ୱେଲିଂଟନ୍: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ ଉତ୍କଣ୍ଠାପୂର୍ଣ୍ଣ ମୋଡ଼ ନେଇଛି। ପ୍ରଥମ ପାଳିରେ ବଡ଼ ଅଗ୍ରଣୀ ପାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ଶସ୍ତାରେ ଆଉଟ୍ ହୋଇଯିବାରୁ ରୋମାଞ୍ଚ ବଢ଼ିଛି। ତଥାପି ନ୍ୟୁଜିଲାଣ୍ଡ୍ ସମ୍ମୁଖରେ ୩୬୯ ରନ୍ର ଆହ୍ବାନଭରା ଲକ୍ଷ୍ୟ ରହିଛି। ତୃତୀୟ ଦିନ ଶେଷ ସୁଦ୍ଧା ଘରୋଇ ଟିମ୍ ସାଉଦିଙ୍କ ଦଳ ୩ ୱିକେଟ୍ ବିନିମୟରେ ୧୧୧ ରନ୍ ସଂଗ୍ରହ କରି ନେଇଥିବାରୁ ଫଳାଫଳ କୌଣସି ଦିଗରେ ଯିବାର ସମ୍ଭାବନା ଦେଖାଇଛି। ଟେଷ୍ଟ୍ କ୍ରିକେଟ୍ରେ ନ୍ୟୁଜିଲାଣ୍ଡ୍ କେବେ ଏତେ ବଡ଼ ସ୍କୋର୍କୁ ପିଛା କରି ଜିତି ନଥିବାରୁ ଚାପରେ ରହିଛି। ୧୯୯୪ରେ ବ୍ଲାକ୍ କ୍ୟାପ୍ ଦଳ ପାକିସ୍ତାନ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟକୁ ଚତୁର୍ଥ ପାଳିରେ ୩୨୪ ରନ୍ କରି ଜିତିଥିଲା। ୩୦ ବର୍ଷ ପରେ ଅନୁରୂପ କରିସ୍ମା ଆଶା ରଖିଛି।
ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୮୩ ରନ୍ କରିଥିବା ବେଳେ କାମେରନ୍ ଗ୍ରିନ୍ (୧୭୪) ଏକା ଅଧାରୁ ଅଧିକ ରନ୍ ଯୋଡ଼ିଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍ କିନ୍ତୁ ପ୍ରଥମ ପାଳିରେ ମାତ୍ର ୧୭୯ ରନ୍ କରିବାରୁ ୨୦୪ ରନ୍ ପଛରେ ପଡ଼ିଯାଇଥିଲା। ଶନିବାର ଅଷ୍ଟ୍ରେଲିଆ ୧୩/୨ରୁ ଖେଳ ଆରମ୍ଭ କରିବା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ନାଇଟ୍ ୱାଚମ୍ୟାନ୍ ନାଥନ୍ ଲାୟନ୍ ସର୍ବାଧିକ ୪୧ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ଦ୍ବିତୀୟ ସର୍ବାଧିକ ୨୯ ରନ୍ କରିଥିଲେ। ଅଫସ୍ପିନର୍ ଗ୍ଲେନ୍ ଫିଲିପ୍ସଙ୍କ ଯାଦୁ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିକୁ ବିଗାଡ଼ି ଦେଇଥିଲା। ପ୍ରଥମ ଥର ଫିଲିପ୍ସ ପ୍ରଥମ ଶ୍ରେଣୀରେ ୫ ୱିକେଟ୍ ସଫଳତା ପାଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୪୭ ରନ୍ ଭିତରେ ଶେଷ ୬ ୱିକେଟ୍ ହରାଇ ଦ୍ବିତୀୟ ପାଳିରେ ମାତ୍ର ୧୬୪ ରନ୍ କରିଛି। ପ୍ରଥମ ପାଳିରେ ୫ ୱିକେଟ୍ ନେଇଥିବା ମ୍ୟାଟ୍ ହେନରି ୩ ଏବଂ ଅଧିନାୟକ ଟିମ୍ ସାଉଦି ୨ ୱିକେଟ୍ ଅକ୍ତିଆର କରିଥିଲେ। ୩୬୯ ରନ୍କୁ ପିଛା କରିଥିବା ନ୍ୟୁଜିଲାଣ୍ଡ୍କୁ ନାଥନ୍ ଲାୟନ୍ ଡବଲ୍ ଝଟକା ଦେଇଛନ୍ତି। ରାଚିନ ରବୀନ୍ଦ୍ର (୫୬*, ୯୪ ବଲ୍) ଏବଂ ଡାରିଲ୍ ମିଚେଲ୍ (୧୨*, ୬୩ ବଲ୍) ବ୍ୟାଟିଂ କରି ଘରୋଇ ଦଳର ଆଶା ବଳବତ୍ତର ରଖିଛନ୍ତି। ଦୁଇ ଦିନ ଖେଳ ବାକି ଥିବାବେଳେ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆକୁ ଆଉ ୭ ୱିକେଟ୍ ଏବଂ ନ୍ୟୁଜିଲାଣ୍ଡ୍କୁ ଆଉ ୨୫୮ ରନ୍ ଲୋଡ଼ା ପଡୁଛି।