ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ଭାରତ ଶୀର୍ଷରେ

ଦୁବାଇ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ନୂଆ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଋତୁ ଚଳିତ ଭାରତ-ଇଂଲଣ୍ଡ ଶୃଙ୍ଖଳାରୁ ହିଁ ଆରମ୍ଭ ହୋଇଯାଇଛି। ଗତ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଋତୁର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା ଭାରତୀୟ ଦଳ ଚଳିତ ନୂଆ ଋତୁରେ ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହିଛି। ଚଳିତ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌କୁ ୧୫୧ ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଥିବା ଭାରତ ମୋଟ ୧୪ ପଏଣ୍ଟ୍‌ ସହ ତାଲିକାରେ ଆଗୁଆ ରହିଛି। ପ୍ରଥମ ଟେ‌ଷ୍ଟରେ ସମ୍ଭାବ୍ୟ ବିଜୟକୁ ବର୍ଷା ଛଡ଼ାଇ ନେଇଥିଲା। ଏହି ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ଫଳରେ ଅମୀମାଂସିତରୁ ୪ ଏବଂ ସିଧାସଳଖ ବିଜୟରୁ ୧୨ ପଏଣ୍ଟ କରାୟତ କରିଥିଲା। ହେଲେ ଚଳିତ ଶୃଙ୍ଖଳାରେ ମନ୍ଥର ବୋଲିଂ ପାଇଁ ଦଳ ୨ ପଏଣ୍ଟ୍‌ ଜରିମାନା ପାଇବାରୁ ୧୬ ପରିବର୍ତେ ୧୪ ପଏଣ୍ଟ୍‌ରେ ରହିଛି। ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ନିୟମ ଅନୁଯାୟୀ ଗୋଟିଏ ଲେଖାଏଁ ଓଭର କମ୍‌ ପାଇଁ ଦଳକୁ ୧ ପଏଣ୍ଟ୍‌ ଜରିମାନା ଦିଆଯିବ। ସେହିପରି ମ୍ୟାଚ୍‌ ବିଜୟ ପାଇଁ ୧୨, ଟାଇ ପାଇଁ ୬ ଏବଂ ଅମୀମାଂସିତ ପାଇଁ ୪ ପଏଣ୍ଟ୍‌ର ବ୍ୟବସ୍ଥା ରହିଛି।

ଭାରତ ୧୪ ପଏଣ୍ଟ୍‌ ସହ ଶୀର୍ଷରେ ରହିଥିଲା ବେଳେ ଏବେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳୁଥିବା ଉଭୟ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ୧୨ ପଏଣ୍ଟ୍‌ ଲେଖାଏଁ ସହ ଯୁଗ୍ମ ଭାବେ ଦ୍ବିତୀୟରେ ରହିଛନ୍ତି। ଉଭୟ ଦଳ ମଧ୍ୟରେ ମଙ୍ଗଳବାର ଶେଷ ହୋଇଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିବା ପରେ ଗୋଟିଏ ଲେଖାଏଁ ବିଜୟ ପାଇଁ ଦୁଇ ଦଳ ସମାନ ୧୨ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି। ଭାରତ ସହ ଶୃଙ୍ଖଳା ଖେଳୁଥିବା ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌କୁ ଅମୀମାଂସିତ ରଖି ୪ ପଏଣ୍ଟ୍‌ ପାଇଥିଲା ବେଳେ ସେଥିରୁ ମନ୍ଥର ବୋଲିଂ ପାଇଁ ୨ ପଏଣ୍ଟ୍‌ ଜରିମାନା ପାଇଥିଲା। ତେଣୁ ମୋଟ ୨ ପଏଣ୍ଟ୍‌ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର