ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍: ଲକ୍ଷ୍ୟ ୪୪୪, ଭାରତ ୧୬୪/୩

ଲଣ୍ଡନ୍‌ : ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଭାରତ ସମ୍ମୁଖରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିବସ ‌ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରି ନେଇଥିବାରୁ ମ୍ୟାଚ୍ ରୋମାଞ୍ଚକ ମୁହାଁ ‌ହୋଇଛି। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅତୁଟ ଚତୁର୍ଥ ୱିକେଟ୍‌ରେ ୭୧* ରନ୍‌ ଯୋଡ଼ିଥିବାରୁ ଭାରତ ଏବେ ବି ଆଶା ହରାଇନାହିଁ। ଚତୁର୍ଥ ଦିନ ଷ୍ଟମ୍ପ୍ସ ବେଳକୁ କୋହଲି ୪୪* ଏବଂ ରାହାଣେ ୨୦* ରନ୍‌ରେ ବ୍ୟାଟିଂ କରୁଥିଲେ। ରବିବାର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଆଉ ୨୮୦ ରନ୍‌ ଏବଂ ଅଷ୍ଟ୍ରେଲିଆକୁ ୭ ୱିକେଟ୍ ଆବଶ୍ୟକ ରହିଛି ପ୍ରଥମ ଥର ବିଶ୍ବ ଟେଷ୍ଟ୍ ଟ୍ରଫି ଜିତିବାକୁ।

ଶନିବାର ଚତୁର୍ଥ ଦିବସର ମଝି ଅଧିବେସନରେ ଅଷ୍ଟ୍ରେଲିଆ ୨୭୦/୮ରେ ପାଳି ଘୋଷଣା କରିବାରୁ ଭାରତ ଆଗରେ ୪୪୪ ରନ୍‌ର ଆହ୍ବାନଭରା ଲକ୍ଷ୍ୟ ଛିଡ଼ା ହୋଇଥିଲା। ରୋହିତ ଶର୍ମା ଓ ଶୁବମନ ଗିଲ୍‌ ୭ ଓଭରରେ ୪୧ ରନ୍‌ ଉଠାଇ ଭଲ ଆରମ୍ଭ କରିଥିଲେ। ରୋହିତ ମଧ୍ୟ ପ୍ରଥମ ପାଳି ଭଳି ଚୌକାରୁ ଅଭିଯାନ ଆରମ୍ଭ କରିଥିଲେ। ଉଭୟ ପ୍ରାରମ୍ଭିକ ଯୋଡ଼ି ବିଜୟୀ ଆଭିମୁଖ୍ୟ ନେଇ ଖେଳୁଥିବାବେଳେ ଗିଲ୍ ବିବାଦୀୟ ଭାବେ ଆଉଟ୍ ହୋଇଯାଇଥିଲେ। ବୋଲାଣ୍ଡଙ୍କ ବୋଲିଂରେ ତୃତୀୟ ସ୍ଲିପ୍‌ରେ ଗ୍ରିନ୍ ଘାସ ମିଶା କ୍ୟାଚ୍ ନେଇଥିଲେ ମଧ୍ୟ ତୃତୀୟ ଅମ୍ପାୟାର୍‌ ଏହାକୁ ଆଉଟ୍ ଘୋଷଣା କରିଥିଲେ। ରୋହିତଙ୍କ ସହିତ ଯୋଗ ଦେଇ ଚେତେଶ୍ବର ପୂଜାରା ମଧ୍ୟ ଚୌକାରୁ ଅଭିଯାନ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଭାବେ ୫୧ ରନ୍‌ର ଭାଗୀଦାରି କରିଥିଲେ ମଧ୍ୟ ୫ ବଲ୍ ବ୍ୟବଧାନ ଭିତରେ ଉଭୟ ଆଉଟ୍ ହୋଇଯିବାରୁ ଭାରତ ୨୧ ଓଭର ବେଳକୁ ୯୩/୩ରେ ସଂଘର୍ଷ କରିଥିଲା। କୋହଲି (୬୦ ବଲରୁ ୪୪*) ଏବଂ ରାହାଣେ (୫୯ ବଲରୁ ୨୦*) ଚତୁର୍ଥ ଦିବସର ଶେଷ ୨୦ ଓଭର ଅଷ୍ଟ୍ରେଲିଆ ବୋଲରଙ୍କୁ ୱିକେଟ୍‌ ନଦେବାରୁ ମ୍ୟାଚ୍‌ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ରହିଛି।

ପୂର୍ବରୁ ଅଷ୍ଟ୍ରେଲିଆ ତୃତୀୟ ଦିନର ସ୍କୋର୍‌ ୧୨୩/୪ରୁ ଖେଳିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ କାରଣରୁ ହାତଖୋଲା ରନ୍ ସଂଗ୍ରହ କରିପାରିନଥିଲା। ମାର୍ନସ ଲବୁସାନ୍‌ଙ୍କୁ ଉମେଶ ଯାଦବ ସଅଳ ଆଉଟ୍ କରି ଦେଇଥିଲେ। କିନ୍ତୁ ଗ୍ରିନ୍ ଓ ଆଲେକ୍ସ କ୍ୟାରି ଭଲ ଭାଗୀଦାରି କରିବାରୁ ଅଷ୍ଟ୍ରେଲିଆର ଅଗ୍ରଣୀ ବଢ଼ିବଢ଼ି ଯାଇଥିଲା। ଆଲେକ୍ସ କ୍ୟାରି ଏହି ପାଳିର ଏକମାତ୍ର ଅର୍ଦ୍ଧଶତକ (୬୬*) ହାସଲ କରିଥିବା ବେଳେ ମିଚେଲ୍‌ ଷ୍ଟାର୍କ ଓ ପ୍ୟାଟ କମିନ୍ସଙ୍କୁ ସାମି ଲଗାତାର ଓଭରରେ ଆଉଟ୍ କରିଥିଲେ। କମିନ୍ସଙ୍କ ୱିକେଟ୍‌ ପତନ ସହ ଅଷ୍ଟ୍ରେଲିଆ ପାଳି ଘୋଷଣା କରି ଦେଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ୫୦୦୦

ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଆନ୍ତର୍ଜାତିକ ରନ୍‌ କରିବାରେ କୋହଲି ଦ୍ବିତୀୟ ବ୍ୟାଟର୍‌ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୫୦୦୩* ରନ୍‌ କରି ସଚିନ୍‌ ତେନ୍ଦୁଲକର (୬୭୦୭)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଟେଷ୍ଟରେ ୨୦୩୭*, ଦିନିକିଆରେ ୨୧୭୨ ଏବଂ ଟ୍ବେଣ୍ଟି-୨୦ରେ ୭୯୪ ରନ୍‌ କରିଛନ୍ତି। ବ୍ରାଏନ୍‌ ଲାରା ୪୭୧୪ ରନ୍‌ ସହ ତୃତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର