ଅନ୍‌ଲାଇନ୍ କ୍ରେତାଙ୍କୁ ଟିକେଟ୍ ପ୍ରଦାନ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ଅନ୍‌ଲାଇନରେ ଟିକେଟ୍ କିଣିଥିବା କ୍ରୀଡ଼ାପ୍ରେମୀଙ୍କୁ ଗୁରୁବାରଠାରୁ ଅସଲି ଟିକେଟ୍ ପ୍ରଦାନ ଆରମ୍ଭ କରାଯାଇଛି। ଅନ୍‌ଲାଇନରେ କରିଥିବା ବୁକିଂର ପ୍ରିଣ୍ଟଆଉଟ୍ ସହ ନିଜ ପରିଚୟ ପ୍ରମାଣପତ୍ର ଦେଖାଇ ସେମାନେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରି ପାରିବେ। ଏହି କାଉଣ୍ଟର ସକାଳ ୧୦ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସୂଚନାଯୋଗ୍ୟ ଯେ ବିଶ୍ବକପ୍ ଲାଗି ଚଳିତ ମାସ ୫ ତାରିଖରୁ ଅଫ୍‌ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ କରାଯାଇଛି। ଯାହାକୁ ନେଇ ସମଗ୍ର ରାଜ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଟିକେଟ୍ ବିକ୍ରି ଅଧିକାର ପ୍ରଦାନ କରାଯାଇଥିବା ଆଉଟ୍‌ଲେଟ ଏବଂ କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର-୯ରେ ଖୋଲା ଯାଇଥିବା ବକ୍ସ ଅଫିସରେ ମାତ୍ର କିଛି ସମୟ ମଧ୍ୟରେ ଭାରତ ମ୍ୟାଚ୍‌ର ଟିକେଟ୍ ଶେଷ ହୋଇଯାଇଥିଲା। ଅନ୍ୟ ମ୍ୟାଚ୍‌ଗୁଡ଼ିକର ଟିକେଟ୍ ବିକ୍ରି ମଧ୍ୟ ଜୋରସୋର୍‌ରେ ଚାଲିଛି। ବିଶ୍ବକପ୍ ଆଉ ମାତ୍ର ୨୦ ଦିନ ଥିଲା ବେଳେ ଆୟୋଜକ ଭାରତ ତା’ର ଅଭିଯାନ ଆସନ୍ତା ୨୮ ତାରିଖରେ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ପୁଲ୍ ସିରେ ଥିବା ଭାରତ ଡିସେମ୍ବର ୨ରେ ବେଲଜିୟମ ଏବଂ ୮ରେ କନାଡା ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର