ଭୁବନେଶ୍ବର: ଜର୍ମାନୀର ରାଇନ୍-ରୁର୍ଠାରେ ଚାଲିଥିବା ଫିସୁ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ରବିବାର ଉଦ୍ଯାପିତ ହୋଇଛି। ଏଥିରେ ଭାରତ ୨ ସ୍ବର୍ଣ୍ଣ ଏବଂ ୫ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୨ ପଦକ ଜିତି ୨୦ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଏହା ମଧ୍ୟରୁ କିଟ୍ ଖେଳାଳି ସର୍ବାଧିକ ପଦକ ୫ (୩ ରୌପ୍ୟ ଓ ୨ କାଂସ୍ୟ) ଜିତି ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛନ୍ତି। ଏହି ୫ ଯାକ ପଦକ ଶେଷ ଦିନରେ କିଟ୍ ଖେଳାଳିମାନେ ହିଁ ଜିତିଥିଲେ। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍ରେ ଅଙ୍କିତା, ୫୦୦୦ ମିଟରରେ ସୀମା ଏବଂ ପୁରୁଷ ଟ୍ରିପଲ୍ ଜମ୍ପ୍ରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ପଦକ ଜିତିଥିଲେ। କାଂସ୍ୟ ଦ୍ବୟ ପୁରୁଷ ୪ଗୁଣା ୧୦୦ ମିଟର ରିଲେ ଏବଂ ମହିଳା ୨୦ କିମି ରେସ୍ ୱାକ୍ ଟିମ୍ ଇଭେଣ୍ଟ୍ରୁ ଆସିଥିଲା। ରିଲେ ଦଳରେ କିଟ୍ ଛାତ୍ର ମଣିକାନ୍ତ ହୋବ୍ଲିଧର, ଅନିମେଷ କୁଜୁର, ଲାଲୁପ୍ରସାଦ ଭୋଇ ଓ ମୃତ୍ୟୁମ ଜୟରାମ ଦଣ୍ଡପତି ରହିଥିଲେ। ସେହିଭଳି ମହିଳା ୨୦ କିମି ରେସ୍ ୱାକ୍ ଦଳରେ ମଧ୍ୟ ସମସ୍ତ କିଟ୍ ଛାତ୍ରୀ ମୁନିତାପ ରାଜାପତି, ମାନସୀ ନେଗି, ସେଜାଲ ଅନିଲସିଂହ ରହିଥିଲେ।
ଜିତିଲେ ସର୍ବାଧିକ ୫ ପଦକ
ଭାରତକୁ ୨ ସ୍ବର୍ଣ୍ଣ ସହ ୧୨ ପଦକ
ଭାରତୀୟ ଖେଳାଳି ବ୍ୟାଡ୍ମିଣ୍ଟନ୍ ଓ ଟେନିସ୍ରେ ଗୋଟିଏ ଲେଖାଏଁ କାଂସ୍ୟ ଜିତିଥିଲେ। ଯାହା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ ହୋଇଥିଲା। ତୀରନ୍ଦାଜିରେ ସର୍ବାଧିକ ୫ (୨ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ଏବଂ ଦୌଡ଼କୁଦରେ ୫ (୩ ରୌପ୍ୟ, ୨ କାଂସ୍ୟ) ପଦକ ଜିତିଛି ଭାରତ। ଏହି ପ୍ରତିଯୋଗିତାରେ ଭାରତରୁ ୩୦୦ରୁ ଊର୍ଧ୍ବ ଖେଳାଳି ଏବଂ ୧୦୦ରୁ ଊର୍ଧ୍ବ ଅଫିସିଆଲ୍ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାରୁ ୪୨ ଜଣ ଆଥ୍ଲେଟ୍ ରହିଥିଲେ। ପୂର୍ବରୁ ଦୂତି ଚାନ୍ଦ ପ୍ରଥମ କିଟ୍ ଛାତ୍ରୀ ଭାବେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା (୨୦୧୯, ନାପୋଲି)ରେ ସ୍ବର୍ଣ୍ଣ ଜିତିଥିଲେ। ଚଳିତ ବର୍ଷ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଦଳ ସହ କିଟ୍ ଖେଳାଳିଙ୍କ ସଫଳତା ଲାଗି କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ‘‘ଏହି ଗୌରବର ମୁହୂର୍ତ୍ତ କେବଳ କିଟ୍ର ନୁହେଁ, ସମ୍ପୂର୍ଣ୍ଣ ଦେଶର। ଏହି ସଫଳତା ଲାଗି ମୁଁ ସମସ୍ତ ଖେଳାଳି, ପ୍ରଶିକ୍ଷକଙ୍କ ସହ ଓଡ଼ିଶା ଓ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣଙ୍କୁ କୃତଜ୍ଞତା ଜଣାଉଛି। ଏମାନଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିପାରିଛି’’।