ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ‌: ଏକକ ଓ ଯୁଗଳ ଫାଇନାଲ୍‌ରେ ପ୍ରମୋଦ

ଭୁବନେଶ୍ବର : ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶାର ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ର ଉଭୟ ପୁରୁଷ ଏକକ ଓ ଯୁଗଳ ବର୍ଗ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଶନିବାର ଏକକ ବର୍ଗ ସେମିଫାଇନାଲ୍‌ରେ ପ୍ରମୋଦ ସିଧାସଳଖ ୨୨-୨୦ ଓ ୨୧-୧୪ ଗେମ୍‌ରେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ପରାସ୍ତ କରିଥିଲା ବେଳେ ଯୁଗଳ ସେମିଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ମନୋଜ ସର୍‌କାର ୨୧-୮ ଓ ୨୧-୧୬ ସିଧାସଳଖ ଗେମ୍‌ରେ ଫ୍ରାନ୍‌ସ ଯୋଡ଼ି ଗୁଇଲାଉମେ ଗାଇଲି ଓ ମାଥ୍ୟୁ ଥୋମାସଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।

ରବିବାର ଉଭୟ ବର୍ଗର ଫାଇନାଲ୍‌ ଖେଳାଯିବ। ଏକକ ଫାଇନାଲ୍‌ରେ ପ୍ରମୋଦ ନିଜ ଦେଶର ନୀତେଶ କୁମାରଙ୍କୁ ଏବଂ ଯୁଗଳ ଫାଇନାଲ୍‌ରେ ଇଣ୍ଡୋନେସିଆର ରାମଦାନି-ଉକୁନ ରୁଙ୍କାଣ୍ଡି ଯୋଡ଼ିକୁ ଭେଟିବେ। ଯଦି ଫାଇନାଲ୍‌ ଜିତିନିଅନ୍ତି ତାହାଲେ ପ୍ରମୋଦ ପୁଣି ଥରେ ଇତିହାସ ରଚିବେ। ପ୍ରମୋଦ ତାଙ୍କ କ୍ୟାରିୟରରେ ଚଳିତ ପ୍ରତିଯୋଗିତା ପୂର୍ବରୁ ମୋଟ ୭ ବିଶ୍ୱ ଚାମ୍ପିଅନସିପ୍‌ରୁ ୬ଟିରେ ଅଂଶଗ୍ରହଣ କରିସାରିଛନ୍ତି। ସେଥରୁ ଏକକ ଓ ଯୁଗଳରେ ୫ ସ୍ୱର୍ଣ୍ଣ, ୧ ରୋପ୍ୟ ଓ ୩ କାଂସ୍ୟ ପଦକ ଜିତିଛନ୍ତି। ଏପରିକି ୨୦୦୭ ଓ ୨୦୧୭ ବିଶ୍ୱ ଚାମ୍ପିଅନସିପ୍‌କୁ ଛାଡିଦେଲେ ପ୍ରମୋଦ ଅନ୍ୟ ସବୁ ସଂସ୍କରଣର ଫାଇନାଲରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର