ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ଲର୍ଡସ ନୁହେଁ, ସାଉଥମ୍ପଟନ୍‌ରେ ଫାଇନାଲ୍

ମ୍ୟାଚ୍ ପରେ ଭାରତ ଫେରିବନି ଟିମ୍ ଇଣ୍ଡିଆ, ଏସିଆ କପ୍ ଲାଗି ଦ୍ବିତୀୟ ସ୍ତରୀୟ ଦଳ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ୍ ଲର୍ଡସ ପରିବର୍ତ୍ତେ ସାଉଥ୍‌ମ୍ପଟନ୍‌ରେ ଖେଳାଯିବ। ‌ଇଂଲଣ୍ଡରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା କ୍ଷିପ୍ର ଗତିରେ ପ୍ରତ୍ୟାବର୍ତ୍ତନ କରିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଆଇସିସି ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ(ଇସିବି)। ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରୁ ଡବ୍ଲ୍ୟୁଟିସି ଫାଇନାଲ୍ ସ୍ଥାନାନ୍ତର ହେବାର ଆକଳନ ଓ ଚର୍ଚା ଗତ କିଛି ଦିନ ହେବ ଚାଲିଥିଲା ବେଳେ ସୋମବାର ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ଖବର ଉପରେ ଆନୁଷ୍ଠାନିକ ମୋହର ମାରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ୍ ସାଉଥମ୍ପଟନ୍‌ର ଏଜେସ୍ ବାୱେଲଠାରେ ଖେଳାଯିବାକୁ ଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି ସେ।

ଏହି ଷ୍ଟାଡିୟମ୍‌ ପରିସରରେ ହିଁ ପଞ୍ଚତାରକା ହିଲଟନ୍ ହୋଟେଲ ଥିବାରୁ ଖେଳାଳିମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଜେସ୍ ବାୱେଲ୍‌କୁ ବଛାଯାଇଥିବା ଗାଙ୍ଗୁଲି ଏହି ଅବସରରେ ସୂଚନା ଦେଇଛନ୍ତି। ଖେଳାଳିମାନେ ଯେମିତି କୌଣସି ବାହାର ଲୋକର ସଂସ୍ପର୍ଶରେ ନଆସନ୍ତି, ସେଥିଲାଗି ଜୁନ୍ ୧ରୁ ୨୬ ପର୍ଯ୍ୟନ୍ତ ଏହି ହୋଟେଲର ସମସ୍ତ କୋଠରିକୁ ଇସିବି ବୁକ୍ କରି ନେଇଥିବା ଜଣାପଡ଼ିଛି। ଖେଳ ପରିବେଶ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନଥିବା ଆଇସିସି କିନ୍ତୁ ଏହି ମ୍ୟାଚ୍ ଲାଗି ସଂରକ୍ଷିତ ଦିବସର ବ୍ୟବସ୍ଥା କରିଛି। ଇଂଲଣ୍ଡର ପାଣିପାଘ ହଠାତ୍ ବଦଳି ଯାଉଥିବାରୁ ଯଦି ମ୍ୟାଚ୍ ଅବସରରେ ଯଦି ବର୍ଷା ହୁଏ, ତାହାଲେ ଏହି ସଂରକ୍ଷିତ ଦିବସକୁ ଉପଯୋଗ କରି ଧୋଇ ଯାଇଥିବା ଓଭରଗୁଡ଼ିକର ଭରଣା କରାଯିବ। ସୂଚନାଯୋଗ୍ୟ ଯେ ଡବ୍ଲ୍ୟୁଟିସି ଫାଇନାଲ୍ ଜୁନ୍ ୧୮ରୁ ଆରମ୍ଭ ହୋଇ ୨୨ରେ ଶେଷ ହେବ।

କଡ଼ା ସଙ୍ଗରୋଧ
ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଉଭୟ ଭାରତ ଏବଂ ଇଂଲଣ୍ଡ ଖେଳାଳିମାନେ କଡ଼ା ସଙ୍ଗରୋଧରେ ରହିବେ। ବିଶେଷକରି ଭାରତୀୟ ଖେଳାଳିମାନେ ସଙ୍ଗରୋଧ‌ରେ ୧୪ ଦିନ କଟାଇବେ। ଭାରତୀୟ ଖେଳାଳିମାନେ ମଧ୍ୟ ଏଥିଲାଗି ରାଜି ଅଛନ୍ତି। କୋଭିଡ୍-୧୯ ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଅବଶ୍ୟ ଏହି ନିୟମର ସମୀକ୍ଷା କରାଯାଇପାରେ। ଅଷ୍ଟ୍ରେଲିଆ ଗସ୍ତ ଭଳି ପ୍ରଥମ ୩ରୁ ୫ ଦିନର କଠୋର ସଙ୍ଗରୋଧ ପରେ ବଳକା ୯ ଦିନ ଏଥିରେ କିଛିଟା କୋହଳ କରାଯାଇପାରେ। ପ୍ରଥମ ୫ ଦିନର ସଙ୍ଗରୋଧ ପରେ ମଧ୍ୟ ଖେଳାଳିମାନେ ଜୈବବଳୟ ଭିତରେ ଅଭ୍ୟାସ ଆରମ୍ଭ କରିବେ।

ମ୍ୟାଚ୍ ପରେ ଭାରତ ଫେରିବନି ଟିମ୍ ଇଣ୍ଡିଆ
୧୪ ଦିନର ସଙ୍ଗରୋଧରେ ରହି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ଖେଳି ସାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତୁରନ୍ତ ସ୍ବଦେଶ ଫେରିବ ନାହିଁ। ବରଂ ସେଠାରେ ରହି ଇଂଲଣ୍ଡ ବିପକ୍ଷ ଆଗାମୀ ଶୃଙ୍ଖଳା ଲାଗି ପ୍ରସ୍ତୁତି କରିବ। ପାଗ ଓ ପରିବେଶରେ ନିଜକୁ ଖାପଖୁଆଇବାକୁ ଚେଷ୍ଟା କରିବ। କୋହଲି ବାହିନୀ ଅଗଷ୍ଟରେ ସ୍ବଦେଶ ଫେରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିବ। ଏହା ପରେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଘରୋଇ ପରିବେଶରେ ହିଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପରେ ଡିସେମ୍ବର ‌ଶେଷ ଆଡ଼କୁ ଦକ୍ଷିଣ ଆଫ୍ରିକା ଯାଇ ସେଠାରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବ।
ଏସିଆ କପ୍ ଲାଗି ଦ୍ବିତୀୟ ସ୍ତରୀୟ ଦଳ
ଭାରତୀୟ କ୍ରିକେଟ୍ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିବା ପରେ ବିସିସିଆଇ ଏବେ ଦ୍ବନ୍ଦ୍ବରେ ପଡ଼ିଛି। ଏସିଆ କପ୍ ମଧ୍ୟ ଜୁନ୍ ମାସ ଶେଷ ଭାଗରେ ଖେଳାଯିବାକୁ ଥିବାରୁ ଏହି ପ୍ରତିଯୋଗିତା ଲାଗି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଦ୍ବିତୀୟ ସ୍ତରୀୟ ଦଳ ପଠାଇପାରେ। ତେବେ ଏହା ଏସୀୟ କ୍ରିକେଟ୍ ପରିଷଦ (ଏସିୟୁ)ର ନିଷ୍ପତ୍ତି ଉପରେ ନିର୍ଭର‌ କରିବ। ଏସିୟୁ ଯଦି ଏସିଆ କପ୍‌କୁ ଜୁନ୍ ‌ଶେଷ ସପ୍ତାହରେ କରିବାକୁ ନିଷ୍ପତ୍ତି ନିଏ, ତାହେଲେ ବିସିସିଆଇ କେଏଲ୍ ରାହୁଲଙ୍କ ନେତୃତ୍ବରେ ଏକ ଯୁବ ଭାରତୀୟ ଦଳକୁ ସେଠାକୁ ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି।

 

 

ସମ୍ବନ୍ଧିତ ଖବର