ମେଲ୍ବର୍ନ:୨୦୧୨ ମସିହାର ଅଷ୍ଟ୍ରେଲିଆନ୍ ଓପନ୍ ପରାଜୟର ପ୍ରତିଶୋଧ ସହିତ ସିମୋନା ହାଲେପଙ୍କୁ ହରାଇ କାରୋଲିନ୍ ଓ୍ଵଜନିଆକି ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଏକକ ମୁକୁଟ ଜିତିବାର ଐସିହାସିକ ଗୌରବ ଅର୍ଜନ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ୍ରେ ସଙ୍କଳ୍ପବଦ୍ଧ ଓ୍ଵଜନିଆକି ୭-୬ (୨), ୩-୬, ୬-୪ରେ ରୋମାନିଆ ସୁନ୍ଦରୀ ସିମୋନାଙ୍କୁ ପରାସ୍ତ କରିଥିଲେ। ରଡ଼ ଲାଭର୍ ଆରେନାରେ ଡେନମାର୍କ ତରୁଣୀ ଓ୍ଵଜନିଆକି ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡ ସ୍ଲାମ୍କ ବିଜୟର ସ୍ୱପ୍ନ ସାକାର କରିଛନ୍ତି। ୨୦୦୯ ଏବଂ ୨୦୧୪ ମସିହାର ୟୁଏସ୍ ଓପନ୍ରେ ଓ୍ଵଜନିଆକି ଫାଇନାଲ୍ ଉଠିଥିଲେ ମଧ୍ୟ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲେ। ମାତ୍ର କେଇ ସେକେଣ୍ଡ୍ ଭିତରେ ଡାଫ୍ନେ ଆକୃଷ୍ଟ୍ ମେମୋରିଆଲ୍ କପ୍ ତୋଳି ଧରିବା ବେଳେ ଓ୍ଵଜନିଆକିଙ୍କ ଆଖି ଆନନ୍ଦାଶ୍ରୁରେ ଭରିଯାଇଥିଲା। ମୁଁ ସିମୋନାଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବି। ଏହା ଏକ ଉଲ୍ଲେଖନୀୟ ମ୍ୟାଚ୍ ଓ ଲଢ଼େଇ ଥିଲା। ଶନିବାର ଫାଇନାଲ୍ ମ୍ୟାଚ୍ର ଶେଷ ପର୍ଯ୍ୟାୟରେ ଯେତେବେଳେ ସିମୋନଙ୍କ ବ୍ୟାକ୍ହ୍ୟାଣ୍ଡ୍ ସଟ୍ ନେଟ୍ରେ ଅଟକିଯାଇଥିଲା ଉଲ୍ଲସିତ ଓ୍ଵଜନିଆକି ତୁରନ୍ତ ନିଜ ର୍ୟାକେଟ୍ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷରେ ସିମୋନାଙ୍କ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ବିଜୟ ସ୍ୱପ୍ନ ମଧ୍ୟ ଅଧୁରା ରହିଗଲା। ପ୍ରତିଯୋଗିତାର ଦୁଇ ଶୀର୍ଷ ମାନ୍ୟତା ଖେଳାଳି ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିବେଳେ ପ୍ରଥମ ଥର ପାଇଁ ଡବ୍ଲ୍ୟୁଟିଏର ଶୀର୍ଷ ମାନ୍ୟତା ଓ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ ବିଜୟର ଗୌରବ ଓ୍ଵଜନିଆକିଙ୍କୁ ମିଳିଥିଲା। ୨୦୧୨ ମସିହା ଅଷ୍ଟ୍ରେଲିଆନ୍ ଓପନ୍ରେ ମାରିଆ ସାରାପୋଭାଙ୍କୁ ହରାଇ ଭିକ୍ଟୋରିଆ ଆଜାରେଙ୍କା ପ୍ରଥମ ଥର ପାଇଁ ଶୀର୍ଷ ମାନ୍ୟତା ପାଇଥିଲେ। ଶନିବାର ଫାଇନାଲ୍ ଆରମ୍ଭ ହେବା ବେଳକୁ ତାପମାତ୍ରା ୩୨ ଡିଗ୍ରୀ ଥିବାରୁ ଏହା ସିମୋନାଙ୍କୁ ଅଧିକ ପ୍ରଭାବିତ କରିଥିବା କୁହାଯାଉଛି। ମୁଁ ଏବେ କାରୋଲିନ୍ଙ୍କୁ ଅଭିନନ୍ଦନ ଜଣାଉଛି। ସେ ଚମତ୍କାର ଖେଳିଲେ ବୋଲି କହିଥିଲେ ୨ ଥର ଫ୍ରେଞ୍ଚ୍ ଓପନ୍ ଉପ ବିଜୟିନୀ ହାଲେପ୍।
ବୋପାନ୍ନା-ବାବୋସ୍ ଫାଇନାଲ୍ରେ
ଅଷ୍ଟ୍ରେଲିଆନ୍ ଓପନରୁ ଭାରତକୁ ଏକ ମୁକୁଟ ମିଳିବା ଆଶା ବଳବତ୍ତର ରହିଛି। ହଙ୍ଗେରିର ତିମିଆ ବାବୋସଙ୍କୁ ସାଥୀ କରି ଖେଳୁଥିବା ରୋହନ୍ ବୋପାନ୍ନା ସ୍ପେନ-ବ୍ରାଜିଲ୍ ଯୋଡ଼ି ଜୋସ୍ ମାର୍ଟିନେଜ୍ ସାଞ୍ଚେଜ୍ ଓ ମାର୍ସିଲୋ ଡିମୋଲିନର୍ଙ୍କୁ ୭-୫, ୫-୭, ୧୦-୬ରେ ହରାଇ ମିଶ୍ରିତ ଯୁଗଳ ଫାଇନାଲ୍ରେ ପହଞ୍ଚିଛନ୍ତି। ମାର୍ଗାରେଟ୍ କୋର୍ଟ ଆରେନାରେ ଅନୁଷ୍ଠିତ ଏହି ବର୍ଷାବଧାପ୍ରାପ୍ତ ସେମିଫାଇନାଲ ଜିତି ବୋପାନ୍ନା ନିଜର ତୃତୀୟ ପ୍ରମୁଖ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ରବିବାର ଫାଇନାଲ୍ରେ ଏହି ଇଣ୍ଡୋ-ହଙ୍ଗେରି ଯୋଡ଼ି କାନାଡାର ଗାବ୍ରିଏଲା ଡ୍ରାବ୍ରୋସ୍କି ଓ କ୍ରୋଏସିଆର ମାତେ ପାଭିକଙ୍କୁ ଭେଟିବେ।
ଆଜି ଫଡେରେର୍-ସିଲିକ୍
ପୁରୁଷ ଏକକ ଫାଇନାଲ୍ରେ ରବିବାର ୩୬ ବର୍ଷୀୟ ସ୍ୱୀଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ଭେଟିବେ କ୍ରୋଏସିଆର ମାରିନ୍ ସିଲିକ୍ଙ୍କୁ। ସେମିଫାଇନାଲ୍ରେ ଫେଡେରର୍ ୬-୧-୫-୨ରେ ଆଗୁଆ ଥିବାବେଳେ ଆହତ ଦକ୍ଷିଣ କୋରିଆ ଚୁଙ୍ଗ୍ ହିଉନ୍ ଓହରିଯାଇଥିଲେ। ଦ୍ୱିତୀୟ ସେମିଫାଇନାଲ୍ରେ ସିଲିକ୍ ଅନ୍ୟତମ ଯୁବ ତାରକା କାଇଲ୍ ଏଡମଣ୍ଡଙ୍କୁ ହରାଇଥିଲେ। ସିଲିକ୍ ୬-୨, ୭-୬ (୪), ୬-୨ରେ ବିଜୟୀ ହୋଇଥିଲେ।
ବାବୋସଙ୍କୁ ଦ୍ୱିମୁକୁଟ ସୁଯୋଗ
ରୋହନ ବୋପାନ୍ନାଙ୍କୁ ସାଥୀ କରି ଖେଳୁଥିବା ହଙ୍ଗେରି ତରୁଣୀ ତିମିଆ ବାବୋସ୍ ଅଷ୍ଟ୍ରେଲିଆନ୍ ଓପନ୍ରେ ଦ୍ୱିମୁକଟ ଅର୍ଜନ ସମ୍ଭାବନା ସୃଷ୍ଟି କରିଛନ୍ତି। ଶନିବାର ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକଙ୍କୁ ସାଥୀ କରି ବାବୋସ୍ ମହିଳା ଯୁଗଳ ଟ୍ରଫି ଜିତି ନେଇଛନ୍ତି। ବାବୋସଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ବିଜୟ ମଧ୍ୟ ହୋଇଛି। ଫାଇନାଲ୍ରେ ଏହି ଯୋଡ଼ି ୬-୪, ୬-୩ରେ ଅଭିଜ୍ଞ ରୁଷୀୟ ଯୋଡ଼ି ଏକାଟେରିନା ମାକାରୋଭା ଓ ଏଲିନା ଭେସନିନାଙ୍କୁ ପରାସ୍ତ କରିଥିଲେ। ଫଳରେ ଫ୍ରେଞ୍ଚ ଓପନ୍ (୨୦୧୩), ୟୁଏସ୍ (୨୦୧୪) ଏବଂ ଓ୍ଵିମ୍ବଲଡନ୍ (୨୦୧୭) ଜିତି ସାରିଥିବା ଏହି ରୁଷୀୟ ଯୋଡ଼ିଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଦୁଃସ୍ୱପ୍ନ ହୋଇ ରହିଲା।