ବିଶ୍ବ ସାମରିକ କଳା ମାଷ୍ଟରସିପ୍‌ରେ ଅନୁପମା ଏକମାତ୍ର ଭାରତୀୟ

ଭୁବନେଶ୍ବର: ଦକ୍ଷିଣ କୋରିଆର ଚୁଙ୍ଗଲୁ ସହରରେ ଚଳିତ ମାସ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ବିଶ୍ବ ସାମରିକ କଳା ମାଷ୍ଟରସିପ୍ ପ୍ରତିଯୋଗିତା ଲାଗି ଓଡ଼ିଶାର ଅନୁପମା ସ୍ବାଇଁ ମନୋନୀତ ହୋଇଛନ୍ତି। ଏକମାତ୍ର ଭାରତୀୟ ଭାବେ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅନୁପମା ଜୁ-ଜୁଟ୍‌ସୁ ଖେଳରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଲିଟ୍ ଶ୍ରେଣୀୟ ଖେଳାଳି ମାନ୍ୟତା ଲାଭ କରିଥିବାରୁ ଅନୁପମା ଏହି ପ୍ରତିଯୋଗିତା ଲାଗି ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ହୋଇଛନ୍ତି। ‌ଏଥିପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସମସ୍ତ ଖର୍ଚ ଅନ୍ତର୍ଜାତୀୟ ଜୁ-ଜୁଟ୍‌ସୁ ମହାସଂଘ ବହନ କରୁଛି। ଅନୁପମା ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରି ସେଠାରୁ ଦକ୍ଷିଣ କୋରିଆ ଯିବେ। ସେପ୍ଟେମ୍ବର ପହିଲାରେ ସେ ୬୩ କିଲୋଗ୍ରାମରୁ କମ୍ ବର୍ଗର ନି ୱାଜା, ଫାଇଟିଂ ଓ କଣ୍ଟାକ୍ଟ ବର୍ଗରେ ଅବତୀର୍ଣ୍ଣ ହେବେ। ଯାହା ତାଙ୍କ ପାଇଁ ଏକ ନିଆରା ଅଭିଜ୍ଞତା ହେବ।

ମୁଁ ଏହି ପ୍ରତିଯୋଗିତା ଲାଗି କଠିନ ପରିଶ୍ରମ କରିଛି। ବୈଷୟିକ ଦିଗକୁ ଅଧିକ ଧ୍ୟାନ ଦେଇଛି। ଆଶାକରୁଛି ଭଲ କରିବି ବୋଲି ଅନୁପମା ଦିଲ୍ଲୀ ଗସ୍ତ କରିବା ପୂର୍ବରୁ କହିଛନ୍ତି। ତାଙ୍କ ଗୁରୁ ହରିପ୍ରସାଦ ପଟ୍ଟନାୟକ ମଧ୍ୟ ଅନୁପମାଙ୍କୁ ନେଇ ଦୃଢ଼ ଆଶା ପୋଷଣ କରିଛନ୍ତି। ଅନୁପମା ମାତ୍ର ୩ରୁ ୪ ବର୍ଷ ହେବ ଜୁ-ଜିତସୁ କରୁଛି। ବଳୁଆ ପ୍ରତିପକ୍ଷଙ୍କୁ ହରାଇବାକୁ ସେ ବିଶେଷ ଅସୁବିଧାର ସମ୍ମୁଖୀନ ହେବନି। ହେଲେ ବୈଷୟିକ ଦକ୍ଷତା ଦୃଷ୍ଟିରୁ ଶକ୍ତିଶାଳୀ ପ୍ରତିପକ୍ଷ ପାଇଲେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅନୁପମା ଜଣେ ଅନ୍ତର୍ଜାତୀୟ କରାଟେ ଖେଳାଳି ହେବା ସହ ଶକ୍ତିଉତ୍ତୋଳନରେ ଏସୀୟ ବିଜେତା ହୋଇଥିଲେ। ସେ ମଧ୍ୟ ଥାଇଲାଣ୍ଡ ଓପନ୍ ଜୁ-ଜୁଟ୍‌ସୁ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସୋମବାର ସ୍ଥାନୀୟ ଉତ୍କଳ କରାଟେଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ଓଡ଼ିଶା ଜୁ-ଜୁଟ୍‌ସୁ ସଂଘ ପକ୍ଷରୁ ଅବିନାଶ ଫୁନ୍ଦର, ସୁଶ୍ରୀ ଗୌରୀ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ହରିପ୍ରସାଦ ପଟ୍ଟନାୟକ ତଥା ସ୍କୁଲର ବିଦ୍ୟାର୍ଥୀ ଅନୁପମାଙ୍କୁ ସମ୍ବର୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଜୁ-ଜୁଟ୍‌ସୁ ଏକ ସାମରିକ କଳା ହୋଇଥିଲା ବେଳେ ଏଥିରେ ଶରୀରିକ ଦକ୍ଷତା ତଥା କୌଶଳର ବେଶ୍ ଗୁରୁତ୍ବ ରହିଥାଏ।

ସମ୍ବନ୍ଧିତ ଖବର