷ ଦୁଇଟି ବଡ଼ ପ୍ରତିଯୋଗିତା ରାଜ୍ୟରେ ଆୟୋଜନ କରିବାକୁ ଯାଉଛି। ପୁରୀରେ ସପ୍ତମ ଜାତୀୟ ଫୁଟ୍‌ଭଲି ପ୍ରତିଯୋଗିତା ଆୟୋଜନ ହେବା ଏକ ପ୍ରକାର ନିଶ୍ଚିତ ଥିଲା ବେଳେ ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରେ ସେହି ପୁରୀରେ ବିଶ୍ୱ ପ୍ରତିଯୋଗିତା ଆୟୋଜନ କରିବାକୁ ସଂଘ ଲକ୍ଷ୍ୟ ରଖିଛି। ଏଥିଲାଗି ଦିନ ଓ ତାରିଖ କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ସବୁକିଛି ଠିକ୍‌ ଠାକ୍‌ ରହିଲେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଦେଖିବାର କିଛି ଦିନ ପରେ ପୁରୀ ବେଳାଭୂମିରେ ଓଡ଼ିଶା କ୍ରୀଡ଼ାପ୍ରେମୀ ଆଉ ଏକ ବିଶ୍ୱକପ୍‌ ଦେଖିବାର ସୁଯୋଗ ପାଇବେ। ଫୁଟ୍‌ଭଲି ବିଶ୍ୱକପ୍‌ କିନ୍ତୁ ସେମାନଙ୍କ ପାଇଁ ନିଆରା ମଜା ନେଇ ଆସିବ। ବିଶ୍ୱ ପ୍ରତିଯୋଗିତାରେ ଅନ୍ୟୁନ ୨୦ ଦେଶର ପାଖା ପାଖି ୧୬୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଜାତୀୟ ବିଜେତା ସମ୍ବର୍ଧିତ କେରଳର କୋଝିକୋଡ଼ଠାରେ ଆୟୋଜିତ ଷଷ୍ଠ ଜାତୀୟ ଫୁଟ୍‌ଭଲିର ଉଭୟବର୍ଗରେ ବିଜେତା ଆଖ୍ୟା ଅର୍ଜନ କରି ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଥିବା ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ଫୁଟ୍‌ଭଲି ସଂଘ ବୁଧବାର ସମ୍ବର୍ଧିତ କରିଛି। ପୁରୁଷ ଏବଂ ମହିଳା ଦଳର ୮ ଜଣ ଖେଳାଳିଙ୍କୁ ଏହି ଅବସରରେ ସାଲ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରାଯାଇଥିଲା। ୬ ଜଣ ଖେଳାଳି ଏଥିରେ ନିଜେ ଉପସ୍ଥିତ ଥିଲା ବେଳେ ଦୁଇ ଜଣ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ଥିଲେ। ଦଳର ପ୍ରଶିକ୍ଷକ ସୁଜିତ ଦାସ ଏବଂ ସଂଘର କେତେକ କର୍ମକର୍ତାଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ସଂଘର ସଭାପତି ସତ୍ୟବ୍ରତ ରଥ, ସଂପାଦକ ସୁଶାନ୍ତ କୁମାର ବେହେରା, ପ୍ରତିଷ୍ଠାତା ତଥା ମୁଖ୍ୟ ପରାମର୍ଶଦାତା ନୀଳ ମାଧବ ନନ୍ଦ, ଅନ୍ତର୍ଜାତୀୟ ରେଫରି ସୁଜିତ କୁମାର ପାତ୍ର, ଜାତୀୟ ମହିଳା ରେଫରି ଚିନି ମୋନିକା, ରାଉରକେଲା ଫୁଟବଲ୍‌ ସଂଘର ଉପସଭାପତି ରୁପ୍‌ ନାୟରାୟଣ, ସଂଘର କାର୍ଯ୍ୟକାରୀ ସଂପାଦକ ସହଦେବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାକୁ ଜାତୀୟ ପ୍ରତିଯୋଗିତାରେ ବିଜେତା କରାଇଥିବା ଖେଳାଳି ମାନେ ହେଲେ ରାଜେଶ କୁମାର ବେହେରା, ମନୋଜ କୁମାର ସେଠୀ, ବିବେକାନନ୍ଦ ସାହୁ, ରୋହନ ପ୍ରସାଦ ମଲ୍ଲିକ, ତୁଳଶୀ ବେହେରା, ଦୀପିକା ଲାକ୍ରା, ସୁପ୍ରିତୀ ବାରଓ୍ଵା, ସ୍ମୃତି ସ୍ମିତା ଛୋଟରାୟ। ଏମାନଙ୍କ ମଧ୍ୟରୁ ଦୀପିକା ଓ ସୁପ୍ରିତି ଆଜିର ଉତ୍ସବରେ ଅନୁପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଓଡ଼ିଶାର ମନୋଜ କୁମାର ସେଠୀ ଏବଂ ତୁଳଶୀ ବେହେରା କୋଝିକୋଡ଼ ଜାତୀୟ ପ୍ରତିଯୋଗିତାର ପୁରୁଷ ଏବଂ ମହିଳା ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସତ୍ୟବ୍ରତ ଜାତୀୟ ସଂଘ ଉପସଭାପତି
ଓଡ଼ିଶା ରାଜ୍ୟ ଫୁଟ୍‌ଭଲି ସଂଘର ସଭାପତି ସତ୍ୟବ୍ରତ ରଥ ଜାତୀୟ ଫୁଟବଲ୍‌ ଭଲି ମହାସଂଘ ଏବଂ ଦକ୍ଷିଣ ଏସିଆ ଫୁଟ୍‌ଭଲି ମହାସଂଘର ଉପସଭାପତି ନିଯୁକ୍ତ ହୋଇଛନ୍ତି। କେରଳର କୋଝିକୋଡ଼ରେ ଆୟୋଜିତ ଜାତୀୟ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି। ଯାହା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଏଥିଲାଗି ରାଜ୍ୟ ସଂଘ ପକ୍ଷରୁ ଜାତୀୟ ସଂଘର ସଭାପତି ରାମ ଅବତାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ସହଯୋଗ ଏବଂ ସମର୍ଥନ ପାଇଁ ସତ୍ୟବ୍ରତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର