ଭୁବନେଶ୍ୱର: ମହମ୍ମଦ ଜାଫର୍ ଇକ୍ବାଲ୍ ରାଜ୍ୟ କ୍ରିକେଟ୍ର ଏକ ପରିଚିତ ନାଆଁଟିଏ, ତାଙ୍କ କୃତିତ୍ୱ କିନ୍ତୁ ଓଡ଼ିଶାର ସବୁ କୀର୍ତିମାନକୁ ପଛରେ ପକାଇ ନୂଆ ଶିଖର ଛୁଇଁଛି। ରାଜ୍ୟର ଏଭଳି ଜଣେ ଖେଳାଳି ନାହାନ୍ତି ଯିଏ କୌଣସି ବି ଖେଳରେ ୪ ଥର ବିଶ୍ୱକପ୍ ପ୍ରତିନିଧିତ୍ୱ କରିଥିବେ ଏବଂ ବିଶ୍ୱମୁକୁଟ ତୋଳି ଧରିଥିବେ। ଏଭଳି ବିରଳ କୀର୍ତିମାନର ଅଧିକାରୀ ହୋଇଛନ୍ତି ଦୃଷ୍ଟିହୀନ କ୍ରିକେଟର୍ ଜାଫର୍। ଦୁଇ ଥର ଲେଖାଏଁ ଟେ୍ଵଣ୍ଟି-୨୦ ଏବଂ ଦିନିକିଆ ବିଶ୍ୱକପ୍ ଜିତିବାର ଗୌରବ ପାଇଛନ୍ତି ଏହି ଭୁବନେଶ୍ୱର ଯୁବକ। ଗତ ସପ୍ତାହରେ ୟୁଏଇରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ରେ ଭାରତ ରୋମାଞ୍ଚକ ଭାବେ ପାକିସ୍ତାନକୁ ହରାଇ ବିଜେତା ହୋଇଥିଲା। ଜାଫର୍ଙ୍କ ସହିତ ପଙ୍କଜ ଭୂଏ ଓଡ଼ିଶାକୁ ଗୌରବାନ୍ଵିତ କରିଥିଲେ। ସୋମବାର ଓଡ଼ିଶା ଫେରିବା ପରେ ତାଙ୍କୁ ମିଳିନାହିଁ ସେଭଳି ଉତ୍ସାହଭରା ଅଭ୍ୟର୍ଥନା କି ସମ୍ବର୍ଧନା। ତାଙ୍କ ନିଜ ସଂଘ ‘କ୍ୟାଭି-ଓଡ଼ିଶା’ ହିଁ ବୁଦ୍ଧମନ୍ଦିରରେ ଉଭୟଙ୍କୁ ସମ୍ବର୍ଧିତ କରିଥିଲା। କିନ୍ତୁ ସାମଗ୍ରିକ ଭାବେ ଦୃଷ୍ଟିହୀନ କ୍ରିକେଟ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଉଦୀୟମାନ କିମ୍ବଦନ୍ତୀ ଇକ୍ବାଲ୍। ‘ସମ୍ବାଦ’ ସହ କଥା ହେବା ବେଳେ ନିଜ ଅସନ୍ତୋଷ ଓ କ୍ଷୋଭର ବିଷୋଦଗାର କରିଥିଲେ ଏହି ଅଲରାଉଣ୍ଡର।
ଚାରି ଚାରି ଥର ବିଶ୍ୱକପ୍ ଜିତିବାର ଗୌରବ ରାଜ୍ୟରେ ଅନ୍ୟ କାହାରି ଭାଗ୍ୟରେ ଜୁଟି ନାହିଁ। ଏଥି ଲାଗି ବହୁତ ଖୁସୀ ଲାଗୁଛି। ସମାନ ସମୟରେ କିନ୍ତୁ ଆମ ପ୍ରତି ହେଉଥିବା ଅଣଦେଖା ଓ ଅନ୍ୟାୟକୁ ବରଦାସ୍ତ କରି ହେଉ ନାହିଁ। ସାଧାରଣ ବର୍ଗର ଖେଳାଳି ଏଭଳି ସଫଳତା ପାଉଥିବାବେଳେ ବିମାନବନ୍ଦରରେ ପ୍ରଶଂସକ, ପ୍ରଶାସକମାନେ ରୁଣ୍ଡ ହୋଇଯାଆନ୍ତି। ବିଭିନ୍ନ ଆଡ଼ୁ ନିଯୁକ୍ତି ପ୍ରସ୍ତାବ ମିଳିଥାଏ। ଆମ କ୍ଷେତ୍ରରେ ତାହା ହୋଇପାରୁନାହିଁ। ଏଥି ଲାଗି ବଡ଼ ଦୁଃଖ ଲାଗୁଛି। ଆମକୁ ସ୍ୱାଗତ କରିବାକୁ ବିମାନବନ୍ଦରରେ କ୍ରୀଡ଼ା ବିଭାଗରୁ କେହି ନ ଥିଲେ। ଦୁଃଖ ଲାଗିଲା। ଅବଶ୍ୟ ପୂର୍ବରୁ କ୍ରୀଡ଼ା ବିଭାଗ ମୋତେ ୨ ଥର ବିଶ୍ୱକପ୍ ଜିତିବାବେଳେ ୧୫ ଲକ୍ଷ ଟଙ୍କା ଦେଇଥିଲେ। ୯ ଦିନ ବିତିଗଲାଣି ଆମକୁ କିନ୍ତୁ ଏଥର ରାଜ୍ୟ ସରକାର କି କେନ୍ଦ୍ର ସରକାର ସେଭଳି ଆଖିଦୃଶିଆ ଅଭିନନ୍ଦନ କରିନାହାନ୍ତି। ବିଶ୍ୱକପ୍ ବିଜୟ ଦିନ କେବଳ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଟ୍ଵିଟର୍ ଜରିଆରେ ଅଭିନନ୍ଦନ ଜଣାଇବାରେ ଏହା ସୀମିତ ରହିଛି। କିନ୍ତୁ ସାମଗ୍ରିକ ଭାବେ ଆମକୁ ବୁଝିବା ଏବଂ ଅଭାବ ଅସୁବିଧା ଦେଖିବାକୁ କେହି ନାହିଁ। ଦୃଷ୍ଟିହୀନ କ୍ରିକେଟ୍କୁ ରାଜ୍ୟ କି କେନ୍ଦ୍ର ସରକାର ସ୍ୱୀକୃତି ଦେଉ ନ ଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ଖେଳାଳିମାନେ ଫାଇଦା ପାଉନାହାନ୍ତି। ଓଡ଼ିଶା କ୍ରିକେଟ୍ ସଂଘ କି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମଧ୍ୟ ଏ କ୍ଷେତ୍ରରେ ନିଷ୍କୀୟ ରହିବା ଆମକୁ ମନସ୍ତାପ ଭିତରେ ରଖୁଛି।
ଭୁବନେଶ୍ୱରରେ ଦୃଷ୍ଟିହୀନ କ୍ରିକେଟରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ପଡ଼ିଆ କରିବା ଲାଗି ଆମେ ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହିତ କଥା ହୋଇଛୁ। କିନ୍ତୁ ସରକାର ଜାଗା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏଭଳି କିଛି ମୌଳିକ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଖେଳାଳିମାନେ ଆଗକୁ ବଢ଼ିବା ପରିବର୍ତେ ପଛକୁ ଚାଲିଯିବେ। ନିଯୁକ୍ତି ସୁଯୋଗ ନି ମିଳିଲେ ଏ ଖେଳକୁ ଆଉ କେହି ଆସିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ବୋଲି ଜାଫର୍ ଦୁଃଖର ସହ ପ୍ରକାଶ କରିଥିଲେ। ସଦ୍ୟ ସମାପ୍ତ ବିଶ୍ୱକପ୍ର ପାକିସ୍ତାନ ବିପକ୍ଷ ଫାଇନାଲ୍ ବିଜୟ ନିଶ୍ଚିତ ନିଆରା ଖୁସୀ ଦେଇଥିଲା। ତେବେ ବ୍ୟକ୍ତିଗତ ପ୍ରଦର୍ଶନରେ ମୁଁ ସେତେଟା ଖୁସୀ ହୋଇପାରିନଥିଲି। ଅଧିକ ଭଲ ପ୍ରଦର୍ଶନ କରିପାରିନଥାନ୍ତି। ପ୍ରତିଯୋଗିତା ପୂର୍ବରୁ ମୁଁ ସେତେଟା ପ୍ରସ୍ତୁତି କରିପାରିନଥିଲି କି ସୁଯୋଗ ପାଇନଥିଲି ବୋଲି ପ୍ରକାରାନ୍ତାରେ ଦୋଷ ଦେଇଥିଲେ ଜାଫର।
ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ସମ୍ବର୍ଧନା ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବାଚସ୍ପତି ଶରତ କର, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, କ୍ୟାଭି ଓଡ଼ିଶାର ସମ୍ପାଦକ ସନ୍ୟାସ କୁମାର ବେହେରାଙ୍କ ସହିତ ବିରଞ୍ଚି ନାରାୟଣ ସାହୁ, ପ୍ରଜ୍ଞାରାଣୀ ବେହେରା, ପ୍ରଦୀପ୍ତ ନାରାୟଣ ରାଉତରାୟ ଏବଂ ଅନୀଲ ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱକପ୍ ବିଜେତାଙ୍କ କ୍ଷୋଭ:ଉପେକ୍ଷା ଓ ଅଣଦେଖାର ଅଭିଯୋଗ ଆଣିଲେ ଜାଫର
/sambad/media/post_attachments/wp-content/uploads/2018/01/budha-bihar-thare-biswacup-bijeta-drustihina-cricket-taraka-m.d.jafar-iqubal-o-pankaj-bhue-nku-mayor-ananta-naryan-jena-sambardhita-karuchanti-012-26.jpg)