ବିଶ୍ବ କନିଷ୍ଠ ବନ୍ଧୁକଚାଳନା: ଐଶ୍ବର୍ଯ୍ୟଙ୍କ ବିଶ୍ବ କୀର୍ତ୍ତିମାନ; ନାମ୍ୟାଙ୍କୁ ସ୍ବର୍ଣ୍ଣ

ଲିମା (ପେରୁ): ଲାଟିନ୍‌ ଆମେରିକୀୟ ଦେଶ ପେରୁର ରାଜଧାନୀ ଲିମାଠାରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍ ବିଶ୍ବ କନିଷ୍ଠ ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାରତର ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର ବିଶ୍ବ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୫୦ ମିଟର ରାଇଫଲ୍‌ ୩ ପୋଜିସନ ଫାଇନାଲ୍‌ରେ ଐଶ୍ବର୍ଯ୍ୟ ୪୬୩.୪ ‌ସ୍କୋର୍‌ କରି ବିଶ୍ବ କୀର୍ତ୍ତିମାନର ଅଧିକାରୀ ହେବା ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ଫ୍ରାନ୍ସର ଲୁକାସ କ୍ରିଜସ (୪୫୬.୫) ରୌପ୍ୟ ଏବଂ ଆମେରିକାର ଗାଭିନ ବାର୍ନିକ (୪୪୬.୬) କାଂସ୍ୟ ପଦକ ଜିତିଥିଲେ। ସୋମବାର ଐଶ୍ବର୍ଯ୍ୟ ବିଶ୍ବ କୀର୍ତ୍ତିମାନ ଭରା ୧୧୮୫ ସ୍କୋର୍‌ ସହ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶଙ୍କର ହାଭେଲିଆ (୧୧୬୦) ଏକାଦଶ, ପଙ୍କଜ ମୁଖାର୍ଜୀ (୧୧୫୭) ପଞ୍ଚଦଶ, ସର୍ତାଜ ତିୱାନା (୧୧୫୭) ଷୋଡ଼ଶ ଏବଂ ‌ଗୁର୍ମାନ ସିଂହ (୧୧୫୩) ୨୨ତମ ସ୍ଥାନରେ ରହିଥିଲେ।

ଅନ୍ୟପକ୍ଷରେ ମହିଳା ୨୫ ମିଟର ପିସ୍ତଲରେ ୧୪ ବର୍ଷୀୟା ନାମ୍ୟା କାପୁର ସ୍ବର୍ଣ୍ଣ ପଦକ ଜିତିଥିଲେ। ନାମ୍ୟା (୩୬) ଫାଇନାଲ୍‌ରେ ଫ୍ରାନ୍ସର କାମିଲା ଜେଦର୍ଜେଜେୱସ୍କି (୩୩) ଏବଂ ଏହି ପ୍ରତିଯୋଗିତାର ୩ ସ୍ବର୍ଣ୍ଣ ଜିତି ସାରିଥିବା ଭାରତର ୧୯ ବର୍ଷୀୟା ଅଲିମ୍ପିଆନ୍‌ ମନୁ ଭାକର (୩୧)ଙ୍କୁ ପଛରେ ପକାଇଥିଲେ। ଜେଦର୍ଜେଜେୱସ୍କି ରୌପ୍ୟ ଏବଂ ମନୁ କାଂସ୍ୟ ପଦକ ଜିତିଥିଲେ। ନାମ୍ୟା ହେଉଛନ୍ତି ୩ ଥରର ଅଲିମ୍ପିଆନ୍‌ ଭାରତୀୟ ଭେଟେରାନ ସଂଜୀବ ରାଜପୁତଙ୍କ ଝିଆରୀ। ତେବେ ଏହି ଇଭେଣ୍ଟରେ ଆଉ ଜଣେ ଭାରତୀୟ ମହିଳା ରିଦିମ ସାଙ୍ଗୱାନ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ନାମ୍ୟା (୫୮୦) ଷଷ୍ଠ ସ୍ଥାନରେ ଏବଂ ମନୁ (୫୮୭) ଓ ରିଦିମ (୫୮୬) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତ ୮ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୭ ‌ପଦକ ଜିତି ତାଲିକାର ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର