ବିଶ୍ବ ଯୁବ ଦୌଡ଼କୁଦ: ମହିଳା ଲମ୍ବ ଡିଆଁ ଫାଇନାଲ୍‌ରେ ଶାଇଲି

ନାଇରୋବି : ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ଲମ୍ବ ଡିଆଁ ଫାଇନାଲ୍‌ରେ ଭାରତର ଶାଇଲି ସିଂହ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ପ୍ରୟାସରେ ଶାଇଲି ୬.୪୦ ମିଟର ଡେଇଁ ଫାଇନାଲ୍‌ ଟିକେଟ୍‌ ହାତେଇଥିଲେ। ସେ ଗ୍ରୁପ୍‌-ବି’ରେ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ତାଙ୍କ ପୂର୍ବରୁ ମହିଳା ୧୦୦ ମିଟର ବାଧାଦୌଡ଼ରେ ଭାରତୀୟ ଖେଳାଳି ନନ୍ଦିନୀ ଅଗସରା ୧୪.୧୮ ସେକେଣ୍ଡ ସହ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ସେମିଫାଇନାଲ୍‌ରେ ସେ ୧୪.୧୬ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟଠୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ନିଜ ହିଟ୍‌ରେ ଷଷ୍ଠ ଏବଂ ମୋଟ ଉପରେ ୧୯ତମ ସ୍ଥାନରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ‌ତେବେ ପୁରୁଷ ଜାଭଲିନ୍‌ର ଫାଇନାଲ୍‌ରେ ପହଞ୍ଚିଥିବା କୁନୱାର ଅଜାଇ ରାଜ ସିଂହ ରାଣା ଓ ଜୟ କୁମାର ପଦକ ଜିତିବାରେ ବିଫଳ ହୋଇଥିଲେ। କୁନୱର (୭୩.୬୮ ମିଟର) ଏବଂ ଜୟ (୭୦.୭୪ ମିଟର) ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

୧୦୦ ମିଟର ଦୌଡ଼ ଜିତିଲେ କ୍ଲେଟନ
ମହିଳା ୧୦୦ ମିଟର ଦୌଡ଼ରେ ଜାମାଇକାର ଟିନା କ୍ଲେଟନ ଟୋକିଓ ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ଷଷ୍ଠ ସ୍ଥାନ ଅଧିକ‌ାର କରିଥିବା ନାମ୍ବିଆରେ ବିଟ୍ରାଇସ୍‌ ମାସିଲିଙ୍ଗିଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ୧୧.୦୯ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମାସିଲିଙ୍ଗି (୧୧.୩୯) ଦ୍ବିତୀୟ ଏବଂ ସ୍ବିଜରଲାଣ୍ଡର ମେଲିସା ଗୁସ୍‌ମିଡ୍‌ତ (୧୧.୫୧) ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର