ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ଲାଗି ଆହତ କେଏଲ୍ ରାହୁଲଙ୍କ ସ୍ଥାନରେ ଭାରତୀୟ ୱିକେଟ୍କିପର୍ ବ୍ୟାଟର୍ ଈଶାନ କିଶନଙ୍କୁ ସାମିଲ କରିଛି। ବିସିସିଆଇ ବରିଷ୍ଠ ଚୟନ କମିଟି କେଏଲ୍ ରାହୁଲଙ୍କ ବଦଳ ଖେଳାଳି ଭାବେ ଈଶାନ କିଶନ ନାମ ଘୋଷଣା କରିଛି। ରାହୁଲ ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିଲା ବେଳେ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ ପରେ ରାହୁଲଙ୍କ ଅସ୍ତ୍ରୋପଚାର ହେବ। ଏହାପରେ ପୁନଃଥଇଥାନ ଲାଗି ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ରେ ରହିବେ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଡବ୍ଲୁଟିସି ଫାଇନାଲ୍ରୁ ସେ ଦଳରୁ ବାଦ୍ ପଡ଼ିଥିଲେ। ଆହତ ଯୋଗୁଁ ଅବଶିଷ୍ଟ ଆଇପିଏଲ୍ରୁ ବାଦ୍ ପଡ଼ିଥିବା ଜୟଦେବ ଉନାଦକଟ୍ ସଂପ୍ରତି ବେଙ୍ଗାଲୁରୁ ସ୍ଥିତ ଏନ୍ସିଏରେ ଚିକିତ୍ସିତ ହେଉଛନ୍ତି। ସେ ନେଟ୍ସରେ ବୋଲିଂ ଆରମ୍ଭ କଲେଣି। ତେଣୁ ସେ ଡବ୍ଲୁଟିସି ଫାଇନାଲ୍ରେ ଖେଳିବେ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବ ବିସିସିଆଇ। ସେହିପରି ଏପ୍ରିଲ ୨୬ରେ ଆହତ ହୋଇଥିବା ଉମେଶ ଯାଦବଙ୍କ ସାମାନ୍ୟ ଆଘାତ ସମସ୍ୟା ରହିଛି। କୋଲ୍କାତା ନାଇଟ୍ ରାଇଡର୍ସ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବିସିସିଆଇ ଡାକ୍ତରୀ ଦଳ ନିୟମିତ ଭାବେ କେକେଆର୍ ସହ ଯୋଗାଯୋଗରେ ରହିଛି। ସେ ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ ସୁସ୍ଥ ହେବାର ସମ୍ଭାବନା ରହିଛି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ଉମେଶ ଯାଦବ, ଜୟଦେବ ଉନାଦକଟ୍, ଈଶାନ କିଶନ। ଷ୍ଟାଣ୍ଡ ବାଇ: ଋତୁରାଜ ଗାଏକ୍ବାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।