ନୂଆଦିଲ୍ଲୀ: ପାରମ୍ପରିକ ଭାବେ ଦେଖିବାକୁ ଗଲେ ସବୁବେଳେ ଦ୍ରୁତ ବୋଲରମାନେ ୱିକେଟ୍ ନେବାରେ ସ୍ପିନରଙ୍କଠୁ ଆଗରେ ରହିଥାନ୍ତି। ଏହି ଧାରାରେ ଏପର୍ଯ୍ୟନ୍ତ ଶେଷ ହୋଇଥିବା ୧୧ଟି ବିଶ୍ବକପ୍ରେ ୫ ସର୍ବାଧିକ ୱିକେଟ୍ ଦଖଲ ତାଲିକାରେ ୪ ଜଣ ଦ୍ରୁତ ବୋଲର ରହିଛନ୍ତି। ସ୍ପିନର୍ ଭାବେ ଏହି ତାଲିକାରେ କେବଳ ଶ୍ରୀଲଙ୍କାର ମୁଥିଆ ମୁରଲିଥରନ ରହିଛନ୍ତି। ସର୍ବାଧିକ ୱିକେଟ୍ ଦଖଲକାରୀଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
।ଗ୍ଲେନ୍ ମ୍ୟାକ୍ଗ୍ରା (ବିଶ୍ବକପ୍-୪, ମ୍ୟାଚ୍-୩୯, ୱିକେଟ୍-୭୧): ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେ ୪ ବଶ୍ବକପ୍ରେ ୩୯ ମ୍ୟାଚ୍ ଖେଳି ଦୁଇ ଥର ୫ ୱିକେଟ୍ ଏବଂ ୯ ଥର ୩ ୱିକେଟ୍ ସହ ମୋଟ ୭୧ ୱିକେଟ୍ ଦଖଲ କରିଛନ୍ତି। ପଦାର୍ପଣ ବିଶ୍ବକପ୍ (୧୯୯୬)ରେ ସେ ୭ ମ୍ୟାଚ୍ରୁ ୬ ୱିକେଟ୍ ପାଇଥିଲେ। ୧୯୯୯ରେ ଅଷ୍ଟ୍ରେଲିଆ ଦ୍ବିତୀୟ ଥର ବିଶ୍ବକପ୍ ବିଜେତା ହୋଇଥିଲା। ଏହି ସଂସ୍କରଣରେ ସେ ୧୮ ୱିକେଟ୍ ନେଇଥିଲେ। ଏହାର ୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲିଆ ବିଶ୍ବକପ୍ ବଜାୟ ରଖିଥିଲା। ମ୍ୟାକ୍ଗ୍ରା ୨୧ ୱିକେଟ୍ ନେଇ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ। ନିଜର ଚତୁର୍ଥ ବିଶ୍ବକପ୍ (୨୦୦୭)ରେ ସେ ୨୬ ୱିକେଟ୍ ଦଖଲ କରିଥିଲେ। ଏଥି ସହିତ ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେବାରେ ସେ ପ୍ରଥମ ଦ୍ରୁତ ବୋଲର ହୋଇଥିଲେ। ଏହି ବିଶ୍ବକପ୍ରେ ମ୍ୟାକ୍ଗ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଏବଂ ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ହ୍ୟାଟ୍ରିକ୍ କରିଥିଲା।
।ମୁଥିଆ ମୁରଲିଥରନ (ବିଶ୍ବକପ୍-୫, ମ୍ୟାଚ୍-୪୦, ୱିକେଟ୍-୬୮): ସିଂହଳୀ ସ୍ପିନର ମୁଥିଆ ମୁରଲିଥରନ ଏହି ତାଲିକାର ଦ୍ବିତୀୟରେ ରହିଛନ୍ତି। ସେ ୪୦ ବିଶ୍ବକପ୍ ମ୍ୟାଚ୍ରୁ ୧୧ ଥର ୩ ୱିକେଟ୍ ସଫଳତା ସହ ୬୮ ୱିକେଟ୍ ପାଇଛନ୍ତି। ସର୍ବାଧିକ ଦିନିକିଆ ୱିକେଟ୍ ଦଖଲକାରୀ ତାଲିକାର ଶୀର୍ଷରେ ଥିବା ମୁରଲିଥରନ (୫୩୪ ୱିକେଟ୍) ୫ ବିଶ୍ବକପ୍ ଖେଳିବାର ସୌଭାଗ୍ୟ ପାଇଛନ୍ତି। ଶ୍ରୀଲଙ୍କା ୧୯୯୬ ବିଶ୍ବକପ୍ ଜିତିଥିଲା ବେଳେ ଏହି ସଂସ୍କରଣରେ ସେ ୬ ମ୍ୟାଚ୍ରୁ କେବଳ ୭ ୱିକେଟ୍ ଅକ୍ତିଆର କରିଥିଲେ। ୧୯୯୯ରେ ୫ ମ୍ୟାଚ୍ରୁ ୬ ୱିକେଟ୍ ପାଇଥିଲା ବେଳେ ୨୦୦୩ରେ ସେ ଭଲ କରି ୧୦ ମ୍ୟାଚ୍ ଖେଳି ୧୭ ୱିକେଟ୍ ନେଇଥିଲେ। ୨୦୦୭ ତାଙ୍କ ପ୍ରଦର୍ଶନରେ ଶ୍ରୀଲଙ୍କା ଫାଇନାଲ୍ରେ ପହଞ୍ଚିଥିଲା। ସେ ୧୦ ମ୍ୟାଚ୍ରୁ ୨୩ ୱିକେଟ୍ ହାସଲ କରିଥିଲେ। ୨୦୧୧ରେ ୯ ମ୍ୟାଚ୍ରୁ ୧୫ ୱିକେଟ୍ ନେବା ସହ ଶ୍ରୀଲଙ୍କାକୁ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ୍ରେ ପହଞ୍ଚାଇଥିଲେ।
।ୱାସିମ ଆକ୍ରମ (ବିଶ୍ବକପ୍-୫, ମ୍ୟାଚ୍-୩୮, ୱିକେଟ୍-୫୫): ପାକିସ୍ତାନୀ ବାମହାତୀ ଦ୍ରୁତବୋଲର ୱାସିମ ଆକ୍ରମ ୫ ବିଶ୍ବକପ୍ରେ ୩୮ ମ୍ୟାଚ୍ ଖେଳି ୫୫ ୱିକେଟ୍ ଦଖଲ କରି ଏହି ତାଲକାର ତୃତୀୟ ସ୍ଥାନରେ ରହିଛନ୍ତି। ଦିନିକିଆରେ ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ତାଲିକାରେ ଦ୍ବିତୀୟରେ ଥିବା ଆକ୍ରମ (୫୦୨ ୱିକେଟ୍) ୧୯୮୭ରେ ବିଶ୍ବକପ୍ ପଦାର୍ପଣ କରିଥିଲେ। ପଦାର୍ପଣରେ ସେ ୭ ୱିକେଟ୍ ପାଇଥିଲେ। ୧୯୯୨ରେ ପାକିସ୍ତାନ ପ୍ରଥମ ଥର ଲାଗି ବିଶ୍ବକପ୍ ବିଜେତା ହୋଇଥିଲା। ଏହି ବର୍ଷ ଆକ୍ରମ (୧୦ ମ୍ୟାଚ୍, ୧୮ ୱିକେଟ୍) ସର୍ବାଧିକ ୱିକେଟ୍ ସଂଗ୍ରହ ତାଲିକାର ଶୀର୍ଷରେ ରହିଥିଲେ। ୧୯୯୬ରେ ଆକ୍ରମ ୫ ମ୍ୟାଚ୍ରୁ ମାତ୍ର ୩ ୱିକେଟ୍ ନେଇଥିଲେ। ହେଲେ ୧୯୯୯ରେ ସେ ୧୫ ୱିକେଟ୍ ନେଇ ପାକିସ୍ତାନକୁ ଫାଇନାଲ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ୨୦୦୩ ତାଙ୍କର ଶେଷ ବିଶ୍ବକପ୍ ହୋଇଥିଲା ବେଳେ ଏହି ସଂସ୍କରଣରେ ୧୨ ୱିକେଟ୍ ଅକ୍ତିଆର କରିଥିଲେ।
।ଚାମିଣ୍ଡା ଭାସ୍ (ବିଶ୍ବକପ୍-୪, ମ୍ୟାଚ୍-୩୧, ୱିକେଟ୍-୪୯): ଏସୀୟ ମହାଦେଶର ଆଉ ଜଣେ ବାମହାତୀ ଦ୍ରୁତ ବୋଲର ଶ୍ରୀଲଙ୍କାର ଚାମିଣ୍ଡା ଭାସ୍ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ପଦାର୍ପଣ ବିଶ୍ବକପ୍ (୧୯୯୬)ରେ ବିଜେତା ହେବାର ଗୌରବ ପାଇଥିବା ଏହି ଶ୍ରୀଲଙ୍କା ଖେଳାଳି ୩୧ ମ୍ୟାଚ୍ରୁ ୪୯ ୱିକେଟ୍ ପାଇଥିଲେ। ୪ ବିଶ୍ବକପ୍ ଖେଳିଥିବା ଭାସ୍ ୧୯୯୬ରେ ୬ ଏବଂ ପରବର୍ତୀ ସଂସ୍କରଣରେ ୫ ମ୍ୟାଚ୍ରୁ ୭ ୱିକେଟ୍ ପାଇଥିଲେ। ହେଲେ ୨୦୦୩ରେ ସେ ୧୦ ମ୍ୟାଚ୍ରୁ ୨୩ ୱିକେଟ୍ ନେଇ ଶ୍ରୀଲଙ୍କାକୁ ସେମିଫାଇନାଲ୍ରେ ପ୍ରବେଶ କରାଇଥିଲେ। ୱେଷ୍ଟ୍ଇଣ୍ଡିଜ୍ (୨୦୦୭)ରେ ଶେଷ ବିଶ୍ବକପ୍ ଖେଳିଥିବା ଭାସ ଏହି ସଂସ୍କରଣରେ ୧୦ ମ୍ୟାଚ୍ରୁ ୧୩ ୱିକେଟ୍ ନେଇଥିଲେ। ଫାଇନାଲ୍ରେ ଅଷ୍ଟ୍ରେଲିଆଠୁ ହାରି ଶ୍ରୀଲଙ୍କା ଉପବିଜେତା ହୋଇଥିଲା।
।ଜାହିର ଖାନ୍ (ବିଶ୍ବକପ୍-୩, ମ୍ୟାଚ୍-୨୩, ୱିକେଟ୍-୪୪) ଏବଂ ଜଭାଗଲ ଶ୍ରୀନାଥ (ବିଶ୍ବକପ୍-୪, ମ୍ୟାଚ୍-୩୪, ୱିକେଟ୍-୪୪): ଦୁଇ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍ ଏବଂ ଜଭାଗଲ ଶ୍ରୀନାଥ ଏହି ତାଲିକାରେ ଯୁଗ୍ମ ଭାବେ ପଞ୍ଚମ ସ୍ଥାନ ପାଇଛନ୍ତି। ବାମହାତୀ ଜାହିର ୨୩ ମ୍ୟାଚ୍ରୁ ଏବଂ ଶ୍ରୀନାଥ ୩୪ ମ୍ୟାଚ୍ରୁ ୪୪ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ୨୦୦୩ରେ ଜାହିର ଖାନ୍ ୧୮ ୱିକେଟ୍ ପାଇଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ରଫି ମୁକାବିଲାରେ ସେ ୮ ଓଭରରେ ୬୭ ବ୍ୟୟକରି ୱିକେଟ୍ ଶୂନ୍ୟ ରହିଥିଲେ। ଏହି ସଂସ୍କରଣରେ ଭାରତ ଉପବିଜେତା ହୋଇଥିଲା। ତେବେ ୨୦୦୭ରେ ଭାରତ ଖରାପ ପ୍ରଦର୍ଶନ କରି ୩ ମ୍ୟାଚ୍ରୁ ୨ ହାରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏହି ସଂସ୍କରଣରେ ଜାହିର ୫ ୱିକେଟ୍ ପାଇଥିଲେ। ୨୦୧୧ରେ ଭାରତ ବିଜେତା ହୋଇଥିଲା ବେଳେ ଜାହିର (୨୧ ୱିକେଟ୍) ଏହି ସଂସ୍କରଣରେ ସର୍ବାଧିକ ୱିକେଟ୍ ଅକ୍ତିଆର କରିବାରେ ସାହିଦ ଆଫ୍ରିଦିଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନ ଦଖଲ କରିଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର