ହାମିଲଟନ୍: ଲିଷ୍ଟ ଏ’ କ୍ରିକେଟ୍ରେ ଗୁରୁବାର ଏକ ନୂ୍ଆ ବିଶ୍ବ କୀର୍ତିମାନ ପ୍ରତିଷ୍ଠା ହୋଇଛି। ଏକ ଘରୋଇ ଦିନିକିଆ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଜୋ କାର୍ଟର ଓ ବ୍ରେଟ୍ ହାମ୍ପଟନ୍ ଯୋଡ଼ି ଗୋଟିଏ ଓଭରରୁ ୪୩ ରନ୍ ଆଦାୟ କରି ଏହି କୀର୍ତିମାନ କରିଥିଲେ। ହାମିଲଟନ୍ରେ ନର୍ଦନ ଡିଷ୍ଟ୍ରିକ୍ଟ୍ସ ଓ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ସ ମଧ୍ୟ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏହି ଦୁଇ ଖେଳାଳି ଗୋଟିଏ ଓଭରରେ ୬ ଛକା ସହ ଗୋଟିଏ ଚୌକା ଓ ଏକ ରନ୍ ସଂଗ୍ରହ କରିଥିଲେ। ଏହି ଓଭରରେ ଦୁଇଟି ନୋ ବଲ୍ ରହିଥିଲା। ଏହି ଦୁଇଟି ଯାକ ନୋ ବଲ୍ରେ ମଧ୍ୟ ଛକା ହୋଇଥିଲା। ଦକ୍ଷିଣ ଆଫ୍ରିକା ଜନ୍ମିତ ଦ୍ରୁତ ବୋଲର ୱିଲେମ୍ ଲୁଡିକ୍ଙ୍କ ଓଭରରେ ଏହି ବିଶ୍ବ କୀର୍ତିମାନ ହୋଇଥିଲା। ଏହି ଓଭର ପୂର୍ବରୁ ଲୁଡିକ ୯ ଓଭର୍ରେ ୪୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ଶେଷକୁ ତାଙ୍କ ବୋଲିଂ ଚିତ୍ର ୧/୮୫ ହୋଇଯାଇଥିଲା। ପୂର୍ବରୁ ଲିଷ୍ଟ୍ ଏ’ରେ ଗୋଟିଏ ଓଭର୍ରେ ସର୍ବାଧିକ ୩୯ ରନ୍ର କୀର୍ତିମାନ ରହିଥିଲା। ଏହି କୀର୍ତିମାନ ଢାକା ପ୍ରିମିୟର ଲିଗ୍ରେ ଜିମ୍ବାୱେର ଏଲଟନ୍ ଚିଗୁମ୍ବୁରା କରିଥିଲେ। ଶେଖ ଜାମାଲ ଧାନମୋଣ୍ଡି ପକ୍ଷରୁ ଖେଳୁଥିବା ଚିଗୁମ୍ବୁରା ଅବାହାନି ଲିମିଟେଡ୍ ବିପକ୍ଷରେ ଏହି କୀର୍ତିମାନ ସ୍କୋର୍ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ର କୀର୍ତିମାନ ରହିଛି। ଦକ୍ଷିଣ ଆଫ୍ରିକାର ହର୍ସେଲ୍ ଗିବ୍ସ ୨୦୦୭ ବିଶ୍ବକପ୍ରେ ନେଦରଲାଣ୍ଡ୍ର ଡାନ୍ ଭାନ୍ ବୁଙ୍ଗେଙ୍କ ଓଭରରେ ୬ ବଲ୍ରୁ ୬ ଛକା ମାରିଥିଲେ। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଯୁବରାଜ ସିଂହ ୬ ବଲ୍ରୁ ୬ ଛକା ମାରିବାର କୀର୍ତିମାନ କରିଥିଲେ। ଯୁବରାଜ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡ ବିପକ୍ଷ ଡର୍ବାନ୍ ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡ୍ଙ୍କ ୬ ବଲ୍କୁ ୬ ଛକା ମାରିଥିଲେ।