ଓଡ଼ିଶାରେ ବିଏମ୍‌ଏକ୍ସର ରୋମାଞ୍ଚ ଦେଲେ ବିଶ୍ବ ବିଜେତା ଡାନିଏଲ୍‌

ଭୁବନେଶ୍ବରରେ ଏସୀୟ ପ୍ରତିଯୋଗିତା ସମ୍ଭାବନା

ଭୁବନେଶ୍ବର: ଓଡ଼ିଶା ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ଅପ୍ରତ୍ୟାଶିତ। ବାଇସାଇକେଲ୍ ମୋଟୋକ୍ରସ୍‌ (ବିଏମ୍‌ଏକ୍ସ) ଏକ ଅଲିମ୍ପିକ୍ସ ଖେଳ ହୋଇଥିଲେ ମଧ୍ୟ ଏହା ଭାରତରେ କାୟା ବିସ୍ତାର କରିନାହିଁ। ଏହି ଦୁଃସାହସିକ ତଥା ମନୋରଂଜନ ଭିତ୍ତିକ ଖେଳ କିନ୍ତୁ ଭୁବନେଶ୍ବର ପଦାର୍ପଣ କରିଛି ଗୁରୁବାର। ଏଥି ସହିତ ଭୁବନେଶ୍ବରରେ ଏହାର ଏକ ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ‌ ହେବାର ପଥ ପରିସ୍କାର ହୋଇଛି। ଏହି ଖେଳର ଆକର୍ଷଣ ଏବଂ ମନୋରଂଜନ ଗୁରୁବାର କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଭରପୁର ଆନନ୍ଦ ପ୍ରଦାନ କରିଥିଲା। ବିଶ୍ବ ବିଜେତା ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ତଥା ରେଡ୍ ବୁଲ୍‌ ତାରକା ଡାନିଏଲ୍‌ ଢେର୍‌ସଙ୍କ ଦ୍ବାରା କିଟ୍ ପରିସରରେ ଅନୁଷ୍ଠିତ ଆକର୍ଷଣୀୟ ତଥା ଚିତ୍ତାକର୍ଷକ ଷ୍ଟଣ୍ଟ୍‌ ପ୍ରଦର୍ଶନ ହିଁ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ବିମୋହିତ କରିଥିଲା। ମଝିରେ ମଝିରେ ଇଂରାଜୀ ଓ ହିନ୍ଦୀର ମନୋଜ୍ଞ ସଂଗୀତ ବି ସେମାନଙ୍କୁ ମନ୍ତ୍ରମୁଗ୍‌ଧ କରିଦେଇଥିଲା। ଏହି ଅବସରରେ ଦୁଃସାହସିକ ବାଇକ୍ ତଥା ସାଇକେଲ୍ ଚାଳନା ପ୍ରେମୀଙ୍କୁ ଷ୍ଟଣ୍ଟ୍‌ ବାଇକ୍ ଚାଳନା ସମ୍ପର୍କିତ ପରାମର୍ଶ ମଧ୍ୟ ଦେଇଥିଲେ ୩୪ ବର୍ଷୀୟ ଭେନଜୁଏଲା ଅଧିବାସୀ ଡାନିଏଲ।

ରେଡ୍‌ବୁଲ୍‌ ଲୋକାଲ୍ ହିରୋ ଟୁର୍ ବିଏମ୍‌ଏକ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଷ୍ଟଣ୍ଟ୍‌ ସୋ ଜରିଆରେ ଡାନିଏଲ୍‌ ଭାରତରେ ପରବର୍ତୀ ପିଢ଼ିର ଉତ୍ସାହୀ କ୍ରୀଡ଼ାବିତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ସେ ନିଜେ ମଧ୍ୟ ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସରେ ଭେନେଜୁଏଲାର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଏହି କ୍ରୀଡ଼ାର ଆମ୍ବାସାଡର୍‌ ଭାବେ ପ୍ରଚାର ଓ ପ୍ରସାର ଦାୟିତ୍ବ ଡାନିଏଲ୍‌ଙ୍କୁ ପ୍ରଦାନ କରାଯାଇଛି। କିଟ୍‌ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୁକ୍ରବାର କ୍ରୀଡ଼ା ଓ ଯୁବସେବା ତଥା ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବଙ୍କ ସହିତ ରେଡ୍‌ବୁଲ୍‌ର ଅଧିକାରୀ ଏବଂ ଡାନିଏଲ୍‌ ଢେରସଙ୍କ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ବର୍ଷ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଏସୀୟ ବିଏମ୍‌ଏକ୍ସ ପ୍ରତିଯୋଗିତା ଆୟୋଜନ ଏହାର ମୁଖ୍ୟ ପ୍ରସଙ୍ଗ ରହିଛି। ଗୁରୁବାର କିଟ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପକ୍ସ-୬ ମୁକ୍ତାକାଶରେ ପ୍ରସ୍ତୁତ ଦୁଇଟି ଅର୍ଧବୃତ୍ତାକାର ଚଟାଣ ଉପରେ ହିଁ ଡାନିଏଲ୍‌ ତାଙ୍କ ରୋମାଞ୍ଚ ଛାଡ଼ିଥିଲେ। ବିଏମ୍‌ଏକ୍ସ ଉପରେ ବସି ଡାନିଏଲ୍‌ କେତେ‌ବେଳେ ଶୂନ୍ୟରେ ଘୁରିଯାଉଥିଲେ ତ କେତେ‌ବେଳେ ପ୍ରାଚୀରକୁ ଗତିଶୀଳ ଅବସ୍ଥାରେ ଅତିକ୍ରମ କରି କରି ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିଲେ। ଏକ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ମତୁଆଲା ଯୁବଗୋଷ୍ଠୀଙ୍କୁ ବାନ୍ଧି ରଖିଥିଲେ ଡାନିଏଲ୍‌। ଅଦ୍ୟାବଧି ନିଜ ଖେଳ ଜୀବନରେ ୫ ଥର ୱାର୍ଲଡ ଏକ୍ସ ଗେମ୍‌ ବିଜେତା ହେବା ସହିତ ଆକ୍ସନ ସ୍ପୋର୍ଟସ ଟୁର୍‌ ଟାଇଟଲ୍‌ ମଧ୍ୟ ହାସଲ କରିଛନ୍ତି। ଏକ୍ସ ଗେମ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ଡାନିଏଲ୍‌ ୨୦୧୪ରେ ମଧ୍ୟ ଏଫ୍‌ଆଇଏସ୍‌ଆଇ ବିଶ୍ବ ଶୃଙ୍ଖଳା ବିଜେତା ହେବାର ଗୌରବ ଆଣିଥିଲେ।

ସମ୍ବନ୍ଧିତ ଖବର