ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌: ଅଶ୍ବିନ ବାଦ୍‌ ପଡ଼ିବାରୁ ପୂର୍ବତନ କ୍ରିକେଟର୍ ଅସନ୍ତୋଷ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଅଫସ୍ପିନର୍‌ ଆର୍ ଅଶ୍ବିନଙ୍କୁ ଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ଭାରତ ଖେଳାଇନଥିବାରୁ ପୂର୍ବତନ କ୍ରିକେଟର୍ ମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ଅଶ୍ବିନଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଦେଜା ଦଳର ଏକମାତ୍ର ସ୍ପିନର୍ ଭାବେ ଖେଳିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରି ଦେଇଥିବାବେଳେ ଜାଦେଜା ମାତ୍ର ଗୋଟିଏ ୱିକେଟ୍ ଦଖଲ କରିବାରେ ସଫଳ ହୋଇଛନ୍ତି। ଭାରତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିଥିବାରୁ ପୂର୍ବତନ କ୍ରିକେଟରମାନେ ସମାଲୋଚନା କରିଛନ୍ତି। ଅଶ୍ବିନ୍‌ ଏବେ ଆଇସିସି ଟେଷ୍ଟ୍ ମାନ୍ୟତାରେ ଏକ ନମ୍ବର ବୋଲର ଥିବାବେଳେ ଚଳିତ ୨୦୨୧-୨୩ ଡବଲ୍ୟୁଟିସି ଚକ୍ରରେ ଅଗ୍ରଣୀ ବୋଲର ଅଛନ୍ତି। ଏହି ୨ ବର୍ଷ ଅବଧି ମଧ୍ୟରେ ଅଶ୍ବିନ୍ ୧୩ ଟେଷ୍ଟରୁ ସର୍ବାଧିକ ୬୧ ୱିକେଟ୍ ନେଇ ଭାରତକୁ ଫାଇନାଲ୍ ପର୍ଯ୍ୟନ୍ତ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। କିନ୍ତୁ ଇଂଲଣ୍ଡ ପରିବେଶରେ ଅଶ୍ବିନ ପ୍ରଭାବିତ ହୋଇନଥିବାରୁ ଭାରତୀୟ ମ୍ୟାନେଜମେଣ୍ଟ୍‌ ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ବାସ କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଶ୍ବିନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ପରଠାରୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ଢ଼େର ସମାଲୋଚନା କରିଛନ୍ତି। ବିଶେଷ କରି ଟ୍ରାଭିସ୍ ହେଡ୍‌ ଓ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟରେ ୨୮୫ ରନ୍‌ ସଂଗୃହିତ ହେବା ସମୟ‌ରେ ଅଶ୍ବିନଙ୍କ ଅଭାବ ଦଳ ଅନୁଭବ କରିଥିଲା। ଏହି ଭାଗୀଦାରିକୁ ଭାଙ୍ଗିବା ଲାଗି ଭାରତକୁ ଦ୍ବିତୀୟ ନୂଆ ବଲ୍ ସହିତ ଦ୍ବିତୀୟ ଦିବସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟର୍‌ ମାଥ୍ୟୁ ‌ହେଡେନ୍‌ କହିଛନ୍ତି ‘ମଁ ଅନୁଭବ କରୁଛି ଅଶ୍ବିନ୍ ଦଳର ଚାବିକାଠି, ଟେଷ୍ଟ୍ ବଳୟର ସେ ଅଗ୍ରଣୀ ବୋଲର ଏବଂ ବିଶ୍ବର ଏକ ନମ୍ବର। ଭାରତୀୟ ଦଳର ସମ୍ଭାବନାକୁ ଏହା ପ୍ରଭାବିତ କରିବ’। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ କିନ୍ତୁ ସିଧାସଳଖ କହିଛନ୍ତି ବର୍ତମାନ ପର୍ଯ୍ୟନ୍ତ ଏହା ଏକ ‘ତ୍ରୁଟି’ ଲାଗୁଛି। ୪ ଜଣ ସିମରଙ୍କୁ ଖେଳାଇବା ଠିକ୍ ଲାଗୁନି। ଏହି ଯୋଜନା କିଭଳି ଯାଉଛି ଦେଖିବାର ଅଛି। ମ୍ୟାଚ୍‌ ଆଗେଇବା ସହିତ ପିଚ୍ ନିଶ୍ଚିତ ଟର୍ଣ୍ଣ କରିବ। ଅଷ୍ଟ୍ରେଲିଆ ଦଳରେ ଏକାଧିକ ବାମହାତୀ ଥିବାରୁ ଅଶ୍ବିନ୍‌ଙ୍କ ଭଳି ଅଫସ୍ପିନର୍‌ ଥିଲେ ନିଶ୍ଚିତ ଅସୁବିଧାରେ ପକାଇଥାନ୍ତେ। କାରଣ ଟେଷ୍ଟ୍ କ୍ରିକେଟରେ ବାମହାତୀଙ୍କ ବିପକ୍ଷରେ ଅଶ୍ବିନ୍ ସଫଳ ବୋଲର।

ଟସ୍ ବିଜୟ ପରେ ଫିଲଡିଂ ନିଷ୍ପତ୍ତିକୁ ମଧ୍ୟ ମାଥ୍ୟୁ ହେଡେନ୍‌ ନାପସନ୍ଦ କରିଛନ୍ତି। ଭାରତୀୟ ଅଧିନାୟକ ଟ୍ରିକ୍ ମିସ୍ କରିଛନ୍ତି ବୋଲି ‌ହେଡେନ୍ କହିଛନ୍ତି। ଅଷ୍ଟ୍ରେଲିଆ ସାଧାରଣତଃ ଟେଷ୍ଟ୍‌ରେ ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ କରିଥାନ୍ତି ବୋଲି ସେ କହିଥିଲେ। ପିଚ୍‌ରେ ଘାସ ଥିଲା କିନ୍ତୁ ମୋତେ ଭିତର ଶୁଖିଲା ଲାଗୁଥିଲା ବୋଲି ପଣ୍ଟିଂ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଦୁଇଟି କାରଣ ପାଇଁ ଭାରତ ଏହାର ବୋଲିଂ ବିଭାଗକୁ ୪-୧ରେ ଖେଳାଇଥିବା ବିଶ୍ବାସ କରାଯାଉଛି। ପ୍ରଥମତଃ ୨ ବର୍ଷ ତଳେ ସେହି ଇଂଲଣ୍ଡରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଡବଲ୍ୟୁଟିସି ଫାଇନାଲ୍‌ରେ ଭାରତ ୩-୨ (୨ ସ୍ପିନର) ନେଇ ଖେଳିଥିଲେ ମଧ୍ୟ ଉଭୟ ସ୍ପିନର ପ୍ରଭାବହୀନ ରହିଥିଲୋ। ଅବଶ୍ୟ ବର୍ଷା କାରଣରୁ ଭାରତୀୟ ସ୍ପିନ୍‌ ଯୋଡ଼ି ନିଷ୍ଫଳ ରହିଥିଲେ। ଦ୍ବିତୀୟତଃ ଦ ଓଭାଲ୍‌ରେ ପ୍ରଥମ ଥର ଜୁନ୍ ମାସରେ ଏକ ଟେଷ୍ଟ୍ ମ୍ୟାଚ୍‌ ଖେଳାଯାଉଥିବାବେଳେ ଚଳିତ ଋତୁରେ ଏହି କାଉଣ୍ଟି ଗ୍ରାଉଣ୍ଡରେ ଘରୋଇ ସରେ ଦଳ ୩ ମ୍ୟାଚ୍‌ ଖେଳିଥିଲେ ମଧ୍ୟ କୌଣସି ଥର ସ୍ପିନର୍‌ ଖେଳିନଥିଲେ। ଏହି ଧାରଣା ଭାରତୀୟ ମ୍ୟାନେଜମେଣ୍ଟ୍‌କୁ ପ୍ରଭାବିତ କରିଥାଇପାରେ ବୋଲି ବିଶ୍ବାସ କରାଯାଉଛି। ଭାରତୀୟ ଦଳ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେ କହିଛନ୍ତି ଓଭାଲର ପାଗ ଓ ପରିବେଶକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାକୁ ଖେଳାଳିମା‌ନେ ବୁଝିଛନ୍ତି। ମ୍ୟାଚ୍‌ ପୂର୍ବ ୪ ଦିନ ଆଭ୍ୟାସ ବେଳେ ଥଣ୍ଡା ପରିବେଶ ଓ ମେଘୁଆ ଆକାଶ ରହୁଥିଲା। ଅତିରିକ୍ତ ଜଣେ ସିମର ଫାଇଦା ହେବ ବୋଲି ବିଶ୍ବାସ କରାଯାଉଛି। ଆମେ କିନ୍ତୁ ଅଧିକ ଶୃଙ୍ଖଳିତ ବୋଲିଂ କରିପାରିଥାନ୍ତୁ ବୋଲି ମହାମ୍ବ୍ରେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର