ଲଣ୍ଡନ: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ରେ ଶତକ ମାରିବାରେ ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ ପ୍ରଥମ ଖେଳାଳି ହୋଇଛନ୍ତି। କିଙ୍ଗଷ୍ଟନ୍‌ ଓଭାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଡବ୍ଲୁଟିସି ଦ୍ବିତୀୟ ସଂସ୍କରଣର ଫାଇନାଲ୍‌ରେ ହେଡ୍‌ ଓ ‌ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଦ୍ବିଶତକୀୟ ଭାଗୀଦାରି (୨୫୧* ରନ୍‌, ୩୭୦ ବଲ୍‌) ହୋଇଛି। ଯାହାଫଳରେ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍‌ ବିନିମୟରେ ୩୨୭ ରନ୍‌ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି। ସ୍ମିଥ୍‌ ୯୫* (୨୨୭ ବଲ୍‌, ୧୪ ଚୌକା) ଓ ହେଡ୍‌ ୧୪୬* (୧୫୬ ବଲ୍‌, ୨୨ ଚୌକା, ୧ ଛକା‌) ରନ୍‌ କରି ଅପରାଜିତ ଅଛନ୍ତି। ଡବ୍ଲୁଟିସି ଫାଇନାଲ୍‌ରେ ମଧ୍ୟ ପ୍ରଥମ ଥର ଶତକୀୟ ଭାଗୀଦାରି ‌ହୋଇପାରିଛି। ଏଥିପୂର୍ବରୁ ଗତ ସଂସ୍କରଣ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡର ଦ୍ବିତୀୟ ପାଳିରେ ରସ୍‌ ଟେଲର ଓ କେନ୍‌ ୱିଲିୟମସନ୍‌ଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୯୬* ରନ୍‌ ସର୍ବୋଚ୍ଚ ଥିଲା।

Advertisment

୫୦ତମ ଟେଷ୍ଟ ଖେଳୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଫାଇନାଲ୍‌ରେ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ତେବେ ସମସ୍ତ କଳ୍ପନାର ଅନ୍ତ ଘଟାଇ ଭାରତୀୟ ଏକାଦଶରେ ରବୀନ୍ଦ୍ର ଜାଦେଜା ଏକମାତ୍ର ସ୍ପିନର ଭାବେ ସାମିଲ ହୋଇଥିଲା ବେଳେ ୪ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର ଓ ଉମେଶ ଯାଦବ ବୋଲିଂ କ୍ରମ ଦାୟିତ୍ବ ନେଇଥିଲେ। ଘାସୁଆ ପିଚ୍‌ରୁ ପ୍ରାରମ୍ଭିକ ଫାଇଦା ଉଠାଇ ସିରାଜ ଚତୁର୍ଥ ଓଭରରେ ଉସ୍ମାନ ଖୱାଜାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍‌ କରିଥିଲେ। ଡେଭିଡ୍‌ ୱାର୍ଣ୍ଣର ଓ ମାର୍ନସ ଲବୁସାନ୍‌ ରକ୍ଷଣାତ୍ମକ ଖେଳୁଥିଲେ ବି ଦଳୀୟ ରନ୍‌ ୭୧ ହୋଇଥିଲା ବେଳେ ୱାର୍ଣ୍ଣରଙ୍କୁ ଶାର୍ଦୁଳ ଆଉଟ କରି ଦ୍ବିତୀୟ ସଫଳତା ଦେଇଥିଲେ। ୱାର୍ଣ୍ଣରଙ୍କୁ ଆଉଟ୍‌ କରିବାରେ କେଏସ୍‌ ଭରତଙ୍କ ଡାଇଭ୍‌ କ୍ୟାଚ୍‌କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ୫ ରନ୍‌ ବ୍ୟବଧାନରେ ଲବୁସାନ୍‌ଙ୍କୁ ସାମି ପ୍ରଥମ ଶିକାର କରିଥିଲେ। କିନ୍ତୁ ଏହାପରଠୁ ପିଚ୍‌ରେ ସ୍ମିଥ୍‌ ଓ ମଧ୍ୟାହ୍ନ ଭୋଜନ ପରେ ବ୍ୟାଟିଂ ଆସିଥିବା ହେଡ୍‌ ଭାରତୀୟ ବୋଲରଙ୍କୁ ପ୍ରବଳ ଖଟାଇଥିଲେ। ‌ଗୋଟିଏ ପଟରୁ ହେଡ୍‌ ଦ୍ରୁତ ଭାବେ ରନ୍‌ ବାହାର କରୁଥିଲା ବେଳେ ସ୍ମିଥ୍‌ ରକ୍ଷଣାତ୍ମକ ଖେଳୁଥିଲେ। ହେଡ୍‌ ୧୦୬ ବଲ୍‌ରୁ ଭାରତ ବିପକ୍ଷରେ ଷଷ୍ଠ ଟେଷ୍ଟ ଶତକ ଅର୍ଜନ କରିଥିଲା ବେଳେ ସ୍ମିଥ୍‌ ୩୧ତମ ଶତକର ନିକଟତର ହୋଇଛନ୍ତି।