କୋଚି: ଦେଶର ଏକମାତ୍ର ବିଶ୍ବ ଦୌଡ଼କୁଦ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ ସୋମବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କର ଗୋଟିଏ କିଡ୍‌ନି ଥିଲେ ମଧ୍ୟ ସେ ବିଶ୍ବସ୍ତରୀୟ ସଫଳତା ପାଇଛନ୍ତି। ଅନେକ ଯନ୍ତ୍ରଣା ଭିତରେ ଏପରିକି ପେନ୍‌କିଲର୍ ନେଇ ସେ ଅନେକ ପ୍ରତିବଂଧକ ଅତିକ୍ରମ କରିଥିବା କହିଛନ୍ତି। ଦେଶର ପ୍ରଥମ ତଥା ଶେଷ ବିଶ୍ବ ଦୌଡ଼କୁଦ ପଦକ ବିଜୟିନୀ ଅଞ୍ଜୁ କହିଛନ୍ତି ‘ଆପଣ ବିଶ୍ବାସ କରନ୍ତୁ କି ନା, ମୁଁ ଅନ୍ୟ ସମସ୍ତଙ୍କ ମଧ୍ୟରେ ଭାଗ୍ୟବାନ ଯେ ଗୋଟିଏ କିଡ୍‌ନିରେ ରହି ବିଶ୍ବର ଶୀର୍ଷରେ ପହଞ୍ଚିପାରିଛି। ଆଲର୍ଜି କାରଣରୁ ପେନକିଲର୍‌ ନେଇଛି, ନିସ୍ତେଜ ପ୍ରାୟ ପାଦରେ ଦୌଡ଼ ଆରମ୍ଭ କରିଛି ତଥାପି ସଫଳତା ଦିଗରେ ଅଗ୍ରସର ହୋଇଛି। ଏହାକୁ ଆପଣ ଏବେ ମୋ ପ୍ରଶିକ୍ଷକଙ୍କ ଯାଦୁ କିମ୍ବା ମୋ ପ୍ରତିଭା କହି ପାରନ୍ତି ବୋଲି ଅଞ୍ଜୁ ପ୍ରକାଶ କରିଛନ୍ତି। ୨୦୦୩ ପ୍ୟାରିସ୍ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଞ୍ଜୁ ଐତିହ‌ାସିକ ସଫଳତା ଭାବେ ଲଙ୍ଗଜମ୍ପ୍‌ କାଂସ୍ୟ ପଦକ ହାସଲ କରିଥିଲେ। ୨୦୦୫ରେ ମଧ୍ୟ ଅଞ୍ଜୁ ମୋନାକୋ ଆଇଏଏଏଫ ବିଶ୍ବ ଦୌଡକୁଦ ଫାଇନାଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ପ୍ୟାରିସ୍‌ରେ ବିଶ୍ବ କାଂସ୍ୟ ପଦକ ଜିତିବାର ମାତ୍ର ୨୦ ଦିନ ପୂର୍ବରୁ ମୋତେ ଜର୍ମାନିରେ ଜଣେ ଡାକ୍ତର ୬ ମାସ ବିଶ୍ରାମ ପରାମର୍ଶ ଦେଇଥିଲେ। ମୁଁ କିନ୍ତୁ ଯନ୍ତ୍ରଣା ଭିତରେ ପଦକ ଜିତିବାର ସଙ୍କଳ୍ପକୁ ସାକାର ରୂପ ଦେଇଥିଲି। ବର୍ତମାନର ମହାମାରୀ ପରିସ୍ଥିତିରେ ଖେଳାଳିମାନେ ଅଭ୍ୟାସ ସୁଯୋଗ ପାଉନଥିବାରୁ ମନୋବଳ ନ ହରାଇବାକୁ ସେ ଏଭଳି ନିଜ ଉଦାହରଣ ଦେଇଛନ୍ତି।

Advertisment

୨୦୦୧ରେ ଅନ୍ତର୍ଜାତୀୟ ପଦାର୍ପଣ କରିବାର କିଛି ଦିନ ପୂର୍ବରୁ ହିଁ ଅଞ୍ଜୁ ଗୋଟିଏ କିଡ୍‌ନି ଥିବା ଜାଣିବାକୁ ପାଇଥିଲେ। ବେଙ୍ଗାଲୁରୁରେ ଏକ ସ୍ବାସ୍ଥ୍ୟ ପରୀକ୍ଷଣ ବେଳେ ଏହା ଜାଣିବା ପରେ ଭାଙ୍ଗିପଡ଼ିଥିଲି। ସ୍ବାମୀ ତଥା ପ୍ରଶିକ୍ଷକ ରବର୍ଟ ବବି ଜର୍ଜ ହିଁ ମୋତେ ଖେଳ ଜୀବନ ଜାରି ରଖି ସଫଳତା ଲାଗି ପ୍ରବର୍ତ୍ତାଇଥିଲେ। ସମସ୍ୟା ଉପୁଜିଲେ ସେ ତାଙ୍କ କିଡ୍‌ନି ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ମୁଁ ଯଦି ସେତେବେଳେ ଏ ସମ୍ପର୍କରେ ସାଧାରଣରେ ପ୍ରକାଶ କରିଥାନ୍ତି ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ଅଞ୍ଜୁ ଏଭଳି ଗୋପନ ପେଡି ଖୋଲିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ‘ଅଞ୍ଜୁ ତୁମ କଠିନ ପରିଶ୍ରମ, ସଙ୍କଳ୍ପ ଓ ତ୍ୟାଗ କାରଣରୁ ଦେଶ ଗୌରବାନ୍ବିତ ହୋଇଛିା’। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା (କାଂସ୍ୟ, ୨୦୦୩) ଏବଂ ଆଇଏଏଏଫ ବିଶ୍ବ ଦୌଡ଼କୁଦ ଫାଇନାଲ୍ସ (ସ୍ବର୍ଣ୍ଣ, ୨୦୦୫) ବ୍ୟତୀତ ଅଞ୍ଜୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ନିଜ ବ୍ୟକ୍ତିଗତ‌ ‌େଶ୍ରଷ୍ଠ ୬.୮୩ ମିଟର୍‌ ସହ ପଞ୍ଚମ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ୨୦୦୨ ବୁସାନ ଏସୀୟ କ୍ରୀଡ଼ାରେ ୬.୫୩ ମିଟର୍ ସହିତ ସ୍ବର୍ଣ୍ଣ ପଦକ ଜିତି ବିଶ୍ବ ପଦକର ସଙ୍କେତ ଦେଇଥିଲେ।

କେରଳର ଚିରଞ୍ଚିରା ଗ୍ରାମରେ ଜନ୍ମିତ ଅଞ୍ଜୁଙ୍କ ଅନ୍ୟ ଅନ୍ତର୍ଜାତୀୟ ସଫଳତା ମଧ୍ୟରେ ରହିଛି ରାଜ୍ୟଗୋଷ୍ଠୀ (କାଂସ୍ୟ, ୨୦୦୨, ମାଞ୍ଚେଷ୍ଟର), ଏସୀୟ କ୍ରୀଡ଼ା (ସ୍ବର୍ଣ୍ଣ, ବୁସାନ, ୨୦୦୨) ଓ ରୌପ୍ୟ (ଦୋହା, ୨୦୦୬), ଏସୀୟ ପ୍ରତିଯୋଗିତା (୨୦୦୫-ସ୍ବର୍ଣ୍ଣ, ୨୦୦୭-ରୌପ୍ୟ) ଏବଂ ଦକ୍ଷିଣ ଏସୀୟ କ୍ରୀଡ଼ା (କଲମ୍ବୋ, ୨୦୦୬-ସ୍ବର୍ଣ୍ଣ) ଗୌରବ।