ଭୁବନେଶ୍ବର: ଏଆଇଟିଏ-ଓଟିଏ ସର୍ବଭାରତୀୟ ସୁପର ‌ସିରିଜ୍‌ ୧୪ ଓ ୧୬ ବର୍ଷରୁ କମ୍‌ ରୢାଙ୍କିଂ ଟେନିସ୍‌ ପ୍ରତିଯୋଗିତା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌ରେ ଶେଷ ହୋଇଛି। ୧୪ ଓ ୧୬ ବର୍ଷରୁ କମ୍‌ ବାଳକ ଏକକ ଏବଂ ୧୬ ବର୍ଷରୁ କମ୍‌ ବାଳକ ଯୁଗଳରେ ଟ୍ରଫି ଜିତି ଆହାନ ମିଶ୍ର ତ୍ରିମୁକୁଟ କରାୟତ୍ତ କରିଛନ୍ତି। ୧୪ ବର୍ଷରୁ କମ୍‌ ଫାଇନାଲ୍‌ରେ ସେ ଉତ୍ତରପ୍ରଦେଶର କୌସ୍ତୁଭ ସିଂହଙ୍କୁ ୬-୦, ୬-୦ ସେଟ୍‌ରେ ଏବଂ ୧୬ ବର୍ଷରୁ କମ୍ ଫାଇନାଲ୍‌ରେ କର୍ଣ୍ଣାଟକର ଅଭିବାଦ୍ୟ ମିଶ୍ରାଙ୍କୁ ୬-୩, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ୧୬ ବର୍ଷରୁ କମ୍‌ ବାଳକ ଯୁଗଳରେରେ ଆହାନ ଓ କର୍ଣ୍ଣାଟକର ଅଭିବାଦ୍ୟ ୬-୨, ୬-୧ ସେଟ୍‌ରେ ଓଡ଼ିଶା ଯୋଡ଼ି ଅଂଶୁମାନ ଆଚାର୍ଯ୍ୟ ଓ ସୁତବ୍ୟ କର୍ମକାରଙ୍କୁ ପରାସ୍ତ କରିଥିଲେ। ୧୬ ବର୍ଷରୁ କମ୍‌ ବାଳିକା ଏକକ ଓ ଯୁଗଳରେ ଓଡ଼ିଶାର ଏକ ନମ୍ବର ଖେଳାଳି ଦ୍ବିମୁକୁଟ ପାଇଛନ୍ତି।

Advertisment

ଜାତୀୟ ପ୍ରତିଯୋଗିତାରେ ଦ୍ବିମୁକଟ ହାସଲ କରିଥିବା ଆହନ ଏକକରେ ତାମିଲନାଡ଼ୁର ଜେମିମା ରେବେକା ଖ୍ରୀଷ୍ଟିନ ଜନ୍‌ଙ୍କୁ ସିଧାସଳଖ ୬-୦, ୬-୦ ସେଟ୍‌ରେ ଏବଂ ଯୁଗଳରେ ସେ ଓ ତାଙ୍କ ସାଥୀ ଶାଜଫା ସେଖ୍‌ ୬-୧, ୬-୪ ସେଟ୍‌ରେ ପଶ୍ଚିମବଙ୍ଗର ସୁଦୀକ୍ଷା ବାନାର୍ଜୀ ଓ ତାମିଲନାଡ଼ୁର ରେବେକାଙ୍କୁ ହରାଇଥିଲେ। ୧୪ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ଦୁଇ ଓଡ଼ିଆ ଝିଅ ଖେଳି ଓଡ଼ିଶାକୁ ୧-୨ ସଫଳତା ଦେଇଛନ୍ତି। ଶାଜଫା ୪-୬, ୬-୩, ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସଂରଚନା ଦାସଙ୍କୁ ହରାଇ ଟ୍ରଫି ହାତେଇଛନ୍ତି। ଏଥିସହ ଶାଜଫା ମଧ୍ୟ ଦ୍ବିମୁକୁଟ ସଫଳତା ପାଇଛନ୍ତି। 

୧୪ ବର୍ଷରୁ କମ୍‌ ବାଳକ ଯୁଗଳରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଦିଲ୍ଲୀର ଅର୍ଶ କାଠୁରିଆ ଓ ଆସାମର ଚାନ୍ଦୋଗ୍ୟ ତ୍ରିଦେବ ପାଠକ ୭-୫, ୬-୩ ସେଟ୍‌ରେ କର୍ଣ୍ଣାଟକର ୟଶ କୁମାର ଓ ଉତ୍ତରପ୍ରଦେଶର କୌସ୍ତୁଭ ସିଂହଙ୍କୁ ମାତ୍‌ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଓଟିଏର ଯୁଗ୍ମ ସମ୍ପାଦକ ତଥା ପ୍ରତିଯୋଗିତା ନିର୍ଦେଶକ ସଂଜୀବ ପଣ୍ଡା, ଓଟିଏ ପ୍ରଶାସାନିକ ଅଧିକାରୀ ସମ୍ବିତ ପଟ୍ଟନାୟକ ଓ ଏଆଇଟିଏ ପର୍ଯ୍ୟବେକ୍ଷକ ପ୍ରବୀଣ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।