ନୂଆଦିଲ୍ଲୀ : ଚଳିତ ବର୍ଷ ଜୁନ୍ରେ ଆଇସିସି ଦ୍ବାରା ପ୍ରଥମ ଥର ପାଇଁ ପ୍ରଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳାଯିବ। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦୁଇଟି ଦଳ ଫାଇନାଲ୍ ଖେଳିବେ। ଅଷ୍ଟ୍ରେଲିଆ ଗସ୍ତରେ ଶୃଙ୍ଖଳା ବିଜୟ ପରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ୍ ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଓ ଅଷ୍ଟ୍ରେଲିଆ ତୃତୀୟରେ ରହିଛି। ଏହି ତିନି ଦଳ ମଧ୍ୟରେ ମାତ୍ର ୨.୫ ପଏଣ୍ଟ୍ର ବ୍ୟବଧାନ ରହିଛି। କୋଭିଡ୍ ମହାମାରୀ ଯୋଗୁଁ ଅଧିକାଂଶ ଶୃଙ୍ଖଳା ବାତିଲ ହୋଇଥିବାରୁ ଆଇସିସି ନୂଆ ନିୟମ ଅନୁଯାୟୀ ଦଳଗୁଡ଼ିକ ହାସଲ କରିଥିବା ପଏଣ୍ଟ୍ର ପ୍ରତିଶତକୁ ନେଇ ଫାଇନାଲିଷ୍ଟ ବାଛିବ। ସେହି ଦୃଷ୍ଟିରୁ ଭାରତ ୭୧.୭ ପ୍ରତିଶତ ପଏଣ୍ଟ୍ ସହ ପ୍ରଥମରେ ରହି ଫାଇନାଲ୍ ଖେଳିବା ଆଶା ବଳବତ୍ତର ରଖିଥିଲା ବେଳେ ନ୍ୟୁଜିଲାଣ୍ଡ ୭୦ ଏବଂ ଅଷ୍ଟ୍ରେଲିଆ ୬୯.୨ ପ୍ରତିଶତ ପଏଣ୍ଟ୍ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ସହ ଫାଇନାଲ୍ ଦୌଡ଼ରେ ରହିଛନ୍ତି। ଏହି ତିନି ଦଳ ଫାଇନାଲ୍ ଦୌଡ଼ରେ ରହିଥିଲେ ମଧ୍ୟ କେଉଁ ଦୁଇ ଦଳ ବାଜି ମାରିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିଶେଷକରି ଜୁନ୍ ପୂର୍ବରୁ ନ୍ୟୁଜିଲାଣ୍ଡ ପାଖରେ କୌଣସି ଟେଷ୍ଟ୍ ଶୃଙ୍ଖଳା ନଥିବାରୁ ସେହି ଦଳ ୭୦ ପ୍ରତିଶତ (୪୩୦ ପଏଣ୍ଟ୍)ରେ ସ୍ଥିର ରହିବ। ହେଲେ ଭାରତ ଓ ଅଷ୍ଟ୍ରେଲିଆ ନିକଟରେ ଶୃଙ୍ଖଳା ବାକି ରହିଛି। ଭାରତ ଘରୋଇ ମାଟିରେ ଇଂଲଣ୍ଡକୁ ଏବଂ ଅଷ୍ଟ୍ରେଲିଆ ଘରୋଇ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏପରିସ୍ଥଳେ ଭାରତର ଫାଇନାଲ୍ ପ୍ରବେଶରେ ଇଂଲଣ୍ଡ କଣ୍ଟା ସାଜିବାର ଆଶଙ୍କା ରହିଛି। କାରଣ ଇଂଲଣ୍ଡ (୬୫.୨) ବି ଏହି ଦୌଡ଼ରେ ନିଜକୁ ଉଜ୍ଜୀବୀତ ରଖିଛି। ତେବେ ଭାରତୀୟ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ପାଇଁ କିପରି ସ୍ଥାନ ସୁରକ୍ଷିତ ରଖିପାରିବ ଆସନ୍ତୁ ନଜର ପକାଇବା।
ଭାରତ (୭୧.୭ ପ୍ରତିଶତ, ୪୩୦ ପଏଣ୍ଟ୍)
ଭାରତ ହାତରେ ଆଉ ୪ ଟେଷ୍ଟ୍ ରହିଛି ଯାହାକୁ ଦଳ ଘରୋଇ ମାଟିରେ ଇଂଲଣ୍ଡ ସହ ଖେଳିବ। କୌଣସି ଶୃଙ୍ଖଳାରେ ମୋଟ ପଏଣ୍ଟ୍ ସଂଖ୍ୟା ୧୨୦ ରହିଥିବାରୁ ଏଥିରୁ ୮୦ ପଏଣ୍ଟ୍ ହାସଲ କରିପାରିଲେ ନ୍ୟୁଜିଲାଣ୍ଡ୍ ଉପରକୁ ଭାରତ ରହିବ। ତେଣୁ ଫାଇନାଲ୍ ସ୍ଥାନ ସୁରକ୍ଷିତ ରଖିବାକୁ ହେଲେ ଭାରତକୁ ନିଶ୍ଚିତପକ୍ଷେ ଇଂଲଣ୍ଡ ବିପକ୍ଷରେ ୨ ଟେଷ୍ଟ୍ ବ୍ୟବଧାନରେ ଜିତିବାକୁ ପଡ଼ିବ। ଯଦି ଭାରତ ୪-୦, ୩-୧, ୩-୦ କିମ୍ବା ୨-୦ରେ ଶୃଙ୍ଖଳା କବ୍ଜା କରିନିଏ ତାହାଲେ ଅବଶ୍ୟକ ପଏଣ୍ଟ୍ ପାଇଯିବ। ଭାରତ ଗୋଟିଏ ଟେଷ୍ଟ୍ ହାରିଲେ ଅବଶିଷ୍ଟ ୩ ଟେଷ୍ଟ୍ ଜିତିବା ବାଧ୍ୟତାମୂଳକ ହୋଇଯିବ। ଆଉ ଯଦି ଭାରତ ୦-୩ କିମ୍ବା ୦-୪ରେ ଶୃଙ୍ଖଳା ହାରିଯାଏ ତାହାଲେ ଫାଇନାଲ୍ ପ୍ରବେଶ ଅନିଶ୍ଚିତ ହୋଇଯିବ। ତଥାପି ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭାରତର ଫାଇନାଲ୍ ପ୍ରବେଶରେ ଇଂଲଣ୍ଡ କଣ୍ଟା ସାଜିପାରେ ବୋଲି ଆକଳନ କରାଯାଉଛି।
ଅଷ୍ଟ୍ରେଲିଆ (୬୯.୨ ପ୍ରତିଶତ, ୩୩୨ ପଏଣ୍ଟ୍)
ଅଷ୍ଟ୍ରେଲିଆ ହାତରେ ୩ ଟେଷ୍ଟ୍ ରହିଛି। ଏହି ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ମେଲ୍ବର୍ଣ୍ଣରେ ମନ୍ଥର ପ୍ରଦର୍ଶନ ପାଇଁ ୪ ପଏଣ୍ଟ୍ ହରାଇଥିବା ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାରୁ ୮୯ ପଏଣ୍ଟ୍ ହାସଲ କଲେ ଫାଇନାଲ୍ ଆଶା ରଖିବ। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ଅତି କମ୍ରେ ୩ରୁ ୨ ଟେଷ୍ଟ୍ ଜିତିବାକୁ ପଡ଼ିବ। ଏପରିକି ଆଦୌ ପରାଜୟ ବରଣ ନକରିବା ଉଚିତ। ଆଉ ଯଦି ଘରୋଇ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିନିଏ ତାହାଲେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଦୌଡ଼ରୁ ବାଦ୍ ପଡ଼ିଯିବ। ତଥାପି ଏହି ଦଳକୁ ଭାରତର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।
ଇଂଲଣ୍ଡ (୬୫.୨ ପ୍ରତିଶତ, ୩୫୨ ପଏଣ୍ଟ୍)
ଇଂଲଣ୍ଡ ହାତରେ ରହିଛି ୫ ଟେଷ୍ଟ୍। ଶୁକ୍ରବାରଠାରୁ ଶ୍ରୀଲଙ୍କା ସହ ବଳକା ଗୋଟିଏ ଟେଷ୍ଟ୍ ଖେଳିଛି। ଏହା ପରେ ଭାରତ ଗସ୍ତରେ ୪ ଟେଷ୍ଟ୍ ଖେଳିବ। ତେଣୁ ଗଲ୍ରେ ଶ୍ରୀଲଙ୍କାକୁ ଏବଂ ପରେ ଭାରତକୁ ୩-୦ କିମ୍ବା ୪-୦ରେ ପରାସ୍ତ କରିପାରିଲେ ଇଂଲଣ୍ଡର ଫାଇନାଲ୍ ଆଶା ରହିବ। ଭାରତ ବିପକ୍ଷ ଶୃଙ୍ଖଳାକୁ ୨-୨ ଅମୀମାଂସିତ ରଖିଲେ ତାହା ଯଥେଷ୍ଟ ହେବନି।