ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଆଉ ଏକ ବହୁରାଷ୍ଟ୍ରୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ରବିବାର ଏଠାରେ ବିଶ୍ବ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ (କାଂସ୍ୟ) ପ୍ରତିଯୋଗିତା ଖେଳାଯିବ। ଏହି ପ୍ରତିଯୋଗିତା ଆୟୋଜିତ ହେବା ସହ ରାଜ୍ୟ କ୍ରୀଡ଼ା ଜଗତରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ାଯିବ। ସବୁଠୁ ବଡ଼ କଥା ହେଲା ବିଶ୍ବ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ (କାଂସ୍ୟ) ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତରେ ଆୟୋଜିତ ହେବାକୁ ଯାଉଥିଲା ବେଳେ କଳିଙ୍ଗ ଷ୍ଟାଡିୟମ୍କୁ ଏହାର ପ୍ରଥମ ଆୟୋଜକ ହେବାର ଗୌରବ ମିଳିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ଆନୁକୂଲ୍ୟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ନାଁ ‘ଇଣ୍ଡିଆନ୍ ଓପନ ବିଶ୍ବ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍’ ରଖାଯାଇଛି। ଏଥିରେ ଭୁଟାନ, ତୁର୍କମେନିସ୍ତାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ, ଭିଏତନାମ, କାମେରୁନ୍, ଶ୍ରୀଲଙ୍କା, ଇରାନ, ମାଳଦ୍ବୀପ ଓ ଆୟୋଜକ ଭାରତ ଭଳି ଦେଶର ୧୫୦ରୁ ଅଧିକ ବଛାବଛା ଖେଳାଳି ଅଂଶଗ୍ରହଣ କରିବେ।
କଳିଙ୍ଗରେ କଣ୍ଟିନେଣ୍ଟାଲ ଟୁର୍ ଆଥ୍ଲେଟିକ୍ସ, ପ୍ରଥମ ଥର ଭାରତରେ ଖେଳାଯିବ, ଭାଗ ନେବେ ୧୫ ଦେଶର ୧୫୦ ଆଥ୍ଲେଟ୍
ପୁରୁଷରେ ୧୦୦, ୨୦୦, ୪୦୦, ୮୦୦, ୫୦୦୦ ମିଟର ସହ ଲମ୍ବଡିଆଁ, ଟ୍ରିପଲ ଜମ୍ପ ଓ ଜାଭଲିନ୍ ଥ୍ରୋ’ ଆଦିରେ ପ୍ରତିଦ୍ବନ୍ଦ୍ବିତା ହେବ। ସେହିଭଳି ମହିଳାରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୧୦୦ ମିଟର ବାଧାଦୌଡ଼, ଲମ୍ବ ଡିଆଁ ଏବଂ ଜାଭଲିନ୍ ଭଳି ଖେଳରେ ପ୍ରତିଦ୍ବନ୍ଦ୍ବିତା ହେବ। ମୋଟ ୨୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଜାପାନରେ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍ ଲାଗି ଏହି ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟ ହେବ। ସ୍ଥାନୀୟ ତାରକାଙ୍କ ମଧ୍ୟରେ ଲାଲୁପ୍ରସାଦ ଭୋଇ, ଶ୍ରାବଣୀ ନନ୍ଦ ଓ ଅନିମେଷ କୁଜୁର ଆକର୍ଷଣ ପାଲଟିବେ। ଏମାନଙ୍କ ସହ ପାଖାପାଖି ୧୦୦ ଭାରତୀୟ ପ୍ରତିଯୋଗୀ ଘରୋଇ ପରିବେଶରେ ବିଶ୍ବ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ୍ରେ ପ୍ରସ୍ତୁତି କାର୍ଯ୍ୟ ଜୋର୍ସୋରରେ ଚାଲିଥିଲା ବେଳେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଏହାକୁ ତଦାରଖ କରୁଛନ୍ତି। ଷ୍ଟାଡିୟମ୍ର କିଛି ଅଂଶର ନବୀକରଣ ବି କରାଯାଇଛି। ବୁଧବାର କିଛି ଖେଳାଳି ଭୁବନେଶ୍ବର ପହଞ୍ଚି କଳିଙ୍ଗ ଷ୍ଟାଡିୟମ୍ରେ ଅଭ୍ୟାସ ଆରମ୍ଭ କରିଛନ୍ତି।
ଶ୍ରୀ ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଶ୍ବ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ଆୟୋଜିତ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାର କ୍ରୀଡ଼ାବିତ୍ମାନେ ମଧ୍ୟ ନିକଟ ଅତୀତରେ ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର କ୍ରୀଡ଼ାବିତ୍ମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି। କ୍ରୀଡ଼ା ବିଭାଗର କମିସନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି, ପ୍ରତିଯୋଗିତା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ର କାଂସ୍ୟ ବର୍ଗ ଆୟୋଜନ କରିବା ପରେ ରୌପ୍ୟ ବର୍ଗ ଆୟୋଜନ କରିବା ଆମର ପ୍ରମୁଖ ଲକ୍ଷ୍ୟ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ସଫଳତାର ସହ ୨୦୧୭ ମସିହାରେ ଏସିଆନ୍ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିସାରିଛି। ମାତ୍ର ୯୦ ଦିନ ଭିତରେ ଏହି ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା।