ନୂଆଦିଲ୍ଲୀ: ମେ’ ୩୦ ତାରିଖରୁ ଆଇସିସି ବିଶ୍ବକପ୍ ଆରମ୍ଭ ହେଉଥିବା ବେଳେ ବିଗତ ୧୧ ସଂସ୍କରଣ ମଧ୍ୟରେ ରହିଛି ଏକାଧିକ ସ୍ମରଣୀୟ ପାଳି। ଇଂଲଣ୍ଡ ବିଶ୍ବକପ୍ ଅବ୍ୟବହିତ ପୂର୍ବରୁ ଆସନ୍ତୁ ଶୀର୍ଷ ୫ଟି ଅଭୁଲା ପାଳି ଉପରେ ନଜର ପକାଇ ନେବା।
ମାର୍ଟିନ ଗପ୍ଟିଲ୍: ୨୩୭* ବନାମ ୱେଷ୍ଟଇଣ୍ଡିଜ୍ (୨୦୧୫)
ନ୍ୟୁଜିଲାଣ୍ଡ୍ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମାର୍ଟିନ ଗପ୍ଟିଲ୍ଙ୍କ ୨୩୭ ରନ୍ର ଅପରାଜିତ ପାଳି ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ବିତୀୟ ସର୍ବୋଚ୍ଚ। ରୋହିତ ଶର୍ମାଙ୍କ ୨୬୪ ରନ୍ (ବନାମ ଶ୍ରୀଲଙ୍କା, କୋଲକାତା, ୨୦୧୪) ଶୀର୍ଷରେ ରହିଛି। କିନ୍ତୁ ଗପ୍ଟିଲଙ୍କ ୨୩୭* ରନ୍ ବିଶ୍ବକପ୍ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ହୋଇରହିଛି। ଗତ ୨୦୧୫ ବିଶ୍ବକପ୍ରେ ୱେଲିଂଟନ୍ରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ କ୍ବାର୍ଟର ଫାଇନାଲରେ ଗପ୍ଟିଲ୍ ୧୬୩ ବଲ୍ରୁ ୨୩୭* ରନ୍ କରିଥିଲେ। ଏଥିରେ ୨୪ ଚୌକା ଏବଂ ୧୧ ଛକା ସାମିଲ ଥିଲା। ନ୍ୟୁଜିଲାଣ୍ଡ୍ର ୩୯୩/୬ ସ୍କୋର୍ ମଧ୍ୟରେ ଅନ୍ୟ କୌଣସି ଖେଳାଳି ଅର୍ଧଶତକ ହାସଲ କରିନଥିଲେ। ଜେରୋମି ଟେଲରଙ୍କ ପ୍ରଥମ ଓଭରରେ ମାର୍ଲନ ସାମୁଏଲ୍ସ କ୍ୟାଚ୍ ଛାଡ଼ିବାରୁ ଗପ୍ଟିଲ୍ ଏହାର ଭରପୁର ଫାଇଦା ଉଠାଇ ନୂଆ କୀର୍ତିମାନ କରିଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍ କେବଳ ୨୫୦ ରନ୍ (୩୦.୩ ଓଭର) କରିପାରିଥିଲା।
କ୍ରିସ୍ ଗେଲ୍: ୨୧୫ ବନାମ ଜିମ୍ବାୱେ (୨୦୧୫)
୨୦୧୫ ମସିହାର ବିଶ୍ବକପ୍ରେ ଦୁଇ ଥର ଦ୍ବିଶତକ ପାଳି ଦେଖିବାକୁ ମିଳିଥିଲା। ଗପ୍ଟିଲଙ୍କ ପାଳି ପୂର୍ବରୁ କ୍ରିସ୍ ଗେଲ୍ ପ୍ରଥମ ଖେଳାଳି ଭାବେ ବିଶ୍ବକପ୍ରେ ଦ୍ବିଶତକ ଅର୍ଜନ କରିଥିଲେ। କାନବେରାରେ ଏକ ପୁଲ୍ ‘ବି’ ମ୍ୟାଚ୍ରେ ଜିମ୍ବାୱେ ବିପକ୍ଷରେ ସେ ୧୪୭ ବଲ୍ରୁ ୨୧୫ ରନ୍ କରି ଶେଷ ବଲରେ ଆଉଟ୍ ହୋଇଥିଲେ। ଏହା ମଧ୍ୟରେ ୧୦ ଚୌକା ଏବଂ ୧୬ ଛକା ସାମିଲ ଥିଲା। ୧୦୫ ବଲ୍ରୁ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ଏହା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ। ପରବର୍ତୀ ଶତକ ପାଇଁ ସେ ମାତ୍ର ୩୩ ବଲ୍ ଖେଳିଥିଲେ। ଏହା ମଧ୍ୟ ଥିଲା ପ୍ରଥମ ଅଣଭାରତୀୟ ଖେଳାଳି ଭାବେ ଦ୍ବିଶତକ ଅର୍ଜନ। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ରୋହିତ ଶର୍ମା ଦିନିକିଆରେ ଦ୍ବିଶତକ ହାସଲ କରି ସାରିଥିଲେ। ୱେଷ୍ଟଇଣ୍ଡିଜ୍ର ୩୭୩ ରନ୍କୁ ପିଛା କରି ଜିମ୍ବାୱେ ୨୮୯ ରନ୍ କରିପାରିଥିଲା।
ଗ୍ୟାରି କର୍ଷ୍ଟେନ୍: ୧୮୮* ବନାମ ୟୁଏଇ (୧୯୯୬)
ବିଶ୍ବକପ୍ ଇତିହାସରେ ୧୯ ବର୍ଷ ଧରି ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଦକ୍ଷିଣ ଆଫ୍ରିକାର ଗ୍ୟାରି କର୍ଷ୍ଟେନଙ୍କ ନାମରେ ଅତୁଟ ରହିଥିଲା। କ୍ରିସ୍ ଗେଲ୍ ଏହାକୁ କାଟିଥିଲେ। ୧୯୯୬ ମସିହାରେ ରାୱଲିପିଣ୍ଡିରେ ୟୁଏଇ ବିପକ୍ଷରେ କର୍ଷ୍ଟେନ୍ ୧୮୮* ରନ୍ ପାଳି ଖେଳିଥିଲେ। ଯାହା ବଳରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୩୨୧/୨ କରିଥିଲା। ସେତେବେଳେ ଦିନିକିଆରେ ଏହା ଥିଲା ଦ୍ବିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। କାରଣ ଭିଭିଆନ୍ ରିଚାର୍ଡସ (୧୮୯* ବନାମ ଇଂଲଣ୍ଡ, ୧୯୮୪) କୀର୍ତିମାନକୁ ନିଜ ନାମରେ ରଖିଥିଲେ। ଦକ୍ଷିଣ ଆଫ୍ରିକାର ୩୨୧ ରନ୍ ଜବାବରେ ୟୁଏଇ ୧୫୨/୮ରେ ସୀମିତ ରହିଯାଇଥିଲା।
ସୌରଭ ଗାଙ୍ଗୁଲି: ୧୮୩ ବନାମ ଶ୍ରୀଲଙ୍କା (୧୯୯୯)
ସୌରଭ ଗାଙ୍ଗୁଲି ସମ୍ଭବତଃ ନିଜ ଜୀବନର ଶ୍ରେଷ୍ଠ ଦିନିକିଆ ପାଳି ୧୯୯୯ ବିଶ୍ବକପ୍ରେ ଖେଳିଥିଲେ। ଟନ୍ଟନ୍ରେ ପୂର୍ବ ବିଜେତା ଶ୍ରୀଲଙ୍କା ବିପକ୍ଷରେ ୧୫୮ ବଲ୍ରୁ ୧୮୩ ରନ୍ କରିଥିଲେ ଏହି ବାମହାତୀ ବ୍ୟାଟସମ୍ୟାନ୍। ୧୧୯ ବଲ୍ରୁ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୩୯ ବଲରୁ ୮୩ ରନ୍ ଉଠାଇଥିଲେ। ତାଙ୍କ ପାଳିରେ ମୋଟ ୧୭ ଚୌକା ଏବଂ ୭ ଛକା ସାମିଲ ଥିଲା। ରାହୁଲ ଦ୍ରାବିଡ଼ଙ୍କ ସହିତ (୧୪୫, ୧୨୯ ବଲ୍, ୧୭ ଚୌକା, ୧ ଛକା) ମିଶି ୩୧୮ ରନ୍ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ସେତେବେଳେ ଯେ କୌଣସି ୱିକେଟ୍ ପାଇଁ ସର୍ବକାଳୀନ କୀର୍ତିମାନ ହୋଇଥିଲା। ଭାରତର ୩୭୩/୬ ଜବାବରେ ବିଜେତା ଶ୍ରୀଲଙ୍କା ୨୧୬ ରନ୍ କରିଥିଲା।
ଭିଭିଆନ୍ ରିଚାର୍ଡସ: ୧୮୧ ବନାମ ଶ୍ରୀଲଙ୍କା (୧୯୮୭)
୧୯୮୭ ମସିହାର ପ୍ରଥମ ଉପମହାଦେଶ ବିଶ୍ବକପ୍ରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍ ଭିଭିଆନ୍ ରିଚାର୍ଡସ ୧୮୧ ରନ୍ର ଏକ ବିଧ୍ବଂସୀ ପାଳି ଖେଳିଥିଲେ। କରାଚୀରେ ୱେଷ୍ଟଇଣ୍ଡିଜ୍ ୪୫/୨ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ରିଚାର୍ଡସ ୧୨୫ ବଲ୍ରୁ ୧୮୧ ରନ୍ କରିଥିଲେ। ସେ ମୋଟ ୧୬ ଚୌକା ଏବଂ ୭ ଛକାର ସହାୟତା ନେଇଥିଲେ। ୱେଷ୍ଟଇଣ୍ଡିଜ୍ ୩୬୦/୪ର ବଡ଼ ସ୍କୋର୍ କରି ଶ୍ରୀଲଙ୍କାକୁ ୧୬୯/୪ରେ ସୀମିତ ରଖିଥିଲା। ଏହି ପାଳି ସହିତ ଦୀର୍ଘ ୧୪ ବର୍ଷ ଧରି କପିଳ ଦେବଙ୍କ ନାମରେ ଥିବା ସର୍ବୋଚ୍ଚ ବ୍ୟକ୍ତିଗତ ବିଶ୍ବକପ୍ ସ୍କୋର୍ (୧୭୫* ବନାମ ଜିମ୍ବାୱେ, ୧୯୭୫) ପଛରେ ପଡ଼ିଯାଇଥିଲା।