କେନ୍ଦୁଝର : କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ହୁଇଲ୍ ଚେୟାର ‘କଳିଙ୍ଗ ଟ୍ରଫି କ୍ରିକେଟ୍’ ପ୍ରତିଯୋଗିତାରେ ଦିଲ୍ଲୀକୁ ୨ ୱିକେଟରେ ହରାଇ ଉତ୍ତରଖଣ୍ଡ ଚାମ୍ପିଅନ୍ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଜବାବରେ ଉତ୍ତରାଖଣ୍ଡ ୧୩ ଓଭରରେ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୫୦ ରନ୍ରେ ପହଞ୍ଚିଯାଇଥିଲା। ଦିଲ୍ଲୀର ମନୋଜ କୁମାର ଫାଇନାଲ୍ର ଶ୍ରେଷ୍ଠ ଏବଂ ସାହିଲ୍ ମଣ୍ଡଳ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ତେଜପାଲ ଯାଦବ ଶ୍ରେଷ୍ଠ ବ୍ୟାଟର୍, ମନୋଜ ପାରମାଲ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।
ଗୌରୀଶଙ୍କର ଜେନା ଓ ବିବେକାନନ୍ଦ ସାହୁ ଖେଳ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଢେଙ୍କିକୋଟର ସଂଜୟ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ୍ ସଂଘର ସଭାପତି ରାହାସ ବିହାରୀ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ସଂଘର ଅଧିନାୟକ ଅଭୟ ଜେନା ସକ୍ରିୟ ସହଯୋଗ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ବିଜୁ ଜନତା ଦଳ ନେତା ଧନୁର୍ଜୟ ସିଦୁ, ସମାଜସେବୀ ଲାଲ ମୋହନ ମହାନ୍ତ, ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼, କେନ୍ଦୁଝର ମେଡିକାଲ୍ କଲେଜର ସୁପରିଣ୍ଟେଣ୍ଡେଣ୍ଟ ମହେନ୍ଦ୍ର କୁମାର ନାଏକ ଓ ସମାଜସେବୀ ମୁକୁନ୍ଦ ବରାଳ ଯୋଗ ଦେଇଥିଲେ।