ନୂଆଦିଲ୍ଲୀ: ଟ୍ୟୁନିସିଆରେ ଆୟୋଜିତ ବିଶ୍ବ ଟେବୁଲ ଟେନିସ ୟୁଥ କଣ୍ଟେଣ୍ଡର ୧୫ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ଓଡ଼ିଆ ପୁଅ ସାର୍ଥକ ଆର୍ଯ୍ୟ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍‌ରେ ରିଆନ୍‌ ଭୂତାଙ୍କୁ ସାଥୀ କରି ୧୪ ବର୍ଷୀୟ ସାର୍ଥକ ୦-୩ରେ ହଂକଂର ଲାଉ ଏଡେନ ଓ ମାକ୍‌ ମିଙ୍ଗ ସୁମ୍‌ଙ୍କଠୁ ହାରି ଯାଇଥିଲେ। ବିଶ୍ବସ୍ତରୀୟ ଟିଟିରେ ସଫଳତା ହାସଲ କରିଥିବା ସାର୍ଥକ ଏଥି ପୂର୍ବରୁ ଜାତୀୟସ୍ତରୀୟ ୧୫ ବର୍ଷରୁ କମ୍‌ ଏକକରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ୧୭ ବର୍ଷରୁ କମ୍‌ରେ ଜାତୀୟସ୍ତରୀୟ ଦଳଗତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ଜାତୀୟସ୍ତରୀୟ ସ୍କୁଲ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ସିବିଏସ୍‌ଇ ପ୍ରତିଯୋଗିତାରେ ସାର୍ଥକ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସୁଚନାଯୋଗ୍ୟ, ସାର୍ଥକ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍‌ ଅର୍ନ୍ତଗତ ଗୁଣ୍ଠିଲୋ ଗରମା ଗ୍ରାମର ମୂଳ ବାସିନ୍ଦା। ସୋନିପତ୍‌ର ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌)‌ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସାର୍ଥକ ଆଗକୁ ଅଲିମ୍ପିକ୍ସ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବାର ଲକ୍ଷ୍ୟ ରଖିଛନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ସାର୍ଥକ ହରିୟାଣାର ସୋନିପତସ୍ଥିତ ପିଏସ୍‌ପିବିରେ ପ୍ରଶିକ୍ଷଣ ନେବାସହିତ ଦୈନିକ ୮ ଘଣ୍ଟାର ପରିଶ୍ରମ କରୁଛନ୍ତି।