ବିଶ୍ବ ଦେଖିବ ନୂଆ ବିଜେତା

ହର୍ଷ ଭୋଗ୍‌ଲେ

ଇଂଲଣ୍ଡ ନିଶ୍ଚିତ ଭାବେ ଦୃଢ଼ ଦାବିଦାର ଦଳ, ଏକ ଶୀର୍ଷ ଦଳ ଭାବେ ସେମାନେ ଜୋରଜବରଦସ୍ତ ଫାଇନାଲ୍ ପ୍ରବେଶ କରିପାରିଛନ୍ତି। ଆସିବା ବାଟରେ ସାମୟିକ ବାଟବଣା ହୋଇଯାଇଥିଲେ। ଜଣେ ଚାମ୍ପିଅନ୍ ଖେଳାଳି ୱିମ୍ବଲଡନ୍ ଅଧାରେ ଗୋଟିଏ ସେଟ୍ ଡ୍ରପ୍ କରିବା ଭଳି ଏହା ଥିଲା। ପ୍ରଥମ ଥର ବିଶ୍ବକପ୍‌ ଟ୍ରଫି ତୋଳି ଧରିବାକୁ ସେମାନେ ନିଶ୍ଚିତ ଲର୍ଡସ ପଡିଆକୁ ଓହ୍ଲାଇବେ।ନ୍ୟୁଜିଲାଣ୍ଡ୍‌ ଏକ ପ୍ରଶଂସିତ ଦଳ କିନ୍ତୁ ଟକ୍କର ଦେବା ଭଳି ନୁହେଁ। ବାଟରେ ବାଟରେ ଅଟକି ଅଟକି ଆସିଛି ଏହି ଦଳ। କେତେବେଳେ ଟାଇ ବ୍ରେକ୍ ପଏଣ୍ଟ୍ ତ କେତେବେଳେ ଲାଇନ୍ କଲ୍ ବଳରେ। ଡ୍ରେସିଂ ରୁମ୍‌ରେ ଏହି ଦଳ ନିଶ୍ଚିତ ନିଜ ଦୁର୍ବଳ ଦିଗକୁ ଆଲୋଚନା କରିଥିବ। କେଉଁ ଶକ୍ତି ଓ ସାମର୍ଥ୍ୟରେ ଦଳ ଭରସା କରିବ ବିଚାର କରିଥିବ। ସେମା‌ନେ କାହିଁକି ହୃଦୟ ଜିତିଛନ୍ତି ତାହା ବାସ୍ତବରେ ଅହ୍ବାନ ସାପେକ୍ଷ, ଏହାକୁ ଅନୁଶୀଳନ କରିଥିବେ। ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଦାବିଦାର ଥିଲା, ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍ ଅଣ୍ଡରଡଗ୍‌ ରହିଥିଲା। ଆମେ କିନ୍ତୁ ଜାଣିଛୁ ଏହି ଦୁଇ ମ୍ୟାଚ୍‌ର ଫଳାଫଳ କ’ଣ ହୋଇଥିଲା। ନିର୍ଣ୍ଣାୟକ ଅଧଘଣ୍ଟାର ଖେଳର କଥା କେହି ଜାଣିନଥିଲେ, ଭାରତ ବି ଜାଣି ପାରିନଥିଲା।

ନ୍ୟୁଜିଲାଣ୍ଡ୍‌କୁ ବଲ୍ ସୁଇଙ୍ଗ ଆବଶ୍ୟକ ଏବଂ ବୋର୍ଡରେ ବି ରନ୍‌ ଲୋଡ଼ା। ସେମାନଙ୍କୁ କିଛି ମୁକ୍ତରେ ମିଳିବ ନାହିଁ, ଏହାକୁ ଅର୍ଜନ କରିବାକୁ ପଡ଼ିବ। କିନ୍ତୁ‌ ସେମାନଙ୍କୁ ପିଚ୍‌ ଓ ପଡ଼ିଆରେ କିଛି ସହାୟତା ଆବଶ୍ୟକ। ଥରେ ସେମାନେ ଏହା ପାଇଗଲେ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇପାରି‌ବେ। କିନ୍ତୁ ବଲ୍‌ ଯଦି ସିଧା ଖେଳିବ ଯାହାକି ଚଳିତ ବିଶ୍ବକପ୍‌ରେ କ୍ବଚିତ ହୋଇଛି, ଏପରିକି ଟର୍ନ କରିବ ନାହିଁ ତେବେ ଇଂଲଣ୍ଡ ହିଁ ସୀମା ଟପିଯିବ। ସେମାନେ ଏହାକୁ ଭଲରେ କରିପାରିବେ ଏବଂ ଅନ୍ୟମାନଙ୍କ ତୁଳନାରେ ଏହା ସେମାନଙ୍କୁ ଭଲଭାବେ ଜଣା। ବ୍ୟାଟିଂ କଥା ଦେଖିଲେ ଡ୍ରେସିଂ ରୁମ୍‌କୁ ଶାନ୍ତ ରଖିବା ଲାଗି ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ଭଲ କରିବାକୁ ହେବ। କେନ୍ ୱିଲିୟମସନ୍‌ଙ୍କୁ ଯେଭଳି ପରବର୍ତୀ ବଲ୍‌ରେ ଆସିବା ଲାଗି ପ୍ରସ୍ତୁତ ରହିବାକୁ ନ ପଡ଼ିବ। କ୍ରିସ୍ ୱକ୍ସଙ୍କ ସୁଇଙ୍ଗ ଏବଂ ଜୋଫ୍ରା ଆର୍ଚରଙ୍କ ଛଦ୍ମବେଶୀ ଗତି ନିଶ୍ଚିତ ଫଳପ୍ରଦ ହେବ। ଇଂଲଣ୍ଡ ଦଳରେ ଏଭଳି କୌଣସି ସାମୟିକ ବୋଲର ନାହାନ୍ତି ଯାହାଙ୍କୁ ତୁମେ ଆକ୍ରମଣ ଯୋଜନାରେ ରଖିବ। ଲର୍ଡସର ଉଜ୍ବଳ, ସ୍ବଚ୍ଛ ସକାଳ, ଫ୍ଲାଟ ପିଚ୍‌, ଛୋଟ ସୀମାରେଖା ଇଂଲଣ୍ଡ ସପକ୍ଷରେ ରହିବ। କାଦୁଆ, ମେଘୁଆ, ନରମ ପିଚ୍‌ ନ୍ୟୁଜିଲାଣ୍ଡ୍ ପାଇଁ ଆହ୍ବାନ ହୋଇପାରେ। ଯାହାବି ହେଉ ବିଶ୍ବ କିନ୍ତୁ ନୂଆ ବିଜେତା ଦେଖିବ।

ସମ୍ବନ୍ଧିତ ଖବର