ବିଶ୍ୱ ଦୌଡ଼କୁଦ: ଶ୍ରୀଶଙ୍କର ସପ୍ତମ

ଉଗେନ୍‌ (ଆମେରିକା) : ଭାରତୀୟ ଲମ୍ବ ଡିଆଁ ତାରକା ମୁରଲୀ ଶ୍ରୀଶଙ୍କର ଏଠାରେ ଚାଲିଥିବା ବିଶ୍ବ‌ ଦୌଡ଼କୁଦ ପ୍ରତିଯୋଗିତାରେ ଆଶା ମୁତାବକ ପ୍ରଦର୍ଶନ ଦେଇନପାରି ପଦକରୁ ବଞ୍ଚିତ ‌ହୋଇଥିଲେ। ଶନିବାର ଫାଇନାଲ୍‌ରେ ଏହି ୨୩ ବର୍ଷୀୟ ଭାରତୀୟ ତାରକା ୭.୯୬ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ। ଶୁକ୍ରବାର ଶ୍ରୀଶଙ୍କର ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ ପହଞ୍ଚିବାରେ ପ୍ରଥମ ‌ଭାରତୀୟ ପୁରୁଷ ଖେଳାଳି ହେବାର ଗୌରବ ଅର୍ଜନ କରିବା ସହ ଐତିହାସିକ ପଦକ ଜିତିବାର ଅଶା ସଞ୍ଚାର କରିଥିଲେ। ହେଲେ ଫାଇନାଲ୍‌ରେ ସେ ଚଳିତ ଋତୁ ଓ ବ୍ୟକ୍ତିଗତ ଶ୍ରେ‌ଷ୍ଠ ୮.୩୬ ମିଟର ଡେଇଁବାରେ ବିଫଳ ହୋଇଥିଲେ। ସେ ଏହି ଫାଇନାଲ୍‌ରେ ୬ ପ୍ରୟାସରୁ ୩ଟି ଠିକ୍‌ରେ କରିଥିଲେ। ପ୍ରଥମରେ ୭.୯୬ ମିଟର, ଚତୁର୍ଥରେ ୭.୮୯ ମିଟର ଏବଂ ଶେଷ ଚେଷ୍ଟାରେ ୭.୮୩ ମିଟର ଡେଇଁଥିଲେ। ଅନ୍ୟ ପ୍ରୟାସ ଫାଉଲ ହୋଇଥିଲା। ଶୁକ୍ରବାର ୮ ମିଟର ଡେଇଁ ଗ୍ରୁପ୍‌-ବିରେ ଦ୍ବିତୀୟ ଏବଂ ମୋଟ ଉପରେ ସପ୍ତମରେ ରହି ଫାଇନାଲ୍‌ରେ ପଞ୍ଚିଥିଲେ। ଫାଇନାଲ୍‌ରେ ଚୀନ୍‌ର ଜିଆଁନ ୱାଙ୍ଗ ୮.୩୬ ମିଟର ‌ଡେଇଁ ସ୍ବର୍ଣ୍ଣ, ଅଲିମ୍ପିକ୍‌ ବିଜେତା ଗ୍ରିସ୍‌ର ମିଲାତିଆଦିସ୍‌ ଟେଣ୍ଟୋଗଲୁ (୮.୩୦) ରୌପ୍ୟ ଏବଂ ସ୍ବିଜରଲାଣ୍ଡର ସିମନ ହାମର (୮.୧୬) କାଂସ୍ୟ ଜିତିଥିଲେ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଭାରତୀୟ ପାରୁଲ ଚୌଧୁରୀ ଓ ମଦାରି ପାଲିୟାଲିଲ ଜାବିର ଆଗକୁ ବଢ଼ି ପାରିନାହାନ୍ତି। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ପାରୁଲ ବ୍ୟକ୍ତିଗତ ଶ୍ରେଷ୍ଠ ୯:୩୮.୦୯ ସେକେଣ୍ଡ ଦେଇଥିଲେ ମଧ୍ୟ ହିଟ୍‌-୨ରେ ଦ୍ବାଦଶରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ସେ ମୋଟ ଉପରେ ୩୧ତମ ସ୍ଥାନ ପାଇଥିଲେ। ପୁରୁଷ ୪୦୦ ମିଟର ବାଧାଦୌଡ଼ରେ ମଦାରି (୫୦.୭୬ ସେକେଣ୍ଡ) ହିଟ୍‌-୨ରେ ଶେଷ ସ୍ଥାନରେ ରହି ସେମିଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ‌ହୋଇଥିଲେ।

ଇତିହାସ ରଚିଲେ ଫାଜ୍‌ଦେକ: ହାମର ଥ୍ରୋରେ ପଞ୍ଚମ ସ୍ବର୍ଣ୍ଣ

ପୋଲାଣ୍ଡର ପାୱେଲ ଫାଜ‌୍‌ଦେକ ଶନିବାର ଚଳିତ ବର୍ଷର ଶ୍ରେଷ୍ଠ ଥ୍ରୋ କରି ଲଗାତାର ପଞ୍ଚମ ଥର ଲାଗି ବିଶ୍ବ ପ୍ରତିଯୋଗିତାର ହାମର ଥ୍ରୋ ମୁକୁଟ କରାୟତ୍ତ କରିଥିଲେ। ଅଲିମ୍ପିକ୍‌ ବିଜେତା ୱଜସିଏଚ ନାୱିସ୍କି ରୌପ୍ୟ ଏବଂ ନରୱେର ଇଭିନ୍ଦ ହେନ୍‌ରିକସେନ୍‌ କାଂସ୍ୟ ଜିତିଥିଲେ। ପ୍ରଥମ ଥ୍ରୋରେ ବିଫଳ ହୋଇଥିବା ପାଜ୍‌ଦେକ କିନ୍ତୁ ତୃତୀୟ ଥ୍ରୋ ୮୧.୯୮ ମିଟର ପକାଇ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

୧୦,୦୦୦ ମିଟରରେ ଗିଡେଙ୍କୁ ସ୍ବର୍ଣ୍ଣ
ବିଶ୍ବ କୀର୍ତ୍ତିମାନଧାରୀ ଇଥୋପିଆର ଲେଟେସେନବେଟ ଗିଡେ ଦୁଇ କେନିଆ ଖେଳାଳିଙ୍କୁ ପଛରେ ପକାଇ ମହିଳା ୧୦,୦୦୦ ମିଟରରେ ସ୍ବର୍ଣ୍ଣ ଜିତିଛନ୍ତି। ‌ଗିଡେ (୩୦:୦୯.୯୪) ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ କେନିଆର ହେଲେନ ଓବିରି (୩୦:୧୦.୨) ଓ ମାର୍ଗାରେଟ କିପକେମ୍ବୋଇ (୩୦:୧୦.୦୭) ଗିଡେଙ୍କ ନିକଟତର ହୋଇଥିଲେ ମଧ୍ୟ ଅଳ୍ପକେ ପଛରେ ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।

ଇଲେ ଜିତିଲେ ବିଶ୍ବ ସଟ୍‌ପୁଟ୍‌ ମୁକୁଟ
ଚେଜ୍‌ ଇଲେ ଶନିବାର ଆମେରିକା ମହିଳା ସଟ୍‌ପୁଟ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସଟ୍‌ପୁଟ୍‌ରେ ସେ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଆମେରିକୀୟ ମିହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ୨୭ ବର୍ଷୀୟା ଇଲେ ପ୍ରଥମ ଚେ‌ଷ୍ଟାରେ ହିଁ ୨୦.୪୯ ମିଟର ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ। ଅଲିମ୍ପିକ୍‌ ବିଜୟିନୀ ଚୀନ୍‌ର ଗଙ୍ଗ ଲିଜିଆଓ ନିଜର ପଞ୍ଚମ ଚେ‌ଷ୍ଟାରେ ତାଙ୍କଠୁ ୧୦ ସେଣ୍ଟିମିଟର ପଛରେ ରହି ରୌପ୍ୟ ଜିତିଥିଲା ବେଳେ ନେଦରଲାଣ୍ଡ୍ସର ଜେସିକା ଶ୍ଚିଲଡର (୧୯.୭୭) କାଂସ୍ୟ ପାଇଥିଲେ।

ଡୋମିନିକାନ ରିପବ୍ଲିକ୍‌ ଜିତିଲା ୪ ଗୁଣା ୪୦୦ ମିଶ୍ରିତ ସ୍ବର୍ଣ୍ଣ
ଡୋମିନିକାନ ରିପବ୍ଲିକ୍‌ ଏଠାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ୪ ଗୁଣା ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛି। ଫଳରେ ୭ ଥରର ଅଲିମ୍ପିକ୍‌ ବିଜେତା ଆମେରିକାର ଆଲିସନ ଫେଲିକ୍ସଙ୍କ ସ୍ବର୍ଣ୍ଣ ସହ ବିଦାୟ‌ ଆଶା ମଳିନ ପଡ଼ିଯାଇଥିଲା। ତାଙ୍କ ଦଳ ଆମେରିକା ତୃତୀୟ ସ୍ଥା‌ନରେ ରହି କାଂସ୍ୟ ଜିତିଥିଲା‌ ବେଳେ ନେଦରଲାଣ୍ସ ରୌପ୍ୟ ପଦକ କରାୟତ୍ତ କରିଥିଲା।

ପ୍ରଥମ ସ୍ବର୍ଣ୍ଣ ପେରୁ ଖାତାରେ
ଚଳିତ ବିଶ୍ବ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ର ପ୍ରଥମ ସ୍ବର୍ଣ୍ଣ ପଦକ ପେରୁ ଖାତାକୁ ଯାଇଥିଲା। ପ୍ରଥମ ଦିବସରେ କିମ୍ବର୍ଲି ଗାର୍ସିଆ ଲିଓନ ମହିଳା ୨୦ କିମି ରେସ୍‌ରେ ପେରୁ ପାଇଁ ଏହି ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେ ୧:୨୬:୫୮ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ସ୍ବର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଥିଲା ବେଳେ ପୋଲାଣ୍ଡର କାତାଜିର୍ନା ଜିଏବେ୍‌ଲୋ ରୌପ୍ୟ ଏବଂ ଚୀନ୍‌ର କ୍ବିୟାଙ୍ଗ୍‌ ସିଜି କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର