ବିଶ୍ୱ ବନ୍ଧୁକଚାଳନା ଶେଷ ଦିନ ୨ ସ୍ୱର୍ଣ୍ଣ: ୨୭ ପଦକ ସହ ଭାରତ ତୃତୀୟ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବିଶ୍ୱ ବନ୍ଧୁକଚାଳନା ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିନ ଭାରତ ଆଉ ୨ ସ୍ୱର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଛି। ଫଳରେ ମୋଟ ୨୭ ପଦକ ସହ ଭାରତ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଛି। ସେଥିମଧ୍ୟରେ ୧୧ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୭ କାଂସ୍ୟ ସାମିଲ ରହିଛି। ଏହା ହିଁ ବିଶ୍ୱ ପ୍ରତିଯୋଗିତାରେ ଭାରତର ସର୍ବଶ୍ରେଷ୍ଠ ସଫଳତା ରହିଛି। ଶେଷ ଦିନ ମଧ୍ୟ କନିଷ୍ଠ ବନ୍ଧୁକଚାଳକଙ୍କ ସ୍ୱର୍ଣ୍ଣ ଅମଳ ଜାରି ରହିଥିଲା। ଗତକାଲି ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିବା ୧୬ ବର୍ଷ ବୟସ୍କ ବିଜୟବୀର ସିଧୁ ଶୁକ୍ରବାର ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ସେ ୫୭୨ ସ୍କୋର୍‌ ସହ ପ୍ରଥମ ସ୍ଥାନରେ ରହିଥିଲା ବେଳେ କୋରିଆର ଲି ଗୁନ୍‌ହ୍ୟୋକ୍‌ (୫୭୦) ଓ ଚୀନ୍‌ର ହାଓଜି ଝୁ (୫୬୫)ଙ୍କୁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ମିଳିଥିଲା। ସେହିପରି ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଦଳଗତ ବର୍ଗରେ ବିଜୟବୀର (୫୭୨), ରାଜ୍‌କନ୍‌ଓ୍ଵର ସିଂହ ସାନ୍ଧୁ (୫୬୪) ଓ ଆଦର୍ଶ ସିଂହ (୫୫୯) ମିଳିତ ଭାବେ ମୋଟ ୧୬୯୩ ସ୍କୋର୍‌ କରି ଭାରତକୁ ଶେଷ ଦିବସର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ। ବ୍ୟକ୍ତିଗତ ବର୍ଗରେ ଆଦର୍ଶ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ସେହି ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ବରିଷ୍ଠ ବର୍ଗରେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଗୁର୍‌ପ୍ରୀତ୍‌ ସିଂହ ରୌପ୍ୟ ଜିତି କିଛିଟା ସମ୍ମାନ ରଖିଥିଲେ। ସେ ୫୭୯ ସ୍କୋର୍‌ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ୟୁକ୍ରେନ୍‌ର ପାଭ୍‌ଲୋ କୋରୋଷ୍ଟିଲୋଭ୍‌ (୫୮୧) ଓ କୋରିଆର କିମ୍‌ ଜନ୍‌ହଙ୍ଗ୍‌ (୫୭୯) ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ତେବେ ବରିଷ୍ଠ ଦଳଗତ ବର୍ଗରେ ଗୁର୍‌ପ୍ରୀତ୍‌, ଅମନ୍‌ପ୍ରୀତ୍‌ ସିଂହ (୫୬୦) ଓ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ବିଜେତା ବିଜୟ କୁମାର (୫୬୦) ମିଳିତ ଭାବେ ୧୬୯୯ ସ୍କୋର୍‌ କରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର