ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ପ୍ରଥମ ସଂସ୍କରଣ ଶନିବାରଠୁ ଆରମ୍ଭ ହେବ। ଇଂଲଣ୍ଡର ଦ ହଣ୍ଡ୍ରେଡ୍ ମହିଳା ପ୍ରତିଯୋଗିତା ଏବଂ ଅଷ୍ଟ୍ରେଲିଆର ମହିଳା ବିଗ୍ ବାସ ଲିଗ୍ ପରେ ଭାରତରେ ଏହି ଡବ୍ଲୁପିଏଲ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି। ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ। ଗୋଟିଏ ଦଳ ଲିଗ୍ ପର୍ଯ୍ୟାୟରେ ୮ ମ୍ୟାଚ୍ ଖେଳିବ। ଲିଗ୍ ପରେ ଟେବୁଲର ଶୀର୍ଷ ଦଳ ସିଧାସଳଖ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବ। ଦ୍ବିତୀୟ ଓ ତୃତୀୟ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ଏହାର ବିଜେତା ଦ୍ବିତୀୟ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିବ। ମହରାଷ୍ଟ୍ରର ଦୁଇ ଷ୍ଟାଡିୟମ୍ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଫାଇନାଲ୍, ଗୋଟିଏ ଏଲିମିନେଟର ଓ ୨୦ ଲିଗ୍ ମ୍ୟାଚ୍ ସହ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍ ଥିବ ପ୍ରଥମ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ।
ଉଦ୍ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ। ଗୁଜରାଟର ନେତୃତ୍ବ ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ବ୍ୟାଟର ବେଥ ମୁନି ନେଉଛନ୍ତି। ଭାରତର ତାରକା ଖେଳାଳି ହର୍ଲିନ ଦେଓଲ ଓ ସ୍ନେହା ରଣା ଏହି ଦଳରେ ରହିଛନ୍ତି। ଏମାନଙ୍କ ସହ ଦଳରେ ମହିଳା ବିଶ୍ବକପ୍ ବିଜେତା ଦଳର ଆସ୍ଲେ ଗାର୍ଡନର, ଜର୍ଜିଆ ୱାରେହାମ, ୱେଷ୍ଟ୍ଇଣ୍ଡିଜ୍ର ଦେନ୍ଦ୍ରା ଡଟିନ, ଇଂଲଣ୍ଡର ସୋଫିଆ ଡଙ୍କ୍ଲେଙ୍କ ଭଲି ତାରକା ଖେଳାଳି ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଏହି ଦଳର ମାର୍ଗଦର୍ଶକ ଓ ପରାମର୍ଶଦାତା ଅଛନ୍ତି। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମିଳିଛି। ଭାରତର ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକାର ଏହି ଦଳରେ ରହିଥିଲା ବିଦେଶର ତାରକା ଖେଳାଳି ନାଟ୍ ସ୍କିଭର-ବ୍ରଣ୍ଟ, ଆମେଲିଆ କେର୍, ହେଲି ମାଥ୍ୟୁସଙ୍କୁ ନେଇ ଦଳ ଦୃଢ଼ ରହିଛି।