ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ:ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରତିଷ୍ଠିତ ଖେଳାଳିଙ୍କୁ ପରାମର୍ଶ

ସମ୍ବର୍ଧିତ ହେଲେ ସୂର୍ଯ୍ୟ ପ୍ରସାଦ ରଥ, ସମ୍ବିତ ମହାପାତ୍ର

କଟକ: ଧାବିକା ଦୂତି ଚାନ୍ଦ ଅନ୍ତର୍ଜାତୀୟ ସ୍ତରରେ ପାଇଥିବା ସଫଳତା ପଛରେ ତାଙ୍କର ବ୍ୟକ୍ତିଗତ ସଂଘର୍ଷ ଓ ଅଧ୍ୟବସାୟର ଯେତିକି ହାତ ଅଛି କ୍ରୀଡ଼ା ସାମ୍ବାଦିକଙ୍କର ମଧ୍ୟ ସେତିକି ଅବଦାନ ରହିଛି। କେବଳ ଦୂତି ନୁହଁନ୍ତି ରାଜ୍ୟର ଅନେକ ଖେଳାଳିଙ୍କର ଏଭଳି ସଂଘର୍ଷମୟ କାହାଣୀ ରହିଛି। କ୍ରୀଡ଼ା ସାମ୍ବାଦିକମାନେ ତାକୁ ଲୋକଲୋଚନକୁ ଆଣୁଛନ୍ତି। ଖେଳାଳିଟିଏ କିପରି ଆଗକୁ ବଢିବ ସେଥିପ୍ରତି ଏମାନେ ମଧ୍ୟ ଯତ୍ନବାନ୍‌ ହେବା ଉଚିତ୍‌। ସେହିଭଳି ପୂର୍ବତନ ପ୍ରତିଷ୍ଠିତ କ୍ରୀଡ଼ାବିତ୍‌ ନିଜ ଖର୍ଚରେ ନିଜ ଖେଳକୁ ନିୟମିତ ପ୍ରୋତ୍ସାହିତ କରିବା ସହିତା ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ଗଠନ ଲାଗି ଆଗେଇ ଆସିବା ଉଚିତ ବୋଲି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ମାରାଥନ୍‌ ଧାବକ ବିବେକାନନ୍ଦ ତ୍ରିପାଠୀ କହିଛନ୍ତି।
ସୋମବାର ବାରବାଟୀ ଷ୍ଟାଡିୟମ ଓସିଏ କ୍ଲବ୍‌ରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀ ନିଜ ମତ ରଖିଥିଲେ। ସେ ନିଜେ ମାରାଥନ୍‌ ବିଜେତାଙ୍କ ପାଇଁ ଏକ ଲକ୍ଷ ଜମାରାଶିର ସୁଧକୁ ପ୍ରତିବର୍ଷ ଖେଳାଳିଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରିପାରୁଛନ୍ତି, ତାହେଲେ ଓଡ଼ିଶାରେ ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ଅନେକ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ ଏଭଳି କରିବାକୁ ସେ ଆହ୍ଵାନ କରିଥିଲେ। ସେମାନେ ଅଳ୍ପ ଅଳ୍ପ କରି ଖେଳାଳିଙ୍କୁ ପ୍ରୋତ୍ସହିତ କଲେ ରାଜ୍ୟକୁ ଅଧିକ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି। ମୁଖ୍ୟ ବକ୍ତାଭାବେ ଫାଓ ଉପ ସଭାପତି ତଥା କ୍ରୀଡ଼ା ସଂଗଠକ ଭକ୍ତବଲ୍ଲଭ ଦାସ ଯୋଗଦେଇ ତୃଣମୂଳସ୍ତରୀୟ ଖେଳକୁ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ର କିମ୍ବା ରାଜ୍ୟ ସରକାର ଖେଳକୁ ପ୍ରାଧାନ୍ୟ ଦେବାକୁ ଯାହା କରୁଛନ୍ତି, ସେଥିରେ କର୍ପୋରେଟ୍‌ ହାଉସ୍‌କୁ ସାମିଲ କରିବାକୁ ହେବ। ନଚେତ୍‌ ତୃଣମୂଳସ୍ତରରୁ ଖେଳର ଉନ୍ନତି ହେବନି। ତେଣୁ ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ। କଟକ-ଭୁବନେଶ୍ୱରରେ ଭଲ ଫୁଟବଲ୍‌ ପଡ଼ିଆ ନାହିଁ। ଆମେ ବିଶ୍ୱକପ୍‌ ହକି ପାଇଁ ପ୍ରସ୍ତୁତ ହେଉଛେ, ହେଲେ ଆମ ହକି ଖେଳାଳିଙ୍କ ପାଇଁ ଭଲ ପଡ଼ିଆ ମିଳିନପାରିବା ଦୁଃଖର ବିଷୟ। ବର୍ତ୍ତମାନ ସବୁଆଡେ ବିଦେଶୀ ପ୍ରଶିକ୍ଷକଙ୍କୁ ଅଣାଯାଉଛି। ହେଲେ ଉକ୍ତ ପ୍ରଶିକ୍ଷକ ଯେତେବେଳେ ପ୍ରଶିକ୍ଷଣ ଦେଉଛନ୍ତି, ସେଠାରେ ଆମ ପ୍ରଶିକ୍ଷକମାନେ ବି ଉପସ୍ଥିତ ରହି କିଛି ଶିଖିବା ଦରକାର ବୋଲି ସେ ଜୋର୍‌ ଦେଇଛନ୍ତି।
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି କେ ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ସୁଶାନ୍ତ ମହାନ୍ତି, ସମ୍ପାଦକ ସନାତନ ପାଣି, ରାଜ୍ୟ ଟେବୁଲ ଟେନିସ୍‌ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା ନିଜ ନିଜ ମତ ରଖିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ସୂର୍ଯ୍ୟ ପ୍ରସାଦ ରଥ ଏବଂ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତୃତୀୟ ଥର ନିର୍ବାଚିତ ସମ୍ବିତ ମହାପାତ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଶେଷରେ ସୁକେଶ ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ। ଓସ୍‌ଜାର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର