ଦିନିକିଆ କ୍ରିକେଟରେ ଇଂଲଣ୍ଡର ବିଶ୍ବ ରେକର୍ଡ : ୫୦ ଓଭରରେ ଛିଡ଼ା କଲା ୪୯୮ ରନ

ଆମଷ୍ଟେଲଭିନ : ନେଦରଲ୍ୟାଣ୍ଡର ଆମଷ୍ଟେଲଭିନଠାରେ ଆଜି ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଏକଦିବସୀୟ ମ୍ୟାଚଟି କ୍ରିକେଟ୍ ଇତିହାସରେ ନିଜର ନାଁ ଲେଖାଇଛି । ଏହି ମ୍ୟାଚରେ ଟସ ଜିତିବା ପରେ ନେଦରଲ୍ୟାଣ୍ଡ କେବେବି ଭାବିନଥିବ ଯେ ତାହାକୁ ୪୯୯ ରନର ଏକ ବିଶାଳ ସ୍କୋରର ପିଛା କରିବାକୁ ପଡ଼ିବ ବୋଲି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡର ବ୍ୟାଟରମାନେ ଆଜି ଇତିହାସ ସୃଷ୍ଟି କରିଛନ୍ତି । ନେଦରଲ୍ୟାଣ୍ଡର ବୋଲରମାନଙ୍କୁ ନିର୍ଦୟ ପ୍ରହାର କରି ୫୦ ଓଭରରେ ୪୯୮ରନର ପାହାଡ଼ ପରି ବିଶାଳ ସ୍କୋର ଛିଡ଼ା କରିଛନ୍ତି ।

ଇନିଂସ ଆରମ୍ଭରୁ ନେଦରଲ୍ୟାଣ୍ଡର ବୋଲରମାନେ ମାତ୍ର ୧ରନରେ ଇଂଲଣ୍ଡର ଜାସନ ରଏଙ୍କ ଓ୍ବିକେଟ ନେଇ ଖୁସି ହୋଇଯାଇଥିଲେ । କିନ୍ତୁ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା । ରଏଙ୍କ ପରେ ଆସିଥିବା ଇଂଲଣ୍ଡର ୩ ଜଣ ବ୍ୟାଟର ଫିଲିପ ସଲ୍ଟ, ଡାଓ୍ବିଡ ମଲାନ ଓ ଜସ ବଟଲର ବିସ୍ଫୋରକ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ସଲ୍ଟ ୧୨୨ ରନ କରିଥିବାବେଳେ ମଲାନ ୧୨୫ ରନ କରିଥିଲେ । କିନ୍ତୁ ଅସଲ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ ଜସ ବଟଲର । ସେ ମାତ୍ର ୭୦ଟି ବଲ ଖେଳି ୧୬୨ ରନର ଆତସି ପାଳି ଖେଳିଥିଲେ । ଶେଷ ବେଳକୁ ଆସିଥିବା ଲିଭିଙ୍ଗଷ୍ଟୋନ ମଧ୍ୟ ମାତ୍ର ୨୨ଟି ବଲରୁ ୬୬ ରନ କରିଥିଲେ । ଫଳରେ ଇଂଲଣ୍ଡ ୫୦ ଓଭରରେ ୪ ଓ୍ବିକେଟ ହରାଇ ୪୯୮ ରନ କରିଥିଲା ।

ଦିନିକିଆ କ୍ରିକେଟରେ ଏହା ପୂର୍ବରୁ ସର୍ବାଧିକ ସ୍କୋର ଥିଲା ୪୮୧ ରନ । ଏହା ମଧ୍ୟ ଇଂଲଣ୍ଡ ନାମରେ ଥିଲା । ଇଂଲଣ୍ଡ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସ୍କୋର କରିଥିଲା ।

ସମ୍ବନ୍ଧିତ ଖବର