ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଦୁଇ ଶହରେ ଦୂତି ପଞ୍ଚମ

ଭୁବନେଶ୍ବର: ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ଯୁଗଳ ସ୍ବର୍ଣ୍ଣରୁ ବଞ୍ଚିତ ‌ହୋଇଛନ୍ତି। ୨୦୦ ମିଟରରେ ସେ ପଞ୍ଚମ ସ୍ଥାନରେ ରହିଛନ୍ତି। ୧୦୦ ମିଟରର ପ୍ରଥମ ସ୍ଥାନ ଅଧିକାର କରିବା ପରେ ୨୦୦ରେ ମଧ୍ୟ ଦୂତି ସେହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ଗୁରୁବାର ରାତିରେ ଅନୁଷ୍ଠିତ ଫାଇନାଲରେ ଏହି ଓଡ଼ିଆ ଧାବିକା ୨୩.୩୦ ସେକେଣ୍ଡ ସମୟ ନେଇ ପଦକ ତାଲିକା ବାହାରେ ଦୌଡ଼ ଶେଷ କରିଥିଲେ। ଦୂତି ଏହି ପ୍ରତିଯୋଗିତା‌ରେ ପ୍ରଥମ ଭାରତୀୟ ଭାବେ କୌଣସି ବରିଷ୍ଠ ବର୍ଗ ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟରରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲେ। ଏହା ପୂର୍ବରୁ ଦୂତି ସେମିଫାଇନାଲରେ ୨୩.୨୪ ଏବଂ ପ୍ରଥମ ପର୍ଯ୍ୟାୟରେ ୨୪.୦୮ ସେକେଣ୍ଡ ସମୟ ନେଇଥିଲେ। ବେଲାଋଷର କ୍ରିଷ୍ଟସ୍ ସିମାନୁସ୍କାୟା (୨୩ ସେକେଣ୍ଡ) ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜର୍ମାନିର ଜେସିକା ‌ୱେସଲି (୨୩.୦୫ ସେକେଣ୍ଡ) ଓ ଲିସା କ୍ବାଇ (୨୩.୧୧ ସେକେଣ୍ଡ) ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହି ନିଜ ଦେଶ ପାଇଁ ରୌପ୍ୟ ଏବଂ କାଂସ୍ୟ ପଦକ ଜିତିଥିଲେ।

କ୍ରୀଡ଼ାମନ୍ତ୍ରୀଙ୍କ ଶୁଭେଚ୍ଛା
ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ କ୍ରୀଡ଼ା‌ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଭିନନ୍ଦନ ଜଣାଇଛନ୍ତି। ଇଟାଲିରେ ଅନୁଷ୍ଠିତ ୩୦ତମ ଗ୍ରୀଷ୍ମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଦୂତି ଏହି ସଫଳତା ପାଇଥିଲେ। ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ହାସଲ କରି ଦୂତି ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଦୂତିଙ୍କ ଏହି ସଫଳତା ଆଗାମୀ ଦିନରେ ଜାରି ରହିବା ସହ ଭବିଷ୍ୟତ ଖେଳାଳିଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର