ବିଶ୍ବ ଯୁବ ଭାରୋତ୍ତୋଳନ: ଅନ୍ତର୍ଜାତୀୟ ପଦାର୍ପଣରେ ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ

ବ୍ରହ୍ମପୁର : ଆଲବେନିଆର ଡୁରେସ୍‌ଠାରେ ଆୟୋଜିତ ବିଶ୍ବ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବା ଏକମାତ୍ର ଓଡ଼ିଆ ଜ୍ୟୋତ୍ସ୍ନା ଶବର ପଦକ ଅମଳ କରିଛନ୍ତି। ନିଜର ଅନ୍ତର୍ଜାତୀୟ ପଦାର୍ପଣରେ କାଂସ୍ୟ ପଦକ ଲାଭ କରିଛନ୍ତି। ସେ ମହିଳା ୪୦ କେଜି ବର୍ଗରେ ଭାଗ ନେଇ ୫୩ କେଜି ସ୍ନାଚ, ୬୨ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୧୫ କେଜି ଭାରୋତ୍ତୋଳନ କରି ତୃତୀୟ ସ୍ଥାନରେ ରହିବା ସହ ଏହି ସଫଳତା ହାସଲ କରିଛନ୍ତି। ଏହି ବର୍ଗରେ କାନାଡ଼ାର ବ୍ରୁଷ୍ଟେଲୋ ବୁଜିହ୍ନାନି ୫୩ କେଜି ସ୍ନାଚ, ୬୭ କେଜି କ୍ଲିନ୍ ଆଣ୍ଡ ଜର୍କ (ମୋଟ ୧୨୦ କେଜି) ଭାରୋତ୍ତୋଳନ କରି ସ୍ବର୍ଣ୍ଣ ଏବଂ ତୁର୍କିର ୱାଇ. ସାହିନ୍ ମଲ୍ଲିକ ୫୩ କେଜି ସ୍ନାଚ, ୬୬ କେଜି କ୍ଲିନ୍ ଆଣ୍ଡ ଜର୍କ (ମୋଟ ୧୧୯ କେଜି) ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ଉଦ୍‌ଘାଟନୀ ଦିବସରେ ଭା‌ରତ ଦୁଇଟି ପଦକ ଲାଭ କରିଛି। ଜ୍ୟୋତ୍ସ୍ନା କାଂସ୍ୟ ପଦକ ଏବଂ ଏଲ୍‌.ଧନୁଷ୍ ନିଜ ବର୍ଗରେ ରୌପ୍ୟ ପଦକ ପାଇଛନ୍ତି।

ଜ୍ୟୋତ୍ସ୍ନା ଗତ ଫେବ୍ରୁଆରିରେ ମଧ୍ୟପ୍ରଦେଶର ଇନ୍ଦୋରରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୧୧୮ କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ଗତ ଡିସେମ୍ବର ୨୭ରୁ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁର ନାଗରକୋଲିଠାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରେଷ୍ଠ ଯୁବ ଭାରୋତ୍ତୋଳିକା ଭାବେ ସମ୍ମାନିତ ହୋଇଥିଲେ। ସେ ଏହି ପ୍ରତିଯୋଗିତ‌େର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୪୦ କେଜି ବର୍ଗରେ ୫୩ କେଜି ସ୍ନାଚ ଏବଂ ୭୧ କେଜି କ୍ଲିନ୍ ଆଣ୍ଡ ଜର୍କ (ମୋଟ ୧୨୪ କେଜି) ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଯାହାକି ତାଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଆଣି ଦେଇଥିଲା। ଏଥିପାଇଁ ପତିଆଲା ସ୍ଥିତ ଭାରୋତ୍ତୋଳନ ଏକାଡେମୀରେ ୨ ମାସ କଠିନ ଅଭ୍ୟାସ ସହ ତାଲିମ ନେଇଥିଲେ। ଫଳରେ ଅର୍ନ୍ତଜାତୀୟ ପଦାର୍ପଣରେ ସେ ଦେଶ ପାଇଁ ପଦକ ଲାଭ କରିବାର ଗୌରବ ଅଜର୍ନ କରିପାରିଛନ୍ତି। ଗଂଜାମର କଙ୍କିଆ ସ୍ଥିତ ଗ୍ରାମ ବିକାଶ କେନ୍ଦ୍ରରୁ କ୍ରୀଡ଼ା ଅଭିଯାନ ଆରମ୍ଭ କରିଥିବା ବେଳେ ନିଜର ପ୍ରତିଭାକୁ ବିକଶିତ କରି ଅନ୍ତର୍ଜାତୀୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର