ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ୍‌ ବ୍ୟବସ୍ଥାକୁ କୋହଲିଙ୍କ ବିରୋଧ

ପୁନେ : ପ୍ରଥମ ଥର ପାଇଁ ଖେଳା ଯାଉଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ର ପଏଣ୍ଟ ବ୍ୟବସ୍ଥା ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ଆପତ୍ତି ଉଠାଇଛନ୍ତି। ବିଦେଶ ଗସ୍ତର ଗୋଟିଏ ବିଜୟ ପାଇଁ ଏହି ପ୍ରତିଯୋଗିତା ଅନ୍ତର୍ଗତ ମିଳୁଥିବା ପଏଣ୍ଟକୁ ଦ୍ବିଗୁଣିତ କରିବାକୁ ସେ ଯୁକ୍ତି ବାଢ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଅବ୍ୟବହିତ ପୂର୍ବରୁ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆପଣ ଯଦି ମୋତେ ପଚାରିବେ, ତାହାଲେ ମୁଁ ବିଦେଶ ବିଜୟ ପାଇଁ ମିଳୁଥିବା ପଏଣ୍ଟ୍‌କୁ ଦ୍ବିଗୁଣିତ କରିବାକୁ କହିବି। ପ୍ରଥମ ସଂସ୍କରଣ ପରେ ଏହି ପ୍ରତିଯୋଗିତାରେ ଏଭଳି ପରିବର୍ତନ କରିବାକୁ ମୁଁ ଆହ୍ବାନ କରିବି। ଭାରତ (୧୬୦ ପଏଣ୍ଟ୍‌) ସଂପ୍ରତି ବିଶ୍ବ ଟେଷ୍ଟ ଚାମ୍ପିଅନସପ୍ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାରୁ ୧୨୦ ପଏଣ୍ଟ ପାଇବା ପରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ୪୦ ପଏଣ୍ଟ ପାଇଛି। ଭାରତର ସାଂପ୍ରତିକ ସ୍ଥିତି ନେଇ କୋହଲି ସନ୍ତୋଷ ଜାହିର କରିଛନ୍ତି। ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେବା ପରେ ଦଳଗୁଡ଼ିକ ଅମୀମାଂସିତ ରଖିବା ପରିବର୍ତେ ମ୍ୟାଚ୍ ଜିତିବା ଲାଗି ଅଧିକ ଚେଷ୍ଟା କରୁଛନ୍ତି ବୋଲି କୋହଲି କହିଛନ୍ତି। ଏହା ଦ୍ବାରା ପ୍ରତ୍ୟେକ ଟେଷ୍ଟ ରୋମାଞ୍ଚଭରା ହେଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର