ବିଶ୍ବ ପାରା ଦୌଡ଼କୁଦ ଗ୍ରାଁ ପ୍ରି: ଜୟନ୍ତୀଙ୍କୁ କାଂସ୍ୟ

ଧରମବୀରଙ୍କ ଏସୀୟ କୀର୍ତ୍ତିମାନ ଦୁବାଇରେ ଜିତିଲେ ରୌପ୍ୟ

ଭୁବନେଶ୍ବର: ଓଡ଼ିଆ ଝିଅ ଜୟନ୍ତୀ ବେହେରା ଦୁବାଇରେ ନିଜ ଚମକ ଦେଖାଇଛନ୍ତି। ଦୁବ‌ାଇରେ ଆୟୋଜିତ ଫାଜା ବିଶ୍ବ ପାରା ଦୌଡ଼କୁଦ ଗ୍ରାଁ ପ୍ରିରେ ସେ କାଂସ୍ୟ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଟି-୪୭ ବର୍ଗ ୪୦୦ ମିଟର ଦୌଡ଼ରେ ୨୦୧୮ ଜାତୀୟ ବିଜୟିନୀ ଜୟନ୍ତୀ ୧:୦୦.୯୩ ମିନିଟ୍‌ ସମୟ ନେଇ ଏହି ପଦକ ଜିତିଥିଲେ। ଏକମାତ୍ର ଓଡ଼ିଆ ଝିଅ ଭାବେ ଜୟନ୍ତୀ ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ପୂର୍ବରୁ ଜୟନ୍ତୀ ଜାକର୍ତା ଏସୀୟ ପାରା କ୍ରୀଡ଼ାରେ ୪୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ କାଂସ୍ୟ ଜିତିଥିଲେ। ସେ ବିଶ୍ବ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା (୨୦୧୭)ର ୪୦୦ ମିଟରେ ସ୍ବର୍ଣ୍ଣ ଓ ୨୦୦ ମିଟରରେ ରୌପ୍ୟ ପଦକ ନିଜ ନାମରେ କରି ସାରିଛନ୍ତି। ଚାଇନା ଓପନ୍‌ ପାରା ଦୌଡ଼କୁଦ ଗ୍ରାଁ ପ୍ରି (୨୦୧୭)ରେ ଜୟନ୍ତୀ ୪୦୦ ମିଟରରେ ସ୍ବର୍ଣ୍ଣ ଓ ୨୦୦ ମିଟରେ ରୌପ୍ୟ ପଦକ କରାୟତ୍ତ କରିଥିଲେ।

ଧରମବୀରଙ୍କ ଏସୀୟ କୀର୍ତ୍ତିମାନ ଦୁବାଇରେ ଜିତିଲେ ରୌପ୍ୟ
ଭାରତୀୟ ପାରା କ୍ଲବ୍‌ ଥ୍ରୋୟର ଧରମବୀର ସୋମବାର ନୂଆ ଏସୀୟ କିର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଦୁବାଇରେ ଆୟୋଜିତ ଫାଜା ଆନ୍ତର୍ଜାତିକ ପାରା ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣର ପ୍ରଥମ ଦିବସରେ ପୁରୁଷ ଏଫ୍‌୩୨/୫୧ କ୍ଲବ୍‌ ଥ୍ରୋ ଇଭେଣ୍ଟ୍‌ରେ ସେ ରୌପ୍ୟ ପଦକ ଜିତି ଏସୀୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୨୦୧୮ ଏସୀୟ ପାରା କ୍ରୀଡ଼ାରେ ରୌପ୍ୟ ଜିତିଥିବା ଧରମବୀର ସୋମବାର କ୍ଲବ୍‌ ଥ୍ରୋ ଫାଇନାଲ୍‌ରେ ୩୧.୦୯ ମିଟର ଦୂରକୁ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ। ସେ ଆଲ୍‌ଜେରିଆର ୱାଲିଦ୍‌ ଫେର୍‌ହା (୩୭.୪୨ ମିଟର)ଙ୍କ ପଛକୁ ରହିଥିଲେ। ଧରମବୀରଙ୍କ ବ୍ୟତୀତ ଦେବେନ୍ଦ୍ର (ପୁରୁଷ ଏଫ୍‌୪୪ ଡିସ୍‌କସ୍‌ ଥ୍ରୋ) ରୌପ୍ୟ ଏବଂ ଜୟନ୍ତୀ ବେହେରା (୪୦୦ ମିଟର ମହିଳା ଟି୩୭/୩୮/୪୭ ଫାଇନାଲ୍‌) କାଂସ୍ୟ ଜିତିବାରୁ ପ୍ରଥମ ଦିବସରେ ଭାରତ ୩ ପଦକ କରାୟତ କରିନେଇଛି। ଦେବେନ୍ଦ୍ର ମିଳିତ ଭାବେ ୫୦.୩୬ ମିଟର ଡିସ୍‌କସ୍‌ ଫିଙ୍ଗିଥିଲେ।

ସମ୍ବନ୍ଧିତ ଖବର