ଗୁଆହାଟୀ: ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତ‌ାରେ ଭାରତର ପଦକ ମରୁଡ଼ି ‌ଦେଢ଼ ଦଶନ୍ଧି ପରେ ଦୂର ହୋଇଛି। ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତୀୟ ଯୁବ ତାରକା ତନ୍ବୀ ଶର୍ମା ଏଠାରେ ଆୟୋଜିତ ୨୪ତମ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତ‌ାର ବାଳିକା ଏକକରେ ‌ରୌପ୍ୟ ପଦକ ଜିତି ନେଇଛନ୍ତି। ତେବେ ପଞ୍ଜାବର ଏହି ୧୬ବର୍ଷୀୟା  ଝିଅ ଦେଢ଼ ଦଶନ୍ଧିରୁ ଅଧିକ ସମୟ ଭିତରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସ୍ବପ୍ନକୁ ପୂରଣ କରିପାରି ନାହାନ୍ତି। ସାଇନା ନେହୱାଲ ଏବଂ ଅପର୍ଣ୍ଣା ପୋପଟଙ୍କ ପରେ ତୃତୀୟ ଭାରତୀୟ ଭାବେ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଥିବା ତନ୍ବୀ ଦ୍ବିତୀୟ ସିଡ୍ ତଥା ଥାଇଲାଣ୍ଡର ଆନ୍ୟପତ ଫିଜିପ୍ରିଚସ୍କାଙ୍କଠାରୁ ୭-୧୫, ୧୨-୧୫ରେ ହାରି ବିଜେତା ହେବାର ସୁଯୋଗ ହାତଛଡ଼ା କରିଛନ୍ତି।

Advertisment

ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ ଶେଷ ଥର ଲାଗି ୨୦୦୬ରେ ‌ରୌପ୍ୟ ଏବଂ ୨୦୦୮ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପୂର୍ବରୁ ଅପର୍ଣ୍ଣା ୧୯୯୬ ମସିହାରେ ରୌପ୍ୟ ପଦକ ପାଇଥିଲେ। ଏହା ମଧ୍ୟ ଥିଲା ଦେଶ ପାଇଁ ପ୍ରଥମ ବିଶ୍ବ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍ ବାଳିକା ଏକକ ବର୍ଗ ପଦକ। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ର ପ୍ରଥମ ସେଟ୍‌ରେ ଭଲ ଆରମ୍ଭ କରିବା ସତ୍ତ୍ବେ ତନ୍ବୀ ଏହାକୁ ୮ ପଏଣ୍ଟ୍ ବ୍ୟବଧାନରେ ହାରିଥିଲେ। ଦ୍ବିତୀୟ ସେଟ୍‌ରେ ମ୍ୟାଚ୍‌କୁ ଫେରିବାର ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ୩ ପଏଣ୍ଟ୍ ବ୍ୟବଧାନରେ ଏହାକୁ ହାରି ମ୍ୟାଚ୍‌ ଓ ଟ୍ରଫି ଉଭୟ ହାତଛଡ଼ା କରିଥିଲେ।