ବ୍ୟାଙ୍କକ୍‌ରେ ଅନୁଷ୍ଠିତ ବିଶ୍ବ ଟେନିସ୍‌ ସମ୍ମିଳନୀରେ ଶୁଭ୍ରାଂଶୁ

ଭୁବନେଶ୍ବର: ରାଜ୍ୟର ଏକାଧିକ ଟେନିସ୍ ଖେଳାଳିଙ୍କ ଖେଳ ଜୀବନ ଗଢ଼ିଥିବା ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀଙ୍କୁ ମିଳିଛି ଆଉ ଏକ ବଡ଼ ସୁଯୋଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଆଇଟିଏଫ୍‌ ବିଶ୍ବସ୍ତରୀୟ ପ୍ରଶିକ୍ଷକଙ୍କ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରି ପ୍ରଚୁର ଅଭିଜ୍ଞତା ଅର୍ଜନ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ଆଇଟିଏଫ୍‌ ପ୍ରଶିକ୍ଷକଙ୍କ ଏହି ବାର୍ଷିକ ଶିକ୍ଷା କାର୍ଯ୍ୟକ୍ରମରେ ୯୦ ଦେଶରୁ ପ୍ରାୟ ୬୫୦ ଜଣ ଭାଗ ନେଇଥିଲେ। ଖେଳାଳିଙ୍କ ଯାତ୍ରାକୁ ଲମ୍ବା କରିବା ସହିତ ସେମାନଙ୍କ ଦାୟିତ୍ବ ଏବଂ ନେତୃତ୍ବ ନେବାର ବିଷୟବସ୍ତୁ ଉପରେ ଏଥର ଆଲୋଚନା ହୋଇଥିଲା। ଜଣେ ଖେଳାଳିଙ୍କୁ ଆଦ୍ୟ ଜୀବନଠାରୁ ଆରମ୍ଭ କରି ପେସାଦାର ଭାବେ ଗଢ଼ି‌ ତୋଳିବା ଏବଂ ସାରା ଜୀବନ ତାଙ୍କୁ ଟେନିସ୍ ସହ ରଖିବାର ଭୂମିକା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଖେଳାଳି ଜୀବନରେ ନିଜେ ଏକଦା ରାଜ୍ୟର ଏକ ନମ୍ବର ଥିବା ଶୁଭ୍ରାଂଶୁ ପରବର୍ତୀ ସମୟରେ ରାଜ୍ୟର ଏକ ନମ୍ବର ପ୍ରଶିକ୍ଷକ ହେବାର‌ ଗୌରବ ଆଣିଛନ୍ତି। ବିଏସଏଫ୍‌ରୁ ଅବସରପ୍ରାପ୍ତ ଏହି ୫୯ ବର୍ଷୀୟ ସମ୍ବଲପୁର ବ୍ୟକ୍ତିତ୍ବ ଏବେ ଆଇଟିଏଫ୍‌ ଲେବୁଲ୍‌-୨ର ପ୍ରଶିକ୍ଷକ ଅଛନ୍ତି। ‌ଓଡ଼ିଶା ଏବଂ ଦେଶର ଏକାଧିକ ଯୁବ ଖେଳାଳିଙ୍କୁ ଗଢ଼ି ତୋଳିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ। ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ଦୟିତ୍ବ ମଧ୍ୟ ସେ ତୁଲାଇ ସାରିଛନ୍ତି।

ସମ୍ବନ୍ଧିତ ଖବର