ସୁରେଶ ସ୍ବାଇଁ

Advertisment

ଓଡ଼ିଶାର କ୍ରିକେଟ୍‌ ଓ କ୍ରିକେଟର୍‌ଙ୍କ ଯାତ୍ରା ସମ୍ପର୍କରେ ଆଲୋଚନା କରିବା ସମୟରେ ସ୍ବତଃ ପ୍ରଶ୍ନ ଉଠିଥାଏ ଆମ ରାଜ୍ୟରୁ ସୃଷ୍ଟି ହୋଇଥିବା ସୀମିତ ଅନ୍ତର୍ଜାତୀୟ ଖେଳାଳିଙ୍କ ଉପସ୍ଥିତିକୁ ନେଇ। ଯେଉଁ କେତେଜଣ ହାତଗଣତି ଖେଳାଳି ସେ ମଞ୍ଚରେ ପହଞ୍ଚିଛନ୍ତି ଏବେ ସେମାନଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଦୁଇ ଦଶନ୍ଧି ଅତିକ୍ରମ କରିସ‌ାରିଛି। ଏଭଳି ସମୟରେ ତୃଣମୂଳସ୍ତର କ୍ରିକେଟ୍ କଥା ବେଶ୍‌ ଗୁରୁତ୍ବ ରଖୁଛି। ସେ କାମ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) କିମ୍ବା ଏହାର ଅନୁବଂଧିତ ଜିଲ୍ଲା ସଂଘଗୁଡ଼ିକ କେତେ ସୁପରିଚାଳନା କରୁଛନ୍ତି ଅନେକ ଜାଣିଛନ୍ତି। ଏହା ଦୟନୀୟ ସ୍ଥିତିରେ ରହିଛି। କିନ୍ତୁ ତୃଣମୂଳସ୍ତରର ଅନ୍ୟତମ ପ୍ରମୁଖ ଅଙ୍ଗ ଭାବେ ବିବେଚିିତ ‘କ୍ଲବ୍ କ୍ରିକେଟ୍ କଲ୍‌ଚର୍‌’କୁ ନୂଆ ସ୍ତରରେ ପହଞ୍ଚାଇଥିବା ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ୍‌ (ଟିଏଏ) ଏ ଦିଗରେ ପ୍ରଶଂସାର ପାତ୍ର। ବିଶେଷ ଭଲ କ୍ରିକେଟ୍ ଭିତ୍ତିଭୂମି ନଥିବା ଭଦ୍ରକ ଭଳି ଅଞ୍ଚଳରୁ ଜନ୍ମ ନେଇଥିବା ଟିଲୋ ଟୁର୍ଣ୍ଣାମେଣ୍ଟ୍ ଏବେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାବେ ସ୍ବୀକୃତିପ୍ରାପ୍ତ।

ଓଡ଼ିଶା କ୍ରିକେଟ୍ ମାନଚିତ୍ରରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ୍‌ ଏକ ବହୁ ପରିଚିତ ନାମ। କେବଳ ରାଜ୍ୟର ନୁହେଁ, ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଏଥିରେ ଅଂଶଗ୍ରହଣ କରିବା ଏହି ପ୍ରତିଯୋଗିତାର ଗୌରବମୟ ଯାତ୍ରାକୁ ସୂଚାଇଛି। ସବୁଠାରୁ ଆଗରେ ରହନ୍ତି ମହେନ୍ଦ୍ର ସିଂହ ଧୋନି। ଭାରତୀୟ କ୍ରିକେଟ୍‌ର ଏହି ମହାନ୍‌ ଖେଳାଳି ତଥା ସଫଳତମ ଅଧିନାୟକ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟକୁ ଆସିବା ପୂର୍ବରୁ ୨୦୦୨ ସଂସ୍କରଣରେ ଏଠାରେ ଖେଳିଥିଲେ। ଛକା ବର୍ଷା କରି ହନୁମାନଜିଉ ମିନି ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିଲେ। କୌଶିକ ଚକ୍ରବର୍ତ୍ତୀଙ୍କ ନେତୃତ୍ବାଧୀନ ସେର୍ସା ଖଡ଼ଗପୁର ଦଳର ୱିକେଟ୍‌ରକ୍ଷକ-ବ୍ୟାଟର୍ ଭାବେ ଖେଳିବା ତାଙ୍କ ଖେଳ ଜୀବନର ଟର୍ଣ୍ଣିଂ ପଏଣ୍ଟ୍ ଥିଲା ବୋଲି ବିବେଚନା କରାଯାଏ। ଏହାପରେ ସେ ଭାରତ ‘ଏ’ ଦଳ ଦେଇ ୨୦୦୫ରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ବର୍ଷଗୁଡ଼ିକରେ ଆଇପିଏଲ୍ ଖେଳାଳି ଇକ୍‌ବାଲ୍ ଅବ୍‌ଦୁଲ୍ଲା, ପଲ୍ ଭାଲ୍‌ଥାଟି, ଭରତ ଚିପ୍‌ଲି, ସିଦ୍ଧାର୍ଥ ତ୍ରିବେଦୀ, ଜଗଦୀଶା ସୁଚିତ, ରାଜୁ ଭତ୍କାଲ, କ୍ରିଷ୍ଣାପା ଗୌତମ ଏବଂ ବାଂଲା‌େଦଶର ଜୋହରୁଲ୍‌ ଇସ୍‌ଲାମ୍‌, ଧୀମନ ଘୋଷ, ଫର୍‌ହତ୍‌ ରିଜା, ମେହେଦୀ ମାରୁଫ୍‌, ନୟିମ ହାସନ୍‌, ମାଲେସିଆ ଅଧିନାୟକ ବୀର ରଣଦୀପ ସିଂହ,  ଆଫଗାନିସ୍ତାନ ତାରକା ମହମ୍ମଦ ନବି ପ୍ରମୁଖଙ୍କ ଅଂଶଗ୍ରହଣ ବି ଏହି ପ୍ରତିଯୋଗିତାର ଗୁରୁତ୍ବ ତଥା ଆକର୍ଷଣକୁ ବଢ଼ାଇଛି। ଦେଶର କିଛି ପ୍ରମୁଖ କ୍ଲବ୍‌, ବୃତ୍ତିଗତ ସଂସ୍ଥା ଦଳ ସହିତ ଅନ୍ୟ ଦେଶର ପ୍ରମୁଖ କ୍ରିକେଟ୍ କ୍ଲବ୍ ଅଂଶଗ୍ରହଣ କରିବା ସ୍ଥାନୀୟ ପ୍ରଶଂସକଙ୍କୁ ବି ଉଲ୍ଲସିତ କରିଆସୁଛି।

୧୯୯୦ ମସିହାରେ ଆଞ୍ଚଳିକ କ୍ରିକେଟର୍‌ଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଟିଲୋ କପ୍‌ ଏବେ ୩୫ ବର୍ଷରେ ପଦାର୍ପଣ କରିଛି। ପ୍ରଥମ ୩ ବର୍ଷ ଏହା ବନ୍ଦନା ଚାଲେଞ୍ଜ୍‌ ଟ୍ରଫି ଭାବେ ଖେଳାଯିବା ପରେ ପରବର୍ତ୍ତୀ ସଂସ୍କରଣଗୁଡ଼ିକରେ ପ୍ରଦୀପ ମେମୋରିଆଲ୍ ଟ୍ରଫି ଭାବେ ପ୍ରଦାନ କରାଯାଉଛି। ରାଜ୍ୟର ଏମିତି କୌଣସି ପ୍ରମୁଖ କ୍ରିକେଟ୍ କ୍ଲବ୍ ଓ କ୍ରିକେଟର୍ ନାହାନ୍ତି ଯିଏ ଏଠାରେ ଖେଳିନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଂଜୟ ରାଉଳଙ୍କ ସହିତ ରଶ୍ମିରଂଜନ ପରିଡ଼ା, ପ୍ରଭଞ୍ଜନ ମଲ୍ଲିକ, ଅବକାଶ ଖଟୁଆ, ଅଜୟ ବାରିକ, ସୌରଭ ସେହଗଲ୍‌, ସଂଜୟ ଶତପଥୀ, କୁଳମଣି ପରିଡ଼ା, ମାନସ ରାୟ ପ୍ରମୁଖଙ୍କୁ ନେଇ ଏ ତାଲିକା ବେଶ୍‌ ଲମ୍ବା। ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଈଶାନ୍‌ କିଷନ୍‌, ମନୀଷ ବର୍ଦ୍ଧନ, ଶ୍ରୀଧର ଆୟର୍‌, ରବି ତେଜା ପ୍ରମୁଖ ମଧ୍ୟ ନିଜ ପ୍ରତିଷ୍ଠା ଓ ଉତ୍‌ଥାନ ପୂର୍ବରୁ ଟିଲୋ କପ୍‌ରେ ନିଜ ଛାପ ଛାଡ଼ିଥିଲେ। ଫଳରେ ଯୁବ ଖେଳାଳି ଓ ପେସାଦାର ତାଲିମ ପ୍ରଦାନ ମଧ୍ୟରେ ରହିଥିବା ବ୍ୟବଧାନ ଲାଗି ଟିଏଏ ରଖିଥିବା ଯୋଜନା କ୍ରମେ ହ୍ରାସ ପାଇଛି। କ୍ଲବ୍ କ୍ରିକେଟ୍ ବ୍ୟତୀତ ନେପାଳର କାଠମାଣ୍ଡୁ ଦଳ ଏବଂ  ଦେଶର ରେଳବାଇ, ଏୟାର୍‌ ଇଣ୍ଡିଆ, ବ୍ୟାଙ୍କ୍‌, ସିଏଜି, ଟାଟା ସ୍ପୋର୍ଟସ୍‌ କ୍ଲବ୍‌, ଭାଇଜାକ୍‌ ପୋର୍ଟ, ଡିଫେନ୍ସ ସ୍ପୋର୍ଟସ୍‌ ବୋର୍ଡ ଭଳି ପେସାଦାର ଦଳ ବି ଏଠାରେ ଅଂଶଗ୍ରହଣ କରି ଏହାର ମର୍ଯ୍ୟାଦା ବଢ଼ାଇଛନ୍ତି।

୨୦୨୪ ସଂସ୍କରଣ ପାଇଁ ଟିଏଏ ପ୍ରସ୍ତୁତି ଆରମ୍ଭ କରିସାରିଛି। ଅନ୍ତର୍ଜାତୀୟ ସ୍ବୀକୃତିପ୍ରାପ୍ତ ଏହି ପ୍ରତ‌ିଯୋଗିତା ଏଥର ଓଡ଼ିଶା କ୍ରୀଡ଼ା ପର୍ଯ୍ୟଟନକୁ ଯୋଡ଼ିବ ବୋଲି ସୂୂଚନା ଦେଇଛନ୍ତି ଏହାର ମୁଖ୍ୟ ଲକି ସ୍ବାଇଁ। ଏଥର ମଧ୍ୟ କ୍ରିକେଟ୍ ଓ ଫୁଟ୍‌ବଲ୍‌ ସିରିଜ୍ ସହିତ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟ୍‌ ରହିବ। ଓଡ଼ିଶା ସରକାରଙ୍କ ସମର୍ଥନ ସହିତ ଓଡ଼ିଶା କ୍ରିକେଟ୍‌ ସଂଘ, ଭଦ୍ରକ ଜିଲ୍ଲା କ୍ରିକେଟ୍ ସଂଘ, ଭଦ୍ରକ ଜିଲ୍ଲା ପ୍ରଶାସନ ସହ‌ଯୋଗର ହାତ ବଢ଼ାଇଛନ୍ତି। ପ୍ରତିଯୋଗିତାର ଲୋକପ୍ରିୟତାକୁ ନଜରରେ ରଖି ଓଡ଼ିଶା ସରକାର ମଧ୍ୟ ନିଜର କ୍ରୀଡ଼ା ଐତିହ୍ୟ ଓ ସଂସ୍କୃତିକୁ ଏହା ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଆଗ୍ରହ ଦେଖାଇଛନ୍ତି। ଯୁବ ଖେଳାଳିଙ୍କ ସହିତ ପେସାଦାରଙ୍କ ପାଇଁ ବି ଏହା ସୁଯୋଗ ରଖିଛି। ଏଥିସହ ଭଦ୍ରକର ହନୁମାନଜିଉ ମିନି ଷ୍ଟାଡିୟମ୍‌ରେ ଅଧିକରୁ ଅଧିକ ତୃଣମୂଳସ୍ତରର ପ୍ରତିଯୋଗିତା ଆୟୋଜନ ଲାଗି ସରକାର ଓ ପ୍ରଶାସନରୁ ସହଯୋଗ ଆଶା ରଖିଛନ୍ତି ଶ୍ରୀ ସ୍ବାଇଁ।