ପିଙ୍ଗ୍ଚାଙ୍ଗ୍ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସର ତୃତୀୟ ଦିନ ରୁଷୀୟ ଲଳନା ଏଭ୍ଜେନିଆ ମେଦ୍ଭେଦେବା ମହିିଳା ଫିଗର ସ୍କେଟିଂରେ ନୂଆ ବିଶ୍ୱ କୀର୍ତିମାନ ସ୍ଥାପନ କରିଛନ୍ତି। ତାଙ୍କର ଏହି କୃତିତ୍ୱ ବଳରେ ରୁଷିଆ ଫିଗର ସ୍କେଟିଂ ଦଳଗତ କ୍ରୀଡ଼ାରେ କାନାଡ଼ା ପଛକୁ ଦ୍ୱିତୀୟରେ ରହିଛି। ପ୍ରଥମ ଥର ଲାଗି ଅଲିମ୍ପିକ୍ସରେ ଭାଗନେଇଥିବା ବିଶ୍ୱ ବିଜୟିନୀ ମେଦ୍ଭେଦେବା ୮୧.୦୬ ପଏଣ୍ଟ୍ ହାସଲ କରି ରୁଷିଆକୁ ଫାଇନାଲ୍ରେ ପହଞ୍ଚାଇ ଥିଲେ। ରୁଷିଆ ଓ କାନାଡ଼ା ବାଦ୍ ଆମେରିକା, ଇଟାଲି ଓ ଜାପାନ ମଧ୍ୟ ଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ୧୮ ବର୍ଷୀୟା ମେଦ୍ଭେଦେବା ବହୁ ବାଧାବିଘ୍ନ ମଧ୍ୟରେ ପିଙ୍ଗ୍ଚାଙ୍ଗ୍ରେ ନିଜର କମାଲ୍ ଦେଖାଇଥିଲେ। ପାଦରେ ଆଘାତ ଯୋଗୁଁ ଗତବର୍ଷ ଗ୍ରାଁ ପ୍ରି ଫାଇନାଲ୍ରୁ ଓହରି ଯିବା ପରେ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଆଶଙ୍କାରେ ଥିଲେ। ଏହାସହ ରୁଷୀୟ ଖେଳାଳି ନିଷିଦ୍ଧ ଔଷଧ ସେବନ କଳଙ୍କରେ ଫସିଥିବାରୁ ଏହି ଆଶଙ୍କା ଆଉଟିକେ ବଢ଼ି ଯାଇଥିଲା। ଶେଷରେ ଆଇଓସି ପକ୍ଷରୁ ରୁଷିଆକୁ ଅନୁମତି ମିଳିଗଲା ଏବଂ ମେଦ୍ଭେଦେବା ନିଜ ସ୍ୱପ୍ନ ସାକାର କରିବାକୁ ସୁଯୋଗ ପାଇଗଲେ। ଏହି ସୁଯୋଗକୁ ସାକାର କରି ସେ ରବିବାର ନୂଆ ଇତିହାସ ରଚିଥିଲେ।
ସ୍ନୋବୋର୍ଡିଂ ସ୍ଲୋପେଷ୍ଟାଇଲ୍ରେ ଆମେରିକାର ରେଡମଣ୍ଡ୍ ଗେରାର୍ଡ ୮୭.୧୬ ପଏଣ୍ଟ୍ ସହ ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ। ତାଙ୍କ ପଛକୁ କାନାଡ଼ାର ମ୍ୟାକ୍ସ ପାରଟ ଏବଂ ମାର୍କ ମ୍ୟାକ୍ମୋରିସ୍ ଦ୍ୱିତୀୟ ଓ ତୃତୀୟ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ପୁରୁଷ ୫୦୦୦ ମିଟର ସ୍ପିଡ୍ ସ୍କେଟିଂରେ ନେଦରଲାଣ୍ଡର ସେନ୍ କ୍ରାମର ସ୍ୱର୍ଣ୍ଣ, କାନାଡ଼ାର ଟେଡ୍-ଜାନ୍ ବ୍ଲୋଏମେନ୍ ରୌପ୍ୟ ଏବଂ ନରେଓ୍ଵର ସ୍ୱେରେ ଲୁଣ୍ଡେ ପେଡେରସନ୍ କାଂସ୍ୟ ପଦକ ଜିତିଥିଲେ। ପୁରୁଷ ବାଥଲେନ୍ ୧୦ କିଲୋମିଟରରେ ଜର୍ମାନିର ଆର୍ଣ୍ଡ ପିଫର୍ ସ୍ୱର୍ଣ୍ଣ, ସ୍ୱିଜରଲାଣ୍ଡ୍ର ମାଇକେଲ୍ କ୍ରିସମର୍ ରୌପ୍ୟ ଓ ଇଟାଲିର ଡୋମିନିକ୍ ଓ୍ଵିଣ୍ଡିଚ୍ କାଂସ୍ୟ ପଦକ କରାୟତ କରିଥିଲେ। ପୁରୁଷ ୧୫ କିମି+୧୫ କିମି ସ୍କିଆଥଲନ୍ରେ ନରେଓ୍ଵ ସବୁ ପଦକ ପୋଛି ନେଇଛି। ସିମେନ୍ ହେଗ୍ଷ୍ଟାଡ୍ କ୍ରୁଏଗର୍, ମାର୍ଟିନ୍ ଜନ୍ସ୍ରୁଡ ସଣ୍ଡ୍ବାଏ ଏବଂ ହନ୍ସ କ୍ରିଷ୍ଟର ହୋଲୁଣ୍ଡ୍ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ନିଜ ନାମରେ କରିଥିଲେ।
ଭାରତୀୟ ଦଳକୁ ଶୁଭେଚ୍ଛା ଦେଲେ ନୀତା
ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିିତି (ଆଇଓସି)ର ସଦସ୍ୟା ନୀତା ଆମ୍ବାନୀ ରବିବାର ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଭାଗ ନେଇଥିବା ଦୁଇ ଭାରତୀୟ ପ୍ରତିଯୋଗୀ ଶିବ କେଶବନ୍ ଏବଂ ଜଗଦୀଶ ସିଂହଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ଦୁଇ ଭାରତୀୟଙ୍କୁ ଭେଟିବା ପରେ ନୀତା କହିଥିଲେ, ଏମାନେ ନିଜର ଶ୍ରେଷ୍ଠତ୍ୱ ଦେଇନାହାନ୍ତି। ତଥାପି ମୋର ଆଶା ଆଗକୁ ଭଲ କରିବେ।