ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ଗୁଜରାଟ ଜାଏଣ୍ଟସ୍ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ ୧୧ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହା ଦିଲ୍ଲୀ କ୍ୟାପିଟାଲ୍ସର ଦ୍ବିତୀୟ ପରାଜୟ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଜାଏଣ୍ଟସ୍ ଲୌରା ୱଲଭର୍ଟ (୫୭, ୪୫ ବଲ୍, ୬ ଚୌକା, ୧ ଛକା) ଓ ଆସ୍ଲେ ଗାର୍ଡନର (୫୧*, ୩୩ ବଲ୍, ୯ ଚୌକା)ଙ୍କ ଅର୍ଦ୍ଧଶତକ ବଳରେ ୧୪୭ ରନ୍ କରିଥିଲା। ସୋଫି ଡଙ୍କି (୪)ଙ୍କୁ ପ୍ରଥମ ଓଭରରେ ଗୁଜରାଟ ହରାଇବା ପରେ ୱଲଭର୍ଟ ଓ ହର୍ଲିନ ଦେଓଲ (୩୧ ରନ୍)ଙ୍କ ସହ ଦ୍ବିତୀୟ ୱିକେଟ୍ରେ ୪୯ ରନ୍ର ଭଗୀଦାରି ଗଢ଼ି ମୂଳଦୁଆ ଦୃଢ଼ କରିଥିଲେ। ତୃତୀୟ ୱିକେଟ୍ରେ ଗାର୍ଡନର ଓ ୱଲଭର୍ଟ ୮୧ ରନ୍ର ଭାଗୀଦାରି ତୋଳିଥିଲେ। ଜବାବରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦିଲ୍ଲୀ କ୍ୟାପିଟାଲ୍ ୧୮.୩ ଓଭରରେ ୧୩୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୩ ଜଣ ବ୍ୟାଟର୍ ଜେମିମା ରଡ୍ରିଗୁଏଜ, ତାନିୟା ଭାଟିଆ ଓ ରାଧା ଯାଦବ ୧ ରନ୍ କରିବା ଦଳ ପାଇଁ ମହଙ୍ଗା ପଡ଼ିଥିଲା। ମାରିଜାନ୍ କାପ ୩୬, ଅରୁନ୍ଧତୀ ରେଡ୍ଡୀ ୨୫, ଏଲିସ କାପ୍ସି ୨୨ ଓ ମେଗ ଲାନିଂ ୧୮ କେବଳ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। କିମ୍ ଗାର୍ଥ, ତନୁଜା କନୱାର ଓ ଆସ୍ଲେ ଗାର୍ଡନର ୨ ଲେଖାଏଁ ୱିକେଟ୍ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଆସ୍ଲେ ଗାର୍ଡନର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଜାଏଣ୍ଟସ୍ ୨୦ ଓଭରରେ ୧୪୭/୪ (ଲୌରା ୱଲଭର୍ଟ-୫୭, ଆସ୍ଲେ ଗାର୍ଡନର-୫୧*, ହର୍ଲିନ ଦେଓଲ-୩୧, ଜେସ୍ ଜନ୍ସନ-୨/୩୮, ମାରିଜାନ୍ କାପ୍-୧/୨୪, ଅରୁନ୍ଧତୀ ରେଡ୍ଡୀ-୧/୨୫)। ଦିଲ୍ଲୀ କ୍ୟାପିଟାଲ୍ସ ୧୮.୪ ଓଭରରେ ୧୩୬/୧୦ (ମାରିଜାନ କାପ୍-୩୬, ଅରୁନ୍ଧତୀ ରେଡ୍ଡୀ-୨୫, ଏଲିସ୍ କ୍ୟାପ୍ସି-୨୨, କିମ୍ ଗାର୍ଥ-୨/୧୮, ଆସ୍ଲେ ଗାର୍ଡନର-୨/୧୯, ତନୁଜା କନୱାର-୨/୨୯)।