ବିଶ୍ବର ପ୍ରଥମ ଅନଲାଇନ କ୍ରିକେଟ କୋଚ୍ !

କରାଚି : ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଖେଳାଳି ମିକି ଆର୍ଥରଙ୍କୁ ପାକିସ୍ତାନ ଟିମର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇପାରେ । ତେବେ ସେ ଲଣ୍ଡନରେ ରହିବେ ଓ ପାକିସ୍ତାନ ଆସିବେ ନାହିଁ । ଏହା କିପରି ସମ୍ଭବ ?

ପ୍ରକୃତ କଥା ହେଉଛି ସେ ଏବେ ଇଂଲଣ୍ଡର ଡର୍ବିସାୟାର କ୍ରିକେଟ କ୍ଲବର ମୁଖ୍ୟ କୋଚ ଅଛନ୍ତି । ୨୦୨୫ରେ ତାଙ୍କର ଚୁକ୍ତି ମିଆଦ ଶେଷ ହେବ । ଏଣୁ ସେ ଅନ୍ୟ କୌଣସି ଟିମର କୋଚ୍ ଦାୟିତ୍ବ ନେଇପାରିବେ ନାହିଁ ।

କିନ୍ତୁ ପାକିସ୍ତାନ ବୋର୍ଡ ଏହାର ଏକ ସମାଧାନ ବାହାର କରିଛି । ଆର୍ଥର ଲଣ୍ଡନରେ ହିଁ  ରହିବେ ଓ ଅନଲାଇନରେ ପାକିସ୍ତାନ ଟିମକୁ ପ୍ରଶିକ୍ଷଣ ଦେବେ । ଫଳରେ ତାଙ୍କୁ ବିଶ୍ବର ପ୍ରଥମ ଅନଲାଇନ କ୍ରିକେଟ୍ କୋଚ୍ ବୋଲି କୁହାଯାଉଛି । ଆଧୁନିକ ଯୁଗରେ ସବୁ ଶିକ୍ଷାଦାନ ଅନଲାଇନରେ ସମ୍ଭବ ହେଉଥିବାବେଳେ ପ୍ରଥମ ଥର ପାଇଁ କ୍ରିକେଟ ପ୍ରଶିକ୍ଷଣ ବି ଅନଲାଇନରେ ଦିଆଯିବ ।

ଆର୍ଥର ପୂର୍ବରୁ ଥରେ ପାକିସ୍ତାନ ଟିମର କୋଚ ରହିଥିଲେ । ତାଙ୍କ ଅମଳରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଏଣୁ ପାକିସ୍ତାନରେ ସେ ବେଶ ଲୋକପ୍ରିୟ । ଏଣୁ ତାଙ୍କୁ ଯେକୌଣସି ମତେ ଆଣିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେଷ୍ଟା ଚଳାଇଛି ବୋଲି ପାକିସ୍ତାନ ଗଣମାଧ୍ୟମ ସୂଚନା ଦେଇଛି ।

୨୦୨୧ରେ ଆର୍ଥର ଶ୍ରୀଲଙ୍କାର କୋଚ ଦାୟିତ୍ବ ଛାଡ଼ି ଡର୍ବିସାୟାରର କୋଚ ହୋଇଥିଲେ ।

ସମ୍ବନ୍ଧିତ ଖବର