ଦୁବାଇ : ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ୍ ପୂର୍ବ ନିର୍ଧାରିତ ଜୁନ୍-୨୦୨୧ରେ ଆୟୋଜନ କରିବାକୁ ଆଇସିସି ଆପାତତଃ ନିଷ୍ପତ୍ତି ନେଇସାରିଛି। ତେବେ କୋଭିଡ୍ ମହାମାରୀ ସଙ୍କଟ ପାଇଁ ବହୁ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ସ୍ଥଗିତ ହେବା ଆଇସିସିର ଏହି ଯୋଜନା ସମ୍ମୁଖରେ ପ୍ରମୁଖ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏହାର ସମାଧାନ ବାଟ ବାହାର କରିବାକୁ ଯାଇ କୋଭିଡ୍ ପ୍ରଭାବିତ ଶୃଙ୍ଖଳାଗୁଡ଼ିକୁ ପୁନର୍ବାର ଆୟୋଜନ କରିବା ପରିବର୍ତ୍ତେ ଏଥିରୁ ମିଳିବାକୁ ଥିବା ପଏଣ୍ଟ୍ ଅଂଶଗ୍ରହଣକାରୀ ଦଳ ମଧ୍ୟରେ ଭାଗ କରିବାକୁ ଆଇସିସି ଚିନ୍ତା କରୁଛି। ଏହି ବିଷୟ ଆସନ୍ତା ମାସରେ ବସିବାକୁ ଥିବା ଆଇସିସି କ୍ରିକେଟ୍ ସମିତି ବୈଠକରେ ମୁଖ୍ୟ ଚର୍ଚାର ବିଷୟ ହେବ। ପଏଣ୍ଟ୍ ଭାଗ କରିବା ସହ ଅନ୍ୟ ଏକ ବିକଳ୍ପ ବିଷୟରେ ମଧ୍ୟ ଆଇସିସି ଗୁରୁତର ସହ ଚିନ୍ତା କରୁଛି।
ତଦନୁଯାୟୀ ମାର୍ଚ ୨୦୨୧ ସୁଦ୍ଧା ଶେଷ ହୋଇଥିବା ଶୃଙ୍ଖଳାଗୁଡ଼ିକର ପଏଣ୍ଟ୍କୁ ହିଁ ବିଚାରକୁ ନିଆଯିବ। ମାର୍ଚ ପର୍ଯ୍ୟନ୍ତ ଖେଳା ଯାଇଥିବା ଶୃଙ୍ଖଳା ପଏଣ୍ଟ୍କୁ ବିଚାରକୁ ନିଆଯାଇ ପଏଣ୍ଟ୍ ତାଲିକାର ସ୍ଥାନ ନିର୍ଣ୍ଣୟ କରାଯିବ। ଏଭଳି ସ୍ଥିତିରେ ଦଳଗୁଡ଼ିକ ଖେଳିଥିବା ମ୍ୟାଚ୍ ସହ ସେମାନଙ୍କ ବିଜୟ ପ୍ରତିଶତକୁ ମଧ୍ୟ ହିସାବକୁ ନିଆଯିବ। ସଂପ୍ରତି ପ୍ରତ୍ୟେକ ଶୃଙ୍ଖଳାରେ ଖେଳାଯାଉଥିବା ମ୍ୟାଚ୍ ସଂଖ୍ୟା ଅନୁସାରେ ସର୍ବାଧିକ ୧୨୦ ପଏଣ୍ଟ୍ ମିଳିବାର ବ୍ୟବସ୍ଥା ରହିଛି। ଅର୍ଥାତ୍ ଦୁଇ ଟିକିଆ ଶୃଙ୍ଖଳାରେ ବିଜେତା ଦଳ ୬୦ ପଏଣ୍ଟ୍ ପାଉଥିଲା ବେଳେ ଅମୀମାଂସିତ ମ୍ୟାଚ୍ ପାଇଁ ୩୦ ପଏଣ୍ଟ୍ ପାଉଛନ୍ତି। ତିନି ଟିକିଆ ଶୃଙ୍ଖଳାର ବିଜେତାକୁ ୪୦ ପଏଣ୍ଟ୍ ଏବଂ ଅମୀମାଂସିତ ମ୍ୟାଚ୍ ପାଇଁ ୨୦ ପଏଣ୍ଟ୍ ମିଳୁଛି। ସେହିଭଳି ଚାରି ଟିକିଆ ଶୃଙ୍ଖଳାରେ ବିଜୟ ପାଇଁ ମାତ୍ର ୩୦ ଓ ଅମୀମାଂସିତ ମ୍ୟାଚ୍ ପାଇଁ ୧୫ ପଏଣ୍ଟ୍ ଦିଆଯାଉଛି। ସ୍ଥଗିତ ଶୃଙ୍ଖଳା ପାଇଁ ଆଇସିସି ପଏଣ୍ଟ୍ ବଣ୍ଟନ ବ୍ୟବସ୍ଥା ଗ୍ରହଣ କଲେ ଏଭଳି ଶୃଙ୍ଖଳାରୁ ମିଳିବାକୁ ଥିବା ମୋଟ ପଏଣ୍ଟ୍ର ଏକ ତୃତୀୟାଂଶ ହିଁ ବଣ୍ଟାଯିବ। କାରଣ ଶୃଙ୍ଖଳାର ସବୁ ମ୍ୟାଚ୍କୁ ଅମୀମାଂସିତ ଭାବେ ବିବେଚନା କରାଯିବ। ସଂପ୍ରତି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ରେ ଭାରତ ୩୬୦ ପଏଣ୍ଟ୍ ପାଇ ଏକ ନମ୍ବର ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ (୨୯୬), ଇଂଲଣ୍ଡ (୨୯୨), ନ୍ୟୁଜିଲାଣ୍ଡ (୧୮୦), ପାକିସ୍ତାନ (୧୬୬), ଶ୍ରୀଲଙ୍କା (୮୦), ୱେଷ୍ଟଇଣ୍ଡିଜ୍ (୪୦), ଦକ୍ଷିଣ ଆଫ୍ରିଦା (୨୪), ବାଂଲାଦେଶ (୦) ଦ୍ବିତୀୟରୁ ନବମ ସ୍ଥାନରେ ରହିଛନ୍ତି। ତାଲିକାର ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳ ହିଁ ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/icc_world_test_championship_logo_detail.jpg)